ଧର୍ମଗଡ଼ : ୮/୨( ହେମନ୍ତ କୁମାର ମାଝୀ)ଧର୍ମଗଡ ସରକାରୀ ଉପଖଣ୍ଡ ଚିକିତ୍ସାଳୟର ଭତ୍ତିଭୂମି ବର୍ତ୍ତମାନ ସୁଦୃଢ ହୋଇଥ‌ିବା ବେଳେ ସମାଧାନ ହୋଇ ପାରିନାହିଁ ଡାକ୍ତର ସମସ୍ୟା । ତେଣୁ ରାଜ୍ୟ ସରକାର ତୁରନ୍ତ ଏହି ସମସ୍ୟାର ସମାଧାନ କରିବା ସହ ଆବଶ୍ୟକିୟ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ପାଇଁ ଅଂଚଳବାସି ଙ୍କ ପକ୍ଷରୁ ଦାବୀ ହୋଇଛି ।ଅପର ପକ୍ଷରେ ଆଗାମୀ ଏକ ମାସ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ ପୁଣି ଆମରଣ ଅନଶନ ରେ ବସିବା ପାଇଁ ଚେତାବନୀ ଦେଇଛି ଜଗନ୍ନାଥ ସେବା ସମିତି ।

ଏହି ଡାକ୍ତରଖାନା ଉପରେ ଧର୍ମଗଡ ଉପଖଣ୍ଡ ସମେତ ପଡୋଶୀ ଜିଲ୍ଲା ନବରଙ୍ଗପୁର,ନୁଆପଡା ତଥା ପଡୋଶୀ ରାଜ୍ୟ ଛତିଶଗଡ ଅଂଚଳର ରୋଗୀ ମାନେ ନିର୍ଭର କରିଥାନ୍ତି । ତେବେ ଆବଶ୍ୟକୀୟ ଡାକ୍ତର ନ ଥ‌ିବାରୁ ବହୁ ସମୟରେ ରୋଗୀ ମାନଙ୍କୁ ନିରାଶ ହେବାକୁ ପଡୁଛି । ଏହି ଡାକ୍ତରଖାନାରେ ରୋଗୀ ମାନେ ଉପଯୁକ୍ତ ସେବା ନ ପାଇ ବାଧ୍ୟ ହୋଇ ସେମାନେ ଆନ୍ଧ୍ରପ୍ରଦେଶ ର ବିଶାଖାପାଟଣା ଏବଂ ଛତିଶଗଡ ର ରାୟପୁର କୁ ଉତମ ଚିକିତ୍ସା ପାଇଁ ଯାଉଛନ୍ତି । ଯାହାଦ୍ବାରା କି ଅଜଥାରେ ରୋଗୀ ମାନେ ଖର୍ଚ୍ଚାନ୍ତରେ ପଡୁଥ‌ିବା ଦେଖ‌ିବାକୁ ମିଳୁଛି ।

ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଲାଗି ରହିଥ‌ିବା ବିଭିନ୍ନ ସମସ୍ୟା ଏବଂ ଡାକ୍ତରୀ ପଦବୀ ପୂରଣ ପାଇଁ ବିଗତ ଦିନରେ ଅଗ୍ରଣୀ ସ୍ଵେଚ୍ଚାସେବୀ ସଂଗଠନ ଜଗନ୍ନାଥ ସେବା ସମିତି ର ସଦସ୍ୟ ମାନେ ଡାକ୍ତରଖାନା ସମ୍ମୁଖରେ ଆମରଣ ଅନଶନ ରେ ବସିବା ପରେ କିଛି ଡାକ୍ତର ପଦବୀ ପୂରଣ ହେଲା ତେବେ ଆଉ କିଛି ଦିନ ପରେ ପୁଣି ସେହି ସମାନ ଅବସ୍ଥା କୁ ଫେରି ଆସିଲା ଏହି ଚିକିତ୍ସାଳୟ। କିଛି ମାସ ତଳେ କିଛି ବିଶେଷଜ୍ଞ ଡ଼ାକ୍ତର ଏଠାରେ ଯୋଗ ଦେଇଥିଲେ କିନ୍ତୁ କିଛି ଡାକ୍ତର ଟ୍ରେନିଂ ପାଇଁ ଚାଲି ଯାଇଥିବା ବେଳେ କିଛି ଡାକ୍ତରଙ୍କୁ ଜିଲ୍ଲା ମୁଖ୍ୟାଳୟ କୁ ନେଇ ଯାଇଥିବା କୁହାଯାଉଛି।

ଏହି ରେଫରାଲ ଡାକ୍ତରଖାନାରେ ବହୁ ବିଶେଷଜ୍ଞ ଡ଼ାକ୍ତର ପଦବୀ ଖାଲି ପଡ଼ିଥିବା ବେଳେ ମାତ୍ର ୧୩ ଜଣ ଡ଼ାକ୍ତରରେ ସ୍ଵାସ୍ଥ୍ୟ ସେବା ଚାଲିଛି। ୨୧ ଜଣ ଗୁରୁତ୍ୱପୂର୍ଣ୍ଣ ବିଭାଗ ରେ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡ଼ିଥିବାରୁ ସ୍ଵାସ୍ଥ୍ୟ ସେବା ବ୍ୟାହତ ହେଉଛି। ଖାଲି ପଡିଥିବା ଆବଶ୍ୟକୀୟ ଡାକ୍ତର ପଦବୀ ଶିଘ୍ର ପୂରଣ ନହେଲେ ଜଗନ୍ନାଥ ସେବା ସମିତି ପକ୍ଷରୁ ପୁଣିଥରେ ଆନ୍ଦୋଳନ ପାଇଁ ରାଜ ରାସ୍ତା କୁ ଓହ୍ଲେଇ ଓ ଆମରଣ ଅନଶନ କରିବ ଵେଳି ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ପ୍ରକାଶ କରିଛନ୍ତି।