ଭବାନୀପାଟଣା: (ନରେନ୍ଦ୍ର ନେଗୀ)ପିରାମଲ ଫାଉଣ୍ଡେସନ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକରେ ଋତୁସ୍ରାବ ସ୍ୱଚ୍ଛତା ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସ୍ୱଚ୍ଛତା ସମରସତା (ହାଇଜିନ୍ ହାରମୋନି) ଅଭିଯାନ ଆୟୋଜନ କରାଯାଇଛି। ପ୍ରକାଶ ଯେ, ଗାନ୍ଧୀ ଫେଲୋ ରାଜନନ୍ଦାନୀ ସ୍ଥାନୀୟ ଜନସାଧାରଣ, ଛାତ୍ରଛାତ୍ରୀ ଓ ଶିଶୁମାନଙ୍କ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିବା ସମୟରେ ବାଳିକା ଓ ମହିଳାଙ୍କ ମଧ୍ୟରେ ଋତୁସ୍ରାବ ସ୍ୱଚ୍ଛତା ସଚେତନତାର ଅଭାବ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୈନନ୍ଦିନ ଯୋଗ ଅଭ୍ୟାସର ଉପକାରିତା ବିଷୟରେ ସଚେତନତାର ଅଭାବ ଥିବା ଜାଣିବାକୁ ପାଇଥିଲେ।

ଏହାର ସମାଧାନ ସ୍ୱରୂପ ସେ ଷଷ୍ଠରୁ ଅଷ୍ଟମ ଶ୍ରେଣୀରେ ବାଳିକାମାନଙ୍କ ସହ ବୈଠକ କରି ଋତୁସ୍ରାବ ସମୟରେ ସ୍ୱଚ୍ଛତା ରକ୍ଷା କରିବାର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିଥିଲେ। ମହିଳାମାନଙ୍କ ଗୃହ ପରିଦର୍ଶନ ଓ ଆଲୋଚନା ମାଧ୍ୟମରେ ଋତୁସ୍ରାବର ସ୍ୱଚ୍ଛତା ବିଷୟରେ ଶିକ୍ଷା ଦେବାରେ ସଫଳ ହୋଇଥିଲା। ଛାତ୍ରଛାତ୍ରୀଙ୍କ ସହଯୋଗରେ ଆୟୋଜିତ ଏକ କ୍ଷୁଦ୍ର ଶୋଭାଯାତ୍ରା ଦୈନନ୍ଦିନ ଯୋଗ ଅଭ୍ୟାସର ଉପକାରିତା ବିଷୟରେ ଲୋକଙ୍କୁ ସଚେତନତା କରିଥିଲା।

ଏଠାରେ ସୂଚନାଯୋଗ୍ୟ ଯେ, ଜୁନାଗଡ଼ ବ୍ଲକରେ ନିକଟରେ ହୋଇଥିବା ଏକ ସର୍ବେକ୍ଷଣରେ ଆଶ୍ଚର୍ଯ୍ୟଜନକ ପରିସଂଖ୍ୟାନ ସାମ୍ନାକୁ ଆସିଛି: ଋତୁସ୍ରାବ ବେଳେ ସ୍ୱଚ୍ଛତା ବଜାୟ ରଖିବା, ସାନିଟାରୀ ପ୍ୟାଡ୍ ବଦଳରେ କପଡା ବ୍ୟବହାର କରିବା, ନିଜ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିବା ଏବଂ ଭବିଷ୍ୟତରେ ଜଟିଳତାର ସମ୍ମୁଖୀନ ହେବା ଆଦି କ୍ଷେତ୍ରରେ ଅଧିକାଂଶ କିଶୋରୀ ବାଳିକା ଓ ମହିଳାମାନେ ଆହ୍ଵାନର ସମ୍ମୁଖୀନ ହେଉଛନ୍ତି। ତେଣୁ ସଚେତନତା ଓ ଶିକ୍ଷାର ଆବଶ୍ୟକତା ନିରୂପଣ କରି ଏହି ଅଭିଯାନ ଋତୁସ୍ରାବ ବେଳେ ସ୍ୱଚ୍ଛତା ଅଭ୍ୟାସ ସହ ଜଡିତ ସ୍ୱାସ୍ଥ୍ୟଗତ ବିପଦ ଉପରେ ଆଲୋକପାତ କରିବାର ଲକ୍ଷ୍ୟ ରଖିଥିଲା। ଏଥିରେ ସାନିଟାରୀ ପ୍ୟାଡ୍ ବ୍ୟବହାରର ଲାଭ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା।

ମାସିକ ଋତୁସ୍ରାବର ସ୍ୱଚ୍ଛତା ବଜାୟ ରଖିବା ଏବଂ ଅପରିଷ୍କାର ସାମଗ୍ରୀ ବ୍ୟବହାର ଯୋଗୁଁ ସମ୍ଭାବ୍ୟ ବିପଦ ବିଷୟରେ ସଚେତନତା ଉପରେ ଏହି ଅଭିଯାନ ଗୁରୁତ୍ୱାରୋପ କରିଥିଲା। ଆଲୋଚନାଚକ୍ର ଓ ସୂଚନାପୂର୍ଣ୍ଣ ପାମ୍ପଲେଟ୍ ବଣ୍ଟନ ମାଧ୍ୟମରେ ମାସିକ ରୁତୁସ୍ରାବ ସମ୍ବନ୍ଧୀୟ ପାରମ୍ପରିକ ଭୁଲ ଧାରଣାକୁ ଦୂର କରିବା, ଜନସାଧାରଣଙ୍କ ମଧ୍ୟରେ ଏକ ଖୋଲା କଥାବାର୍ତ୍ତାର ସୁଯୋଗ ସୃଷ୍ଟି କରିବା ପାଇଁ ପଦକ୍ଷେପ ନିଆଯାଇଥିଲା। ସ୍ୱାସ୍ଥ୍ୟଗତ ବିପଦ ଉପରେ ଆଲୋକପାତ, ସଠିକ ସ୍ୱଚ୍ଛତା ଅଭ୍ୟାସ ଉପରେ ଶିକ୍ଷା, ସାନିଟାରୀ ପ୍ୟାଡର ଉପଲବ୍ଧତା ଏବଂ ସୁଲଭତା ଉପରେ ଆଲୋଚନା, ଋତୁସ୍ରାବ ବିଷୟରେ ଖୋଲା ବାର୍ତ୍ତାଳାପକୁ ପ୍ରୋତ୍ସାହିତ କରିବା ତଥା ଋତୁସ୍ରାବର ସ୍ୱଚ୍ଛତା ଉତ୍ପାଦ ପାଇଁ ପରିବେଶ ଅନୁକୂଳ ବିକଳ୍ପ ଅନୁସନ୍ଧାନ କରିବା ଦିଗରେ ଏହି ଅଭିଯାନରେ ପ୍ରୟାସ କରାଯାଇଥିଲା।