ସୁବର୍ଣ୍ଣପୁର ; (ଅଜିତ କୁମାର ପୁଜାହାରୀ)ମଦ ବିରୋଧରେ ମହିଳାଙ୍କ ମହାମେଳି । ବେଆଇନ ମଦ ବିକ୍ରି ବନ୍ଦ ପାଇଁ ଏକାଠି ହେଲେ ୬ ଗ୍ରାମର ମହିଳା । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଗ୍ରାମରେ ଏବେ ଅବାଧରେ ବେଆଇନ ଦେଶୀ ଓ ବିଦେଶୀ ମଦ ବିକ୍ରି ଚାଲିଛି । ବାରମ୍ବାର ଅଭିଯୋଗ କଲେ ମଧ୍ୟ ଅବକାରୀ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ । ଏନେଇ ଅଞ୍ଚଳର ମହିଳା ମାନେ ଅତିଷ୍ଟ ହୋଇ ମଦ ବିକ୍ରି ବନ୍ଦ କରିବାକୁ ଆଗକୁ ଆସିଲେଣି । ବ୍ଲକର ଉପାନ୍ତ ଦୁର୍ଜନତୈଲା ପଞ୍ଚାୟତ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ଏଠାରେ ପ୍ରାୟତଃ ସବୁ ଗାଁରେ ଦୀର୍ଘ ଦିନ ହେଲା ଅବାଧରେ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଛି ।
ମଦ ପିଇ ଅନେକ ଅସମୟରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଲୋକେ ମୃତ୍ୟୁ ବରଣ କରୁଥିବା ବେଳେ ଅନେକ ଏବେବି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ମଦ ଯୋଗୁଁ ଅନେକ ପରିବାର ବେସାହାରା ହୋଇ ପଡିଛନ୍ତି । ଅନେକେ ସମୟରେ ଗଣ୍ଡଗୋଳ ହେବା ସହିତ ପରିବାରରେ ଅଶାନ୍ତି ଦେଖା ଦେଉଛି । ଏଣୁ ମଦ ବନ୍ଦ କରିବା ପାଇଁ ମହିଳାମାନେ ଏକତ୍ରିତ ହୋଇ ଅଣ୍ଟା ଭିଡିଛନ୍ତି l ବୀରମହାରାଜପୁର ବ୍ଲକର ଦୁର୍ଜନତୈଲା ପଞ୍ଚାୟତର କୁଞ୍ଜାପାଲି, ବରଘାଟ, ମସିଣାପାଲି, ବ୍ରାହ୍ମଣିପାଲି, ଠେଙ୍ଗୋଡେମ୍, ସାଗଯୋରୀ ଆଦି ଗାଁ ରେ ମଦ ବନ୍ଦ କରିବା ପାଇଁ ମହିଳାମାନେ ଉଦ୍ୟମ କରିଛନ୍ତି ।