 
									ରାଇରଙ୍ଗପୁର(ଶ୍ଯାମଳେନ୍ଦୁ ପରିଡା)ମୟୂରଭଞ୍ଜ ଜିଳ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ସ୍ଥାନୀୟ ଅଳାଁଡୁବା ଅଧିନରେ ଥିବା ଗୋଶାଳା ଠାରେ ୬୯ତମ ଗୋପାଷ୍ଠମୀ ମହାସମାରୋହରେ ପାଳିତ ହୋଇଯାଇଛି I କାର୍ତ୍ତିକ ମାସ ଶୁକ୍ଳ ଅଷ୍ଠମୀ ତିଥି ଗୁରୁବାର ଦିନ ପବିତ୍ର ଗୋପାଷ୍ଠମୀ ଶୁଭଲଗ୍ନରେ ଗୋଶାଳା ପ୍ରାଙ୍ଗଣରେ ଥିବା ଶ୍ରୀ ହନୁମାନ ମନ୍ଦିର ପରିସରରେ ବିରାଜମାନ ଶ୍ରୀକୁଷ୍ଣ ଦେବଙ୍କ ନିକଟରେ ମୁଖ୍ଯ ପୁରୋହିତ ଦିନେଶ ଭରଦ୍ବାଜ, ସହଯୋଗୀ ମୁକେଶ ଦ୍ବିବେଦୀ, କର୍ତ୍ତାକର୍ତ୍ତୀ ମନୋଜ କୁମାର ଢଣଢଣିଆ ଓ ଶଶୀ ଢଣଢଣିଆ ଉପବେସନ କରି ପୂଜାର୍ଚ୍ଚନା କରିଥିଲେ I

ଉକ୍ତ ପାବନ ଦିନ ଅବକାଶରେ ଗୌମାତାମାନଙ୍କୁ ଗୁଡ, କଦଳୀ ତଥା ନାନାଦି ଖାଦ୍ଯ ଖୁଆଇବା ସହିତ ଗୌ ପୂଜନ କରାଯାଇଥିଲା I ଏକ ଆଧ୍ୟାତ୍ମିକ ବାତାବରଣରେ ଦେଖାଯାଇଥିଲା I ଏହାପରେ ପ୍ରସାଦ ସେବନ କରାଯାଇଥିଲା I ସଂନ୍ଧ୍ଯାବେଳା ୬୯ ତମ ଗେପାଷ୍ଠମୀ ମେଳା ଉପଲକ୍ଷେ ଏକ ସାଧାରଣ ବୈଠକ ଗୋଶାଳା କମିଟୀ ତରଫରୁ ଆୟୋଜିତ ହୋଇଥିଲା I

ଏଥିରେ ମୁଖ୍ଯଅତିଥି ଭାବେ ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ରାଜ କିଶୋର ଦାସ, ଭାରତୀୟ ଜନତା ପାର୍ଟି ରାଜ୍ଯ ସମ୍ପାଦକ ନବୀନ ରାମ, ରାଇରଙ୍ଗପୁର ଗୋଶାଳା କମିଟୀର ସଭାପତି ଗୌରୀଶଙ୍କର ସାରଡା, ସମ୍ପାଦକ ମୁକ୍ତିଲାଲ ଅଗ୍ରୱାଲା ଓ ମୁଖ୍ଯ କାର୍ଯ୍ଯନିର୍ବାହୀ ଅଶୋକ ଅଗ୍ରୱାଲା ପ୍ରମୁଖ ଯୋଗ ଦେଇଥିଲେ I

ସଭା ପ୍ରାରମ୍ଭ ପୂର୍ବରୁ ଅତିଥିଗଣଙ୍କୁ ପୁଷ୍ପଗୁଛ ଓ ଉପଢୋକନ ଦେଇ ସମ୍ମାନିତ କରାଯାଇଥିଲା I ଏଥିରେ ମୁଖ୍ଯଅତିଥି ଭାବେ ନବଚରଣ ମାଝୀ, ସମ୍ମାନିତ ଅତିଥି ପୂର୍ବତନ ବିଧାୟକ ରାଜ କିଶୋର ଦାସ ଓ ଭାରତୀୟ ଜନତା ପାର୍ଟିର ରାଜ୍ଯ ସମ୍ପାଦକ ନବୀନ ରାମ ଗୋଶାଳା କମିଟୀ କୁ ସାଧୁବାଦ ଦେବା ସହିତ ରାଇରଙ୍ଗପୁର ଗୋଶାଳାକୁ କେମିତି ଆହୁରି ଉନ୍ନତିତର କରାଯାଇପାରିବ ବୋଲି ଜଣାଇଥିଲେ I ଉକ୍ତ ଅବସରରେ ରାଇରଙ୍ଗପୁର ମାରୱାଡି ମହିଳା ସମିତି ର ସଭାପତି ମୀରା ଅଗ୍ରୱାଲା, ସମ୍ପାଦକ ମୀନା କେଡ଼ିଆ ଓ କୋଷାଧକ୍ଷ କିରନ ଅଗ୍ରୱାଲା ପ୍ରମୁଖ ମଞ୍ଚାସୀନ ହୋଇ ଘର ଘର ବୁଲି ସଂଗ୍ରହ କରିଥିବା ଗୁଡଲକ୍ ଫଣ୍ଡ ୨ ଲକ୍ଷ ୨୨ ହଜାର ଟଙ୍କା କୁ ରାଇରଙ୍ଗପୁର ଗୋଶାଳା କମିଟୀକୁ ଦାନ କରିଥିଲେ I

ଉକ୍ତ ଭବ୍ଯ ସଭାକୁ ଗୋଶାଳା କମିଟୀର ସଦସ୍ଯ ସୁନିଲ ଅଗ୍ରୱାଲା ପରିଚାଳନା କରିଥିବା ବେଳେ ଗୋଶାଳା କମିଟୀର ସଭାପତି ଗୌରୀଶଙ୍କର ସାରଡା ଧନ୍ଯବାଦ ଅର୍ପଣ କରିଥିଲେ I ରାଇରଙ୍ଗପୁର ଗୋଶାଳା କମିଟୀର ସମସ୍ତ ସଦସ୍ଯଗଣ ସହଯୋଗ କରିଥିଲେ I ଏହାପରେ ରାଇରଙ୍ଗପୁର ସହରସ୍ଥ ବିଭିନ୍ନ ବିଦ୍ଯାଳୟରୁ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା I ଏହାକୁ ଦେଖିବାକୁ ବହୁ ସଂଖ୍ଯାରେ ଲୋକେ ସ୍ଥାନୀୟ ତଥା ଦୂରଦୁରାନ୍ତରରୁ ଆସି ଯୋଗ ଦେଇଥିଲେ I
 
									
 
					