ବୌଦ୍ଧ (ଚିତ୍ତରଞ୍ଜନ ସିଂ)ଆଜି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ଝଡର ଇଗଲ ପ୍ରବାଦ ପୁରୁଷ ବିଜୁବାବୁଙ୍କୁ ସ୍ମରଣ କରିଛି ସାରା ଜିଲ୍ଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ମହାନ ଜନ ନାୟକଙ୍କୁ ସ୍ମରଣ କରାଯିବା ସହିତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।ବୌଦ୍ଧ ଉପଖଣ୍ଡକୁ ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପ୍ରଦାନ କରିଥିବା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୟାନନ୍ଦ ପଟ୍ଟନାୟକ ବୌଦ୍ଧ ଜିଲ୍ଲାବାସୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ବେଳେ ତାଙ୍କର ୨୭ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆଜି ଜିଲ୍ଲା ବିଜେଡି ପକ୍ଷରୁ ଏକ ବିଶାଳ ବାଇକ ରାଲି ଆୟୋଜିତ ହୋଇଯାଇଛି ।

ଏହି ଅବସରରେ ବୌଦ୍ଧ ସହରର ମହାନଦୀ ବ୍ରିଜ ଛକ ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ରାଜ୍ୟ ପଞ୍ଚାୟତିରାଜ, ଜଙ୍ଗଲ ଓ ପରିବେଶ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବୟନିକା ରାଜ୍ୟ ସଭାପତି ପ୍ରକାଶ ଚନ୍ଦ୍ର ମେହେର, ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ବରିଷ୍ଠ ବିଜେଡି ନେତା ଅଶୋକ ସାହୁ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ଦଳୀୟକର୍ମୀ ଯୋଗଦେଇ ଶ୍ରଦ୍ଧାଞ୍ଜଳିି ଅର୍ପଣ କରିଥିଲେ । ମନ୍ତ୍ରୀ ଶ୍ରୀ ଅମାତ ଉପସ୍ଥିତ ସମସ୍ତ ଦଳୀୟ କର୍ମୀଙ୍କୁ ଦଳୀୟ ଶୃଙ୍ଖଳାର ଶପଥ ପାଠ କରାଇଥିଲେ । ଏହାପରେ ମନ୍ତ୍ରୀ ଶ୍ରୀ ଅମାତଙ୍କ ନେତୃତ୍ୱରେ ବାଇକ ଶୋଭାଯାତ୍ରା ବ୍ରିଜ ଛକରୁ ବାହାରି ସହର ପରିକ୍ରମା କରିଥିଲା ।