ସୁବର୍ଣ୍ଣପୁର (ଅଜିତ କୁମାର ପୁଜାହାରୀ)ପ୍ରକୃତି ପୂଜା l ମାଟି ମାଁ ସହିତ ବୃକ୍ଷ ଉପାସନା । କେଉଁ ଆବହାମାନ କାଳରୁ ପଶ୍ଚିମ ଓଡିଶାର ଆଦିବାସି ସଂମ୍ପ୍ରଦାୟର ଲୋକେ ପାଳନ କରୁଛନ୍ତି ମାଁ କରମସାନି ପୂଜା l କୃଷି ଭିତିକ ଏହି ପର୍ବ ପାଳନ କଲେ ବର୍ଷର ଫସଲ ଭଲ ହେବା ସହିତ ଧନ, ଜନ , ଗୋପ ଲକ୍ଷ୍ମୀ ଚର୍ତୁବର୍ଗ ପ୍ରାପ୍ତି ହେବାର ବିଶ୍ୱାସ ରହିଛି l ଏଥି ପାଇଁ ଭାଦ୍ରବ ମାସରେ ଆଦିବାସୀ ସଂସ୍କୃତିର ଏହି ମହାନ ପର୍ବ ସୁବର୍ଣ୍ଣପୁର ଜିଲ୍ଲାର ପଡା ପଡାରେ ପାଳିତ ହୋଇଥାଏ l
ତୁହି ମାଁ କରମସାନି, ଅପୁତ୍ରିକ କେ ପୁତ୍ର ଦାନୀ,ଭାଦ୍ରବ ମାସ ଏକାଦଶୀ ତିଥିରେ ସୁବର୍ଣ୍ଣପୁର ଜିଲ୍ଲାର ପ୍ରତିଟି ଆଦିବାସୀ ପଡାରେ ଶୁଭେ ଏହି ଗୀତ l ଭାଦ୍ରବ ଶୁକ୍ଳ ପଂଚମୀ ତିଥିରୁ ଆରମ୍ଭ ହେଉଥିବା ଏହି ପର୍ବ ଶୁକ୍ଳ ଦ୍ୱାଦଶ ତିଥିରେ ନଗର ପରିକ୍ରମା ପରେ ପୂର୍ଣ୍ଣାହୁତି ହୁଏ l ମହାନଦୀରୁ ବାଲି ଆଣି ସାତ ପ୍ରକାର ଶସ୍ୟକୁ ସାତ ଦିନ ଆଗରୁ ଗଜା କରି ଜଙ୍ଗଲରୁ କରମା ଡାଳକୁ ବରଣ କରି ପ୍ରତିଷ୍ଠା କରାଯାଏ ପୂଜା ମଣ୍ଡପରେ l ଏକାଦଶୀ ତିଥି ରାତ୍ରୀରେ ସାତ ଭଉଣୀ ମାଇ ମୁଜୁଲିକୁ ଆଣି ମଡୁଆ ତଳେ ରଖି ସାତ ପ୍ରକାର ଫୁଲ, ସାତ ପ୍ରକାର ଫଳ, ଧୁପ, ଦୀପ ନୈବେଦ୍ୟ ଦେଇ ପୂଜା ଆରାଧନା କରି ଆବାହନ କରନ୍ତି ମାଁ କରମସାନିଙ୍କୁ l
ଏହି ପର୍ବର ମୂଖ୍ୟ ଆକର୍ଷଣ ହେଲା ଆଦିବାସୀ ମାନଙ୍କର କରମସାନି ନୃତ୍ୟ । ଧଂଙ୍ଗରା, ଧାଙ୍ଗିରୀ, ବୁଢା ବୁଢୀ ଠୁ ଆରମ୍ଭ କରି ଛୋଟ ପୁଅ ଝିଅ ସଭିଏଁ ମାନ୍ଦଲର ସୂରେ ସୂରେ ନାଚିଥାନ୍ତି ରାତିସାରା ମଡୁଆ ଚାରିପାଖରେ । କୃଷି ଭିତିକ କରମସାନି ପର୍ବ ପାଳନ କଲେ ମାଟି ମାଁ ବର୍ଷ ଯାକର ଆହାର ଦିଏ ବୋଲି ଆଦିବାସୀ ମାନଙ୍କର ବିଶ୍ୱାସ ରହିଛି ।
ଆଧୁନିକତାର ପ୍ରଭାବରେ ଆଜି ବି ମଳିନ ପଡିନାହିଁ କରମସାନି ପରଂମ୍ପରା । ଗାଁ ଗହଳୀ ଠୁ ଆରମ୍ଭ କରି ସହରରେ ରହୁଥିବା ଆଦିବାସୀ ସଂମ୍ପ୍ରଦାୟର ଲୋକେ ବଡ ଜାକ ଜମକର ସହିତ ପାଳନ କରୁଛନ୍ତି କରମସାନି ପର୍ବ l