
ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ) ବାଲେଶ୍ୱର ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣାରେ କଂଗ୍ରେସ ଆଜି ଓଡିଶା ବନ୍ଦ ଡାକରା ଦେଇଛି । ବୌଦ୍ଧ ଜିଲ୍ଲାରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଦୋକାନ ବଜାର ସ୍ୱତଃପ୍ରବୃତ ଭାବେ ବନ୍ଦ ରହିଥିବା ବେଳେ କଂଗ୍ରେସ ନେତା ଓ କର୍ମୀ ପିକେଟିଂ କରୁଛନ୍ତି ।
ରାସ୍ତା ଉପରେ ହଜାର ହଜାର ଗାଡି ଅଟକି ରହିଛି । ଆଜି ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଂଟିଆ ବନ୍ଦ ପାଳନ କରାଯିବ । ସମସ୍ତ ସ୍କୁଲ, କଲେଜ, ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ଯାନବାହନ ଚଳାଚଳ ବନ୍ଦ ରହିଛି । ନୀରିହ କଲେଜ ଛାତ୍ରୀଙ୍କ ବ୍ୟବସ୍ଥାଗତ ହତ୍ୟାର ନ୍ୟାୟିକ ତଦନ୍ତ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ ଇସ୍ତଫା ଦାବିରେ କଂଗ୍ରେସ ଆନ୍ଦୋଳନ କରୁଛି ।
ବୌଦ୍ଧ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ର ଏବଂ ବରିଷ୍ଠ କଂଗ୍ରେସ ନେତାମାନଙ୍କ ଅଧ୍ୟକ୍ଷତାରେ ଆନ୍ଦୋଳନ ଜାରି ରହିଛି । ଶାନ୍ତି ଶୃଙ୍ଖଳା ପାଇଁ ବୌଦ୍ଧ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେହିପରି ଜିଲ୍ଲା ର ହରଭଙ୍ଗା, ପୁରୁଣାକଟକ, ଚାରିଛକରେ ମଧ୍ୟ ଓଡିଶା ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଥିଲା l ଏଠାରେ ମଧ୍ୟ ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ, ବେସରକାରୀ ଅନୁଷ୍ଠାନ ସହ ଗାଡିମୋଟର ବନ୍ଦ ଥିଲା l