ଟିଟିଲାଗଡ : ( ସଞ୍ଜୟ କୁମାର ନାୟକ)ବିଦ୍ୟୁତ ବିଭାଗ ( TPWODL) ତରଫରୁ ଟିଟିଲାଗଡ ସହରରେ ଲାଗିଥିବା ପୁରୁଣା ମିଟର ଜାଗାରେ ସ୍ମାର୍ଟ ମିଟର ଲଗେଇବା ପାଇଁ ଯୋଜନା କରୁଥିବା ବେଳେ ଏହା ଜାଣିବା ସହରବାସୀଙ୍କ ମଧ୍ୟରେ ତୀବ୍ର ବିରୋଧ ହେବା ସହ ବ୍ୟାପାରି ମାନେ ମଧ୍ୟ ଏହାକୁ ଲାଗୁ ନ କରାଯାଉ ବୋଲି ମତ ପ୍ରକାଶ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଟିଟିଲାଗଡ ବଣିକ ସଂଘର ସଦସ୍ୟ ମାନେ ସଭାପତି ଶ୍ରୀ ଶମ୍ଭୁ ପ୍ରସାଦ ଗୋୟଲଙ୍କୁ ଏ ଦିଗରେ କିଛି ପଦକ୍ଷେପ ଗ୍ରହଣ କରିବାକୁ କହିବା ପରେ ଶମ୍ଭୁ ପ୍ରସାଦ ଗୋୟଲ TPWODL ଅଧିକାରୀ ଶ୍ରୀ ବିନାୟକ ରାଉତଙ୍କ ସହ ଯୋଗାଯୋଗ କରିବା ପରେ ଆଲୋଚନା କରିବା ପାଇଁ ସମୟ ମାଗିଥିଲେ।

ଶନିବାର ଦିନ ସକାଳ ୧୧ ଟା ସମୟରେ ବିଦ୍ୟୁତ ବିଭାଗର ସମ୍ମିଳନୀ କକ୍ଷରେ ଟିଟିଲାଗଡ ବଣିକ ସଂଘର ସଭାପତି ଶ୍ରୀ ଶମ୍ଭୁ ପ୍ରସାଦ ଗୋୟଲ, କୋଷଧକ୍ଷ ଅଙ୍କୁର ଅଗ୍ରୱାଲ, ସଦସ୍ୟ କେ ତ୍ରିନାଥ ରାଓ, ବିଜୟ ମେହେର, ଦେବି ଶର୍ମା, ବସନ୍ତ ସାହୁ, ସଞ୍ଜୟ କୁମାର ନାୟକ ବିଦ୍ୟୁତ ବିଭାଗର ଅଧିକାରୀ ମାନଙ୍କ ଉପସ୍ଥିତିରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ TPWODL ର ମୁଖ୍ୟ ଶ୍ରୀଯୁକ୍ତ ଅନିଲ କୁମାର ଓଝାଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ।

ସେ ଭିତରେ ମୁଖ୍ୟ ମୁଦ୍ଦା ଥିଲା ବିଦ୍ୟୁତ ବିଭାଗ ପକ୍ଷରୁ ବେଧଡକ ଲୋକଙ୍କ ଘରେ ପଶି ମନ ଇଚ୍ଛା ଜୋରିମାନା ଆଦାୟ କରିବା ନହେଲେ ଲାଇନ କାଟି ଦେବା, ରକ୍ଷଣା ବେକ୍ଷଣ ନାଁ ରେ ବାରମ୍ବାର ବିଦ୍ୟୁତ କାଟ, ଖରା ଦିନେ ରାଜ୍ୟ ସରକାର ଘୋଷଣା କରନ୍ତି ଚଳିତ ବର୍ଷ ବିଦ୍ୟୁତ କାଟ ହେବ ନାହିଁ କିନ୍ତୁ ଅପର ପକ୍ଷରେ ଖରା ଦିନେ ଅଘୋଷିତ ବିଦ୍ୟୁତ କାଟରେ ସହରବାସି ଗରମରେ ଛଟ ପଟ ହୁଅନ୍ତି , ବିଦ୍ୟୁତ ବିଭାଗର ଚଢ଼ାଉ କରୁଥିବା ଭିଜିଲାନ୍ସ ଟିମ ର ବ୍ୟବହାର ମଧ୍ୟ ଅତି ଖରାପ, କିଛି କିଛି ବ୍ୟକ୍ତି ମାସକୁ ଦରମା ଦସ ହଜାର ପାଉଥିବା ବେଳେ ଜୋରିମାନା ଏକ ଲକ୍ଷ ଟଙ୍କା ପକା ଯାଉଛି କିପରି ?

ତାପରେ କେଉଁ କେଉଁ କେସରେ ଜୋରିମାନା ୫୦ ପ୍ରତିଶତ ଛାଡ କାହାକୁ ୩୦ ପ୍ରତିଶତ ଛାଡ ତ କାହାକୁ ବିନା ଛାଡରେ ବିଦ୍ୟୁତ କାଟ ମଧ୍ୟ କରାଯାଉଛି ଯାହାକି ଲୋକଙ୍କ ଅଶାନ୍ତିର ମୁଖ୍ୟ କାରଣ , ଯଦି ସାଧାରଣ ଲୋକ ଏମିତି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହେଲେ କେଉଁ ଆଧାରରେ ନୂତନ ସ୍ମାର୍ଟ ମିଟର ଲଗେଇବ ବିଭାଗ ଆଗ ଉତ୍ତର ଦିଅନ୍ତୁ ବୋଲି ସଭାପତି ଶ୍ରୀ ଗୋୟଲ ପ୍ରଶ୍ନ ଉଠାଇଥିଲେ।

ଏହାର ଉତ୍ତର ଦେଇ ଶ୍ରୀ ବିନାୟକ ରାଉତ ସ୍ମାର୍ଟ୍ ମିଟର ଲାଗିଲେ ଚୋରୀ ହେବନି, ଯେତିକି ବ୍ୟବହାର କରିବେ ସେତିକି ବିଲ ଉଠିବ, ଯେହେତୁ ପୁରୁଣା ମିଟର ଯୋଗୁଁ ବିଭିନ୍ନ ସମସ୍ୟା ଉପୁଜୁଛି ସେଥି ପାଇଁ ଆଧୁନୀକରଣ ଉପାୟରେ ଲୋକେ ସୁବିଧା ପାଇବେ ବୋଲି ସାରା ଦେଶରେ ଏହି ମିଟର ଲଗାଯାଉଛି ବୋଲି ବିଭାଗୀୟ ଅଧିକାରୀ କହିଥିଲେ। ଶେଷରେ ବଣିକ ସଂଘର ସଦସ୍ୟ ମାନେ ପ୍ରଥମେ ଲୋକଙ୍କୁ ଆଗ ସ୍ମାର୍ଟ ମିଟର ବିଷୟରେ ସଚେତନ କରାଇବା ସହ ଏହାର ସୁବିଧା କଣ ପାଇ ପାରିବେ ସେ ନେଇ ଲୋକଙ୍କୁ ବୁଝାଇବା ପରେ ଯାଇ ଏ ଦିଗରେ କାର୍ଯ୍ୟ କରନ୍ତୁ ବୋଲି ମତ ପ୍ରକାଶ କରିଛନ୍ତି।