ଭୁବନେଶ୍ୱର(କିଶୋର ଦ୍ଵିବେଦୀ )ସୁନାମଧନ୍ୟ ସୂଚନା ବୈଜ୍ଞାନିକ ଏବଂ ବରିଷ୍ଠ ଆଇନଜିବୀ ଉମାକାନ୍ତ ଜେନାଙ୍କର ଆସନ୍ତା ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାର ସମ୍ଭାବନା ଉଜ୍ଜ୍ବଳ ବୋଲି ଜଣାଯାଇଛି। ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋଲମପୁର ଗ୍ରାମର ମୂଳବାସିନ୍ଦା ଶ୍ରୀ ଜେନା ଭଣ୍ଡାରିପୋଖରୀ କିମ୍ବା ପଡ଼ୋଶୀ କୋରେଇ ଆସନକୁ ପରିନିଧିତ୍ଵ କରିବା ନେଇ ସ୍ଥାନୀୟ ଜନମତ ଜୋରଦାର ହେବାରେ ଲାଗିଛି। ରାଜନୀତିରେ ସତେଜ ଚେହେରା, ସ୍ୱଚ୍ଛ ଭାବମୂର୍ତ୍ତି, ପାରଦର୍ଶିତା ପୂର୍ଣ୍ଣ ପେଶାଦାରୀ ଯୋଗ୍ୟତା ଏବଂ ପ୍ରଯୁକ୍ତିବିଦ୍ୟା ସଚେତନ ପୃଷ୍ଠଭୂମି ଯୋଗୁଁ ଭୋଟଦାତାମାନେ ଶ୍ରୀ ଜେନାଙ୍କର ପ୍ରାର୍ଥୀତ୍ଵକୁ ଖୁବ ପସନ୍ଦ କରୁଛନ୍ତି।

ବହୁବିଧ ପ୍ରତିଭାର ଅଧିକାରୀ, ଶ୍ରୀ ଜେନା ଗଣିତ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ଏବଂ ଆଇନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ନୂଆଦିଲ୍ଲୀର ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର(ଏନ.ଆଇ.ସି) ଠାରେ ସୂଚନା ବୈଜ୍ଞାନିକ ଏବଂ ପ୍ରଶାସନ ତଥା ଆଇନ ବିଭାଗର ମହାପ୍ରବନ୍ଧକ ଭାବରେ ତାଙ୍କର ଦୀର୍ଘ ଅଭିଜ୍ଞତା ରହିଛି। ଏହି ସମୟକାଳ ମଧ୍ୟରେ ସେ ପାଖାପାଖି ୩୫୦୦ କୋଟି ଟଙ୍କା ମୂଲ୍ୟର ୧୧୦୦ଟି ରୁ ଅଧିକ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି। ଭାରତ ସରକାରଙ୍କ ଅଧୀନରେ ୩୪ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଶ୍ରୀ ଜେନା ଓଡ଼ିଶା, ମହାରାଷ୍ଟ୍ର, ଦିଲ୍ଲୀ, ପଞ୍ଜାବ, ଚଣ୍ଡୀଗଡ଼, ହରିୟାଣା, ଗୋଆ, ଡାମନ ଓ ଡିଉ ଆଦି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଦକ୍ଷତାର ସହ କାର୍ଯ୍ୟକରି ବେଶ ସୁନାମ ଅର୍ଜନ କରିଛନ୍ତି।

ଏକାଧାରରେ ସେ ଜଣେ କୁଶଳୀ ଯୋଜନା ରଣ କୌଶଳ ପ୍ରସ୍ତୁତକାରୀ, ଭିତ୍ତିଭୂମି ଉନ୍ନୟନକାରୀ, ବ୍ୟବସାୟ ବିକାଶକାରୀ ଓ ସଫଳ ପ୍ରକଳ୍ପ ପ୍ରଣୟନକାରୀ ଭାବରେ ପରିଚିତ। ସୂଚନା ଅଧିକାର ବ୍ୟାପାର ପରିଚାଳନା, ଟିମ୍ ସଂଯୋଜନା, ଲିଆସନିଂ, ଲଜିଷ୍ଟିକସ୍ ଆୟୋଜନ, କାର୍ଯ୍ୟକ୍ରମ ରୂପାୟନ ଏବଂ ଏହାକୁ ସୂଚାରୁ ରୂପେ ସମାପନ କରିବା ତଥା ସାଙ୍ଗଠନିକ ନେତୃତ୍ୱ ପ୍ରଦାନ କରିବାରେ ମଧ୍ୟ ସେ ସିଦ୍ଧହସ୍ତ। ଭାରତବର୍ଷର ପ୍ରାଣକେନ୍ଦ୍ର କୁହାଯାଉଥିବା ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ଲୋକସଭା, ରାଜ୍ୟସଭା ଓ କ୍ୟାବିନେଟ୍ ସଚ୍ଚିବାଳୟ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଶ୍ରୀ ଜେନାଙ୍କର ତତ୍ତ୍ଵାବଧାନରେ ଆଇ.ସି.ଟି ପ୍ରକଳ୍ପ ମାନ ପ୍ରତିଷ୍ଠା କରାଯାଇଛି।

ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ଅଧିଷ୍ଠିତ ହୋଇ ଶ୍ରୀ ଜେନା ସମାଜ ସେବା, ସାଂସ୍କୃତିକ ପ୍ରୋତ୍ସାହନ ଏବଂ ସମ୍ପ୍ରଦାୟ କଲ୍ୟାଣ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଯୋଗଦାନ ଦେଇଛନ୍ତି। ଏ ମଧ୍ୟରେ ଏନ.ଆଇ.ସି କର୍ମଚାରୀ ସମବାୟ ସଂଘର ସମ୍ପାଦକ ଓ ସଭାପତି, ସର୍ବଭାରତୀୟ ଏନ.ଆଇ.ସି ଅଫିସର ସଂଘର ପୂର୍ବତନ ସାଧାରଣ ସମ୍ପାଦକ ଓ କୋଷାଧ୍ୟକ୍ଷ, ଦି ଇଣ୍ଟେଲେକ୍ଟସ୍ ର ସହ ଆବାହକ, ୱାର୍ଲଡ୍ ଓଡ଼ିଶା ସୋସାଇଟିର ନୂଆଦିଲ୍ଲୀ ଓ ଏନ.ସି.ଆର ଶାଖାର ମୁଖ୍ୟ ସଂଯୋଜକ, କେନ୍ଦ୍ର କର୍ମଚାରୀ ଆବାସିକ କଲ୍ୟାଣ ସଂଘର ପୂର୍ବତନ ସାଧାରଣ ସମ୍ପାଦକ, ବସୁନ୍ଧରାସ୍ଥିତ ଉତ୍କଳ ସମାଜର ଉପସଭାପତି, ନୂଆଦିଲ୍ଲୀର ଦ୍ୱାରକାସ୍ଥିତ ଜଗନ୍ନାଥ ସେବା ସଂଘର ସାଧାରଣ ସମ୍ପାଦକ ଏବଂ କଳିଙ୍ଗ ଭାରତୀ ଫାଉଣ୍ଡେସନର ସଂଯୋଜକ ଆଦି ଅନ୍ତର୍ଭୁକ୍ତ।

ଜଣେ କର୍ମଠ, ସଚ୍ଚୋଟ, ଉତ୍ସର୍ଗୀକୃତ, ଦରଦୀ, ପରୋପକାରୀ, ମିଷ୍ଟଭାଷୀ, ବିଶ୍ୱାସଯୋଗ୍ୟ, ଭରସା ସମ୍ପନ୍ନ ଏବଂ ଦାୟିତ୍ବବାନ ବ୍ୟକ୍ତିତ୍ୱର ଅଧିକାରୀ ଶ୍ରୀ ଜେନାଙ୍କର  ତୃଣମୂଳ ସ୍ତରରେ କାର୍ଯ୍ୟ କରିବା ନେଇ ବିଶେଷତା, ତତକ୍ଷଣାତ୍ ନିଷ୍ପତ୍ତି ନେବା ନେଇ ବିଚକ୍ଷଣତା ଏବଂ ଅସାଧାରଣ ସାଙ୍ଗଠନିକ ଦକ୍ଷତା ରହିଛି। ୧୯୭୬ ମସିହାରେ ଶ୍ରୀ ଜେନାଙ୍କର ପ୍ରଚେଷ୍ଟାରେ ତାଙ୍କର ନିକଟବର୍ତ୍ତୀ ଗ୍ରାମ ମଣିନାଥପୁର ଠାରେ ଏକ ଉଚ୍ଚ ବିଦ୍ୟାଳୟ ସ୍ଥାପନା କରାଯିବା, ସେହି ଇଲାକାର ଶିକ୍ଷାର ପ୍ରଚାର ପ୍ରସାର ନେଇ ଖୁବ ସୁଦୂରପ୍ରସାରି ପଦକ୍ଷେପ ଥିଲା। ଭୟଙ୍କର କରୋନା ମହାମାରୀ ସମୟରେ ଶ୍ରୀ ଜେନାଙ୍କର ଅସାଧାରଣ ଉଦଯୋଗ ଫଳରେ ଶହ ଶହ ମୂଲ୍ୟବାନ ଜୀବନକୁ ଆସନ୍ନ ମୃତ୍ୟୁ ମୁଖରୁ ରକ୍ଷା କରାଯାଇ ପାରିଥିଲା। ରାଜନୈତିକ ପର୍ଯ୍ୟବେକ୍ଷକ ମାନଙ୍କ ମତରେ ଶ୍ରୀ ଜେନା ଯେ କୌଣସି ରାଜନୈତିକ ଦଳ ପାଇଁ ନିଶ୍ଚିତ ଭାବରେ ଦୁର୍ଲଭ ସମ୍ପଦ ଭାବେ ପରିଗଣିତ ହେବେ।

ନିଜର ଅନନ୍ୟ କାର୍ଯ୍ୟଦକ୍ଷତା ଏବଂ ଉଲ୍ଲେଖନୀୟ ସେବା ପାଇଁ ଶ୍ରୀ ଜେନା ବହୁ ସମ୍ମାନସ୍ପଦ ପୁରସ୍କାର ହାସଲ କରିଛନ୍ତି। ଏ ମଧ୍ୟରେ ରାଷ୍ଟ୍ରୀୟ ଏକତା ସମ୍ମାନ, ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ସମ୍ବର୍ଦ୍ଧନା, କରୋନା ଯୋଦ୍ଧା ସମ୍ମାନ, ରାଷ୍ଟ୍ରପତିଙ୍କର ଉପସ୍ଥିତିରେ ଡିଜିଟାଲ ଇଣ୍ଡିଆ ପୁରସ୍କାର ଉତ୍ସବ ଅବସରରେ ସମ୍ବର୍ଦ୍ଧନା ଏବଂ ସର୍ବଜନ ସୁଖାୟ ସେବା ସମିତି ଦ୍ଵାରା ସମାଜ ସେବା ସମ୍ମାନ ଆଦି ଅନ୍ୟତମ। ନିର୍ବାଚନୀ ବିଶାରଦ ମାନଙ୍କର ପୂର୍ବାନୁମାନ ଅନୁଯାୟୀ ଶ୍ରୀ ଜେନାଙ୍କର ଗତିଶୀଳ, କର୍ମ କୁଶଳୀ ଓ ଗରିବପ୍ରେମୀ  ଦୃଷ୍ଟିଭଙ୍ଗୀ ଯୋଗୁଁ ତାଙ୍କ ପକ୍ଷରେ ଆଗାମୀ ନିର୍ବାଚନ ବୈତରଣୀ କୁ ସଫଳତାର ସହିତ ପାରି ହେବାର ଅପାର ସକ୍ଷମତା ମହଜୁଦ ରହିଛି।