ଢେଙ୍କାନାଳ:୩/୨(ଶୁଭମ ପାଣି ) ନୂତନ ଅନୁଦାନ ପ୍ରାପ୍ତ ହାଇସ୍କୁଲ୍ ଗୁଡିକର ଶିକ୍ଷକ କର୍ମଚାରୀଙ୍କର ପେନ୍‌ସନ୍ ଆଦି ଦାବୀ ନେଇ ସରକାର ଟାଳଟୁଳ ନୀତି କରୁଥିବାରୁ ଶିକ୍ଷକମାନେ ଆଜି ରାଜରାସ୍ତାରେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଆଜି ଦେବୁ କାଲି ଦେବୁ ବୋଲି ଭଣ୍ଡାଇ ଚାଲିଛନ୍ତି । ଢେଙ୍କାନାଳ ଜିଲ୍ଲାରେ ବାଜି ଚୌକଠାରୁ ଏକ ବିଶାଳ ରାଲି ବାହାରି ଜିଲ୍ଲା ଶିକ୍ଷାକାରୀଙ୍କ କାର୍ଯ୍ୟାଳୟ ଠାରେ ଦିବା ୧ ଘଟିକା ସମୟରେ ବହଁଚିଥିଲା। ଶିକ୍ଷକ ନେତୃମଣ୍ଡଳୀ ତାଙ୍କ ଭାଷଣ ପ୍ରସଙ୍ଗରେ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ ।

ଜିଲ୍ଲା ଓଷ୍ଠା ସଂଘର କାର୍ଯ୍ୟକାରୀ ସଭାପତି ପୀତାମ୍ବର ଦାଶ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଜିଲ୍ଲା ସଂପାଦକ ବିଭୁତି ସାମଲ ଉପସ୍ଥିତ ଶିକ୍ଷକ ଓ କର୍ମଚାରୀମାନଙ୍କୁ ଆହ୍ୱାନ କରିଥିଲେ ଯେ, ଦାବୀ ପୂରଣ ନହେବା ଯାଏ ଆନ୍ଦୋଳନରୁ ହଟିବୁ ନାହିଁ । ରାଜଧାନୀରେ ୭ ଫେବୃଆରୀରେ ହେବାକୁ ଥ‌ିବା ଐତିହାସିକ ରାଲି ଏବଂ ଅହୋରାତ୍ର ଆନ୍ଦୋଳନରେ ବିପୁଳ ସଂଖ୍ୟାରେ ଜିଲ୍ଲାରୁ ଯୋଗଦେଇ ସଫଳତାର ସ୍ତରକୁ ନେବା ପାଇଁ ଆହ୍ୱାନ କରିଥିଲେ । ଜିଲ୍ଲାର ପ୍ରାକ୍ତନ ସଂପାଦକ ଦୁର୍ଗାଚରଣ ମହାପାତ୍ର ଯୋଗଦେଇ ଐକ୍ୟ ଭାବରେ ଆନ୍ଦୋଳନ କରିବାକୁ ପରାମର୍ଶ ଦେଇଥିଲେ ।

ରାଜ୍ୟ ଓଷ୍ଠା ସଂଘର ଉପସଭାପତି ପ୍ରମୋଦ କୁମାର ସ୍ବାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୌଣସି ବାଛ ବିଚାର ନକରି ଅହୋରାତ୍ର ଆନ୍ଦୋଳନରେ ସାମିଲ୍ ହେବାକୁ ଅନୁରୋଧ କରିଥିଲେ ବ୍ଲକ୍ ଗୁଡିକର ସଭାପତି ଓ ସଂପାଦକମାନେ ରାଲି ପରିଚାଳନା କରିଥିଲେ । ତୃପ୍ତିମୟୀ ସାହୁ, ଗତା ବରାଳ, ଜ୍ୟୋତିର୍ମୟୀ ପଟ୍ଟନାୟକ, ସସ୍ମିତା ରାଉତ, ଅଞ୍ଜନା ମିଶ୍ରଙ୍କ ସମେତ ଅନେକ ଶିକ୍ଷୟିତ୍ରୀ, କର୍ମକର୍ତା ରାଲିର ଆଗରେ ରହି ଆନ୍ଦୋଳନକୁ ବ୍ୟାପକ କରିଥିଲେ । ଶେଷରେ ସଭାସ୍ଥଳରୁ ଜିଲ୍ଲା କର୍ମକର୍ତା ଜିଲ୍ଲା ଶିକ୍ଷାକାରୀ ଙ୍କୁ ସରକାରଙ୍କ ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଅର୍ଥ ସଚିବ ଏବଂ ଗଣଶିକ୍ଷା ସଚିବଙ୍କୁ ୧୨ ଦଫା ଦାବୀ ସମ୍ବଳିତ ଦାବୀପତ୍ର ପ୍ରଦାନ କରିଥିଲେ । କାମାକ୍ଷାନଗର ବ୍ଲକ୍ ସଂପାଦକ ଗଜେନ୍ଦ୍ର କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।