
ପ୍ରତିବଦ୍ଧତା ଓ ଉତ୍ତରଦାୟୀ ଭାବେ କାର୍ଯ୍ୟ କାରି ପରିଚୟ ସୃଷ୍ଟି କରିବାକୁ ପରାମର୍ଶ
ପୁରୀ ୨୫/୪ (ମନୋଜ କୁମାର ବଳିଆରସିଂ )କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ଆଜି ଅପରାହ୍ନରେ ପୁରୀ ସ୍ବତନ୍ତ୍ର ସର୍କିଟ ହାଉସ ଠାରେ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ର ସମୀକ୍ଷା କରିଥିଲେ।ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଯୋଜନା ର ଧାର୍ଯ୍ୟ ଲକ୍ଷ୍ୟ, ସଫଳତା ଓ ହିତାଧିକାରୀଙ୍କ ସମ୍ପର୍କରେ ଡ. ପାଢ଼ୀ ଅନୁଧ୍ୟାନ କରିଥିଲେ।ସମସ୍ତ ସରକାରୀ ଯୋଜନା ଜନସାଧାରଣ ଙ୍କ ହିତ ରେ ପ୍ରଣୟନ କରାଯାଇଥାଏ।
ଏହାର ସୁବିଧା ଓ ସୁଯୋଗ ଯେପରି ଉପଯୁକ୍ତ ହିତାଧିକାରୀ ସଠିକ ଭାବେ ପାଇ ପାରିବେ ସେଥିପାଇଁ ସଚେତନତା ସୃଷ୍ଟି କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।ପ୍ରତିବଦ୍ଧତା ଓ ଉତ୍ତରଦାୟୀ ଭାବେ କାର୍ଯ୍ୟ କାରି ନିଜର ପରିଚୟ ସୃଷ୍ଟି କରିବାକୁ ସେ ପରାମର୍ଶ ଦେବା ସହ ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ଶୁକ୍ରବାର ଆମ ଓଡ଼ିଶାର ଗୌରବ ସମ୍ବଲପୁରୀ ବସ୍ତ୍ର ପରିଧାନ ପାଇଁ ପରାମର୍ଶ ଦେଇଥିଲେ।ଶ୍ରୀମନ୍ଦିର ରେ ଜୈବିକ ସାରରେ ପ୍ରସ୍ତୁତ ପନିପରିବା, ଚାଉଳ ବ୍ୟବହାର ପାଇଁ ଓରମାସ ପ୍ରସ୍ତୁତ ଥିବା ବୈଠକରେ ସୂଚନା ମିଳିଥିଲା।ସେହିପରି ହସ୍ତଶିଳ୍ପ ବିଭାଗ ପକ୍ଷରୁ ମାଟି ପାତ୍ର ବା କୁଡୁଆ ଯୋଗାଇବା ବ୍ୟବସ୍ଥା କରାଯାଉଛି।
ଲକ୍ଷ ପତି ଦିଦି ସୃଷ୍ଟି ରେ ସମଗ୍ର ଦେଶରେ ଓଡିଶା ପ୍ରଥମ ହୋଇ ଥିବାରୁ ସେ ଜିଲ୍ଲା ପ୍ରଶାସନ ସମାଜ କଲ୍ୟାଣ ବିଭାଗ କୁ ପ୍ରଶଂସା କରିଥିଲେ।ପ୍ରତ୍ୟେକ ମାସ ରେ ଭଲ କାର୍ଯ୍ୟ କରୁଥିବା ଅଧିକାରୀ ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯିବା ଉଚିତ ବୋଲି ଡ. ପାଢ଼ୀ ପରାମର୍ଶ ଦେବା ସହ ପ୍ରଶାସନ ଏହାକୁ କାର୍ଯ୍ୟକାରୀ କଲେ ଅନ୍ୟ ମାନଙ୍କୁ ଅନୁପ୍ରାଣିତ କରାଯାଇପାରିବ ବୋଲି ସେ ମତ ଦେଇଥିଲେ।
ଜଙ୍ଗଲ ବିଭାଗ, ଚିଲିକା ଉନ୍ନୟନ, ସ୍ବାସ୍ଥ୍ୟ, ବିଦ୍ୟୁତ, ପର୍ଯ୍ୟଟନ, କୃଷି, ଉଦ୍ୟାନ କୃଷି, ମୂର୍ତ୍ତିକା ସଂରକ୍ଷଣ, ଗ୍ରାମ୍ୟ ଜଳ ଯୋଗାଣ, ଜିଲ୍ଲା ଶିଳ୍ପ କେନ୍ଦ୍ର, ସମାଜ କଲ୍ୟାଣ, ୱ୍ବାଟକୋ, ସମାଜ ମଙ୍ଗଳ, ସାମାଜିକ ସୁରକ୍ଷା, ସମବାୟ, ଶିକ୍ଷା,ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ପଞ୍ଚାୟତିରାଜ ଓ ପାନୀୟ ଜଳ ଇତ୍ୟାଦି ବିଭାଗ ସମ୍ପର୍କରେ ସମୀକ୍ଷା କରିବା ସହ ଡ.ପାଢ଼ୀ ବିବିଧ ପରାମର୍ଶ ଦେଇଥିଲେ।ପ୍ରାରମ୍ଭରେ ଭାରପ୍ରାପ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ସମସ୍ତଙ୍କୁ ସ୍ବାଗତ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
ପୁରୀ ଡିଏଫଓ ବିବେକ କୁମାର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଚିଲିକା ଡିଏଫଓ ଅମ୍ଲାନ ନାୟକ,ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଯୋଜନା ଓ ପର୍ଯ୍ୟାଲୋଚନା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀଧର ସେଠୀ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ,ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।ପୂର୍ବାହ୍ନରେ ପ୍ରମୁଖ ସଚିବ ଡ.ପାଢ଼ୀ ନିମାପଡା, ଗୋପ,କାକଟପୁର ଓ ପୁରୀ ସଦର ବ୍ଲକ ର ବିଭିନ୍ନ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ ସହ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ।