ମୁନିଗୁଡା: ୩୦।୧୨: (ରମାକାନ୍ତ ପଡାଲ)ଚତୁର୍ଥ ବାଟାଲିୟନ ସିଆରପିଏଫ ଦ୍ଵାରା ଡିମିରିଗୁଡା ସିଆରପିଏଫ କ୍ୟାମ୍ପ ପରିସରରେ ଜନ ସମ୍ପର୍କ କାର୍ଯ୍ୟକ୍ରମ ସହ ଏକ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚତୁର୍ଥ ବାଟା ଲିୟନ୍ କମାଣ୍ଡାଣ୍ଟ ଶ୍ରୀ ମନୋଜ କୁମାର ଯାଦବ ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବରିଷ୍ଠ ଚିକିତ୍ସା ଅଧିକାରୀ ଚନ୍ଦ୍ରଶେଖର ପଟେଲ, କମ୍ପାନୀ କମାଣ୍ଡର ବି .ଅଜୟ କୁମାର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସନ୍ତୋଷ ସୁନା, ସରପଞ୍ଚ ଡିମିରଗୁଡା ଚୁମୁକି ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ସିଭିକ୍-ଆକ୍ସନ୍ ପ୍ରୋଗ୍ରାମ ସମୟରେ ଚତୁର୍ଥ ବାଟାଲିୟନ ସିଆରପିଏଫ୍ ପକ୍ଷରୁ ପୋର୍ଟେବଲ୍ ୱାଟର ଫିଲ୍ଟର (ଇଲେକ୍ଟ୍ରିକ୍) ଗରିବ ଏବଂ ଅଭାବୀ ଲୋକଙ୍କୁ ଦ୍ୱାରା ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରଘୁବାରୀ ଡିମିରିଗୁଡ଼ାର ପଞ୍ଚାୟତର ବିଭିନ୍ନ ଗ୍ରାମର ଲୋକମାନେ ଉପସ୍ଥିତ ରହିଥିବା ବେଳେ ସେମାନଙ୍କ ପାଇଁ ମାଗଣା ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା। ଉପାନ୍ତ ଅଞ୍ଚଳର ସାଧାରଣ ଜନତାଙ୍କୁ ନିକଟତର କରିବା ସହ ସେମାନଙ୍କୁ ସଚେତନତା କରିବା ଓ ଗ୍ରାମବାସୀଙ୍କ ମଧ୍ୟରେ ଆନ୍ତରିକ ସମ୍ପର୍କ ସ୍ଥାପନ କରିବା

ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଧେଶ୍ୟ ବୋଲି କମାଣ୍ଡାଣ୍ଟ ଶ୍ରୀ ଯାଦବ ଜଣାଇଥିବା ବେଳେ ଗ୍ରାମବାସୀଙ୍କୁ ସମୟ ସମୟରେ ଡାକ୍ତରୀ ପରାମର୍ଶ କରି ଔଷଧ ସେବନ କରିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଡାକ୍ତର ମାନେ ଉପସ୍ଥିତ ରହି ଅଞ୍ଚଳ ବାସୀଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେଇଥିବା ବେଳେ ୪ର୍ଥ ବାଟାଲିୟନ୍ ସିଆରପିଏଫ୍ ପକ୍ଷରୁ ପାଣି ଫିଲ୍ଟର ଯନ୍ତ୍ର ଓ ନିଶୁଳ୍କ ଔଷଧ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଡିମିରିଗୁଡ଼ାରେ ଥିବା ସମସ୍ତ ଚତୁର୍ଥ ବାଟାଲିୟନ ସିଆରପିଏଫ ଯବାନ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।