ମୁନିଗୁଡା : (ରମାକାନ୍ତ ପଡ଼ାଲ)ଅମ୍ବାଦଳା ଠାରେ ମହାପ୍ରଭୁ ଦଧିବାମନଙ୍କ ନୂତନ ବିଗ୍ରହ ସ୍ଥାପନ ହୋଇ ଯାଇଛି। କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆଧ୍ୟାତ୍ମିକ ଚେତନା ଲୋକଙ୍କ ମନରେ ଜାଗ୍ରତ ହୋଇଛି ।ଏହି ପବିତ୍ର ମୁହୂର୍ତ୍ତରେ ଅମ୍ବାଦଳା ଅଞ୍ଚଳରେ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଉଥିଲା ସାରା ପରିବେଶ। ଅମ୍ବାଦଳା ଓ ଏହାର ଆଖ ପାଖ ଅଞ୍ଚଳର ସହ ସହ ଶ୍ରଦ୍ଧାଳୁ ମହାପ୍ରଭୁ ଦଧିବାମନଙ୍କ ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ପ୍ରକାଶ ଥାଉକି ବିଗତ ଦୁଇ ମାସ ପୂର୍ବରୁ ଅମ୍ବାଦଳା ଜଗନ୍ନାଥ ମନ୍ଦିରରେ ଏକ ଅଘଟଣ ଘଟି ମହାପ୍ରଭୁ ଦଧିବାମନଙ୍କ ମୃତ୍ତି ପ୍ରତିମାରେ ନିଆଁ ଲାଗି ଯାଇଥିଲା ।

ଅମ୍ବାଦଳା ଦଧିବାମନ କମିଟି ସଦସ୍ୟ,ବ୍ରାହ୍ମଣ ସମାଜ ଓ ପୋଲିସ ପ୍ରଶାସନ ଓ ଗ୍ରାମବାସୀଙ୍କ ଉଭୟ ଆଲୋଚନା ପରେ ଶ୍ରୀକ୍ଷେତ୍ର ପୁରୀ ମୁକ୍ତି ମଣ୍ଡପର ପରାମର୍ଶ କ୍ରମେ ପୁରୀ ଜଗନ୍ନାଥ ମନ୍ଦିରରେ ଦଧିବାମନଙ୍କ ନୂତନ ବିଗ୍ରହର ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ଆଜି ପବିତ୍ର ଦିନରେ ମହାପ୍ରଭୁଙ୍କ ବିଗ୍ରହ ଅମ୍ବାଦଳା ପଞ୍ଚମୁଖୀ ହନୁମାନଙ୍କ ମନ୍ଦିର ପରିସରରେ ପହଁଚିବା ପରେ ସେଠାରେ ପୁରୋହିତ ମାନଙ୍କ ଦ୍ଵାରା ନୀତି କାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ପରେ ସେଠାରୁ ନାମ କୀର୍ତ୍ତନ , ବାଜା ବାଜଣା, ଓ ବାଣ ଫୁଟାଇ ମହାପ୍ରଭୁଙ୍କ ଆଗମନଙ୍କୁ ଅଞ୍ଚଳ ବାସୀ ସ୍ବାଗତ କରିବା ସହ ମନ୍ଦିର ନିକଟରେ ପହଁଚି ପୁରୁଣା ମନ୍ଦିରରେ ମହାପ୍ରଭୁ ଦଧିବାମନଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା କରାଯାଇଥିଲା।

ଅମ୍ବାଦଳା ସହରର ବିଭିନ୍ନ ସ୍ଥାନରେ ମହିଳା ମାନେ ମହାପ୍ରଭୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରିଥିଲେ। ହରିବୋଲ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହେଉଥିଲା ପୁରା ଅଞ୍ଚଳ। ଅମ୍ବାଦଳା ଟାଉନ ଠାକୁରାଣୀ ମନ୍ଦିର ନିକଟରେ ଭକ୍ତ ମାନଙ୍କୁ ପଣା ବଣ୍ଟନ କରାଯାଇଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଆସିଥିବା ସମସ୍ତ ଶ୍ରଦ୍ଧାଳୁ ମାନେ ମନ୍ଦିର ପରିସରରେ ପ୍ରସାଦ ସେବନ କରିଥିବା ଦେଖିବାକୁ ମିଳିଥିଲା।