ହରଭଙ୍ଗା (ଚିତ୍ତରଞ୍ଜନସିଂ).ପାହାଡ଼ ଉପରେ ଜନ ବସତି l ଘଞ୍ଚ ଜଙ୍ଗଲ ଭିତରେ ଏକୁଟିଆ ଜୀବନ l ବନ୍ୟ ହିଂସ୍ର ଜନ୍ତୁ ଙ୍କ ସଦା ସର୍ବଦା ଭୟ ଆତଙ୍କ ଭିତରେ ବିତୁଛି ଜୀବନ l ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ହରଭଙ୍ଗା ପଞ୍ଚାୟତ ଅନ୍ତର୍ଗତ ବଣ ପାହାଡ଼ ଘେରା ପାହାଡ଼ ଉପରେ ଗାଁ “ମାରାଡ଼ି” ଗାଁ ରେ ପୁରୁଷ ପୁରୁଷ ଧରି ବାସ କରି ଆସୁଛନ୍ତି ଆଦିମ ଅଧିବାସୀ l ବର୍ତମାନ ସମୟରେ 10ଗୋଟି ପରିବାର ର ପ୍ରାୟ 50ଜଣ ଜନ ବସତି ଗାଁ l ବିକାଶ ପ୍ରକ୍ରିୟା ରୁ ବଞ୍ଚିତ ଏହି ଗାଁ ମାରାଡ଼ି l

ନାଁ ଯେମିତି ଗ୍ରାମ ବାସୀଙ୍କ ଭାଗ୍ୟ ବି ସେମିତି l ଦୋଷ ଦେବେ କାହାକୁ l ନିଜ ଭାଗ୍ୟ ଆଦରି ଜୀବନ ବିତାଉଛନ୍ତି l ଗାଁ କୁ ଯିବାକୁ ହେଲେ ଅନ୍ୟୁନ 8କିଲୋମିଟର ପାହାଡ଼ ପାଦ ଚଲା ରାସ୍ତାରେ ଯିବାକୁ ପଡେ l ଆଜି ବି ହୋଇ ପାରିନି ସ୍ଥାୟୀ ରାସ୍ତା l ସାମାନ୍ୟ ସାଇକେଲ ଟିଏ ବି ଯାଇ ପାରିନି ଗାଁ କୁ l ଏ ପ୍ରକାର ପରିସ୍ଥିତି ରେ ବିକାଶ ର ଆଲୋକ ପହଂଚିବ କେମିତି l ରାସ୍ତା ନ ଥିବାରୁ ସମସ୍ତ ମୌଳିକ ସୁବିଧା ରୁ ବଞ୍ଚିତ ଉକ୍ତ ଗାଁ ର ଅଧିବାସୀ l ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ବହୁ ଦୂରରେ l

ପ୍ରକାଶ ଥାଉକି ଉକ୍ତ ଗ୍ରାମରେ 2020/21ଆର୍ଥିକ ବର୍ଷ ରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ଗ୍ରାମର ଅମ୍ବିକା ଯାନୀ, ବିଷ୍ଣୁ ଯାନୀ, ଉଦ୍ଧଵ ଯାନୀ, ରେବତୀ ଯାନୀ, ବଳଭଦ୍ର ଯାନୀ, ବୈଦେହୀ ଯାନୀ, ଭଞ୍ଜ ଯାନୀ ଆଦି 7ଜଣ ହିତାଧିକାରୀ ଘର ପାଇଥିଲେ ଓ ପ୍ରଥମ କିସ୍ତି ବାବଦ କୁ ଅଗ୍ରିମ ଅର୍ଥ ମଧ୍ୟ ସମସ୍ତ ହିତାଧିକାରୀ ଙ୍କ ବ୍ୟାଙ୍କ ଖାତାକୁ ଆସିଥିବା ମଧ୍ୟ ହିତାଧିକାରୀ ସ୍ୱୀକାର କରିଛନ୍ତି l ଦୀର୍ଘ ଦିନ ଧରି ହିତାଧିକାରୀ ଟଙ୍କା ପାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗୃହ ନିର୍ମାଣ କରି ପାରୁ ନାହାନ୍ତି l

ଗୃହ ନିର୍ମାଣ ରେ ବାଧକ ସାଜିଛି ରାସ୍ତା l ଦୀର୍ଘ 8କିଲୋମିଟର ମୁଣ୍ଡରେ ମୁଣ୍ଡାଇ, ବାଲି ଗୋଡି, ସିମେଣ୍ଟ, ରଡ଼ ଓ ଅନ୍ୟାନ୍ୟ ସାମଗ୍ରୀ ନେବା ସହଜ ସାଧ୍ୟ ନୁହେଁ l ଏଣୁ ଚିନ୍ତା ରେ ହିତାଧିକାରୀ l ଅନ୍ୟ ପଟେ ଗୃହ ନିର୍ମାଣ ବିଳମ୍ବ ହେଉଥିବା ରୁ ସରକାରୀ “ବୋନସ “ସାହାଯ୍ୟ ରୁ ବଞ୍ଚିତ ହେବା ନେଇ ଚିନ୍ତାରେ l ଏଣୁ ବ୍ଲକ ଓ ଜିଲ୍ଲା ପ୍ରଶାସନ ଉକ୍ତ ସମସ୍ତ ଘଟଣାକୁ ସ୍ୱତନ୍ତ୍ର ଦୃଷ୍ଟି ରଖି ଗ୍ରାମବାସୀ ଙ୍କ ସମସ୍ୟା କୁ ସମାଧାନ କରିବା ପାଇଁ ଗ୍ରାମବାସୀ ଦାବି କରୁଛନ୍ତି l