ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦର ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗ ଙ୍କ ନେତୃତ୍ତ୍ଵରେ ଛୁଆଁ ଅଛୁଆଁ ଭେଦଭାବ ଏବଂ ଜାତିଆଣ ଆକ୍ଷେପ କରିଥିବା  ଯୋଗୀନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ସହକାରୀ ଶିକ୍ଷକଙ୍କ ବହିଷ୍କାର ଦାବିରେ ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ ଓ ଗଣଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଯୋଗୀନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପ୍ରଧାନ, ବିଜ୍ଞାନ ଶିକ୍ଷକ ମନୋଜ କୁମାର ସାହୁ ଓ ସଂସ୍କୃତ ଶିକ୍ଷୟିତ୍ରୀ ଅନୁସୟା ଦେବୀ  ଗତ  ୧୪.୦୨.୨୦୨୪ ରିଖ ସରସ୍ବତୀ ପୂଜା ଦିନ ଗଣ୍ଡା ଜାତିର ଦଶମ ଶ୍ରେଣୀର ଛାତ୍ର ଶକ୍ତି ସଞ୍ଜତ  ହରିପାଲଙ୍କୁ ଜାତିଆଣ ଆକ୍ଷେପ ତଥା ଛୁଆଁ ଅଛୁଆଁ ଭେଦଭାବ କରିବା ସହିତ ମାନସିକ ନିର୍ଯାତନା ଦେଇ ପ୍ରସାଦ ସେବନ ସମୟରେ ଦୂରେଇ ରହିବାକୁ କଡା ଭାଷାରେ ତାଗିତ କରିଥିଲେ l

ରାଜ୍ୟ ସରକାର ଶିକ୍ଷାକୁ ସର୍ବବ୍ୟାପୀ ସର୍ବସ୍ପର୍ଶୀ କରିବା ଉଦ୍ଦେଶ୍ୟରେ ବିଦ୍ୟାଳୟ ପରିସରକୁ ଦଣ୍ଡମୁକ୍ତ ଏବଂ ଭେଦଭାବ ଶୂନ୍ୟ ଅଞ୍ଚଳ ଘୋଷଣା କରିଥିବାବେଳେ ୩ ଜଣ ସରକାରୀ ଶିକ୍ଷକ / ଶିକ୍ଷୟିତ୍ରୀଙ୍କ ଏହି ଭଳି ଆଚରଣ ଗଣ୍ଡା ସମାଜକୁ ଗଭୀର ଆଘାତ ଦେଇଥିଲା l ଏହି ପରିପ୍ରେକ୍ଷୀରେ ଉପରୋକ୍ତ ୩ ଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗତ ୧୭.୦୨.୨୦୨୪ ରିଖରେ ବୌଦ୍ଧ ଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଏକ ଲିଖିତ ଦାବିପତ୍ର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲେ ମଧ୍ୟ କେବଳ ସଂସ୍କୃତ ଶିକ୍ଷୟିତ୍ରୀ ଅନୁସୟା ଦେବୀଙ୍କୁ ନିଲମ୍ବନ କରାଯାଇଛି l

ତେଣୁ ସଂଗଠନ ତରଫରୁ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପ୍ରଧାନ ଏବଂ ବିଜ୍ଞାନ ଶିକ୍ଷକ ମନୋଜ କୁମାର ସାହୁଙ୍କ ତୁରନ୍ତ ବହିଷ୍କାର ଦାବୀ ରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହିତ  ଗଣଧାରଣା ଦିଆଯାଇଛି l ଜିଲ୍ଲା ଶିକ୍ଷା ଅଧିକାରୀ କେଂଦେରା କୁଜୁର ଆସନ୍ତା ଜୁନ ମାସ ଶେଷ ସୁଦ୍ଧା ସାଧାରଣ ନିର୍ବାଚନ – ୨୦୨୪ ପ୍ରକ୍ରିୟା ସରିବା ପରେ ପ୍ରଧାନ ଶିକ୍ଷକ ଏଵଂ ସହକାରୀ ଶିକ୍ଷକ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲିଖିତ ପତ୍ର ପ୍ରଦାନ ପରେ ଗଣଧାରଣା ପ୍ରତ୍ୟାହୃତ ହୋଇଥିଲା।

ଏହି  ଗଣଧାରଣା କାର୍ଯ୍ୟକ୍ରମରେ ସଂଗଠନର ଜିଲ୍ଲା ଉପ ସଭାପତି ମକରଧ୍ଵଜ ମହାନନ୍ଦିଆ, ଦଶରଥ ବେହେରା , କୋଷାଧ୍ୟକ୍ଷ ରାମଚନ୍ଦ୍ର ତାଣ୍ଡି , ସହକାରୀ କୋଷାଧ୍ୟକ୍ଷ ଶ୍ରୀନିବାସ ହାତୀ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ନନ୍ଦିନୀ ନାଏକ , ଧରଣୀଧର ବିଭାର , ବିଶ୍ୱଜିତ ହରିପାଲ , ରମେଶ ମହାନନ୍ଦିଆ , ବରିଷ୍ଠ ସମାଜସେବୀ ଜୟରାମ ହରିପାଲ , ହରିହର ହରିପାଲ , ଜଗବନ୍ଧୁ ବାଦୀ , ଶ୍ରୀଧର କୁମ୍ଭାର , ସୁବ୍ରତ କୁମାର ଜଗଦଲା , ଚିତ୍ତ ରଞ୍ଜନ ବେହେରା, ଲଳିତ କହଁର , ସନତ କହଁର , ଭୂବନ ଭବସାଗର , କପିଳ ଭବସାଗର , ବରୁଣ ରାଜଦୀପ ପ୍ରମୁଖ ଶତାଧିକ ସମାଜସେବୀ ଯୋଗଦେଇ ଥିଲେ  l