ମୁନିଗୁଡା : (ରମାକାନ୍ତ ପୋଡାଲ )ଦୀର୍ଘ ବର୍ଷ ଧରି ଭଙ୍ଗା ଦଦରା ହୋଇ ଅବହେଳିତ ଅବସ୍ଥାରେ ପଡି ରହିଛି କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ବିଭାଗର ଝିଲିମୁଣ୍ଡା ଚେକଡ୍ୟାମ। ବନ୍ଧ ଶୁଖିଲା ପଡିଥିବା ବେଳେ କେଉଁଠି ପାଇପ ଫାଟିଛିତ ଆଉ କେଉଁଠି କେନାଲ ବନ୍ଦ ହୋଇ ପାଣି ଆଉ ଚାଷ ଜମିକୁ ମାଡୁ ନାହିଁ। ଯାହା ଫଳରେ ଦୁଇ ହଜାର ଏକର ଜମି ପଡିଆ ପଡୁଥିବା ବେଳେ ୨୦୦ ଚାଷୀ କୂଳ ଚାଷ ନକରି ମୁଣ୍ଡରେ ହାତ ଦେଇ ବସିଛନ୍ତି।

ଦୀର୍ଘ ୧୦ ବର୍ଷ ବିତି ଗଲାଣି ଚାଷୀ ମାନେ କେବଳ ବର୍ଷା ଉପରେ ନିର୍ଭର କରିଆସୁଥିବା ବେଳେ ଠିକ ଭାବେ ମୌସୁମୀ ବର୍ଷା ନହେବା ଦ୍ଵାରା ଚାଷୀ ମାନେ ଆତଙ୍କିତ ଅବସ୍ଥାରେ ରହିବା ସହ ଚାଷୀ କୂଳକୁ ବହୁ କ୍ଷତି ସହିବାକୁ ପଡୁଥିବା ଅଞ୍ଚଳ ଚାଷୀ ମାନେ ଅଭିଯୋଗ କରିଛନ୍ତି।।ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାୟଗଡ଼ା ଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରି ଆସୁଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟକ୍ଷମ ହୋଇପାରିନାହିଁ।

ଉକ୍ତ ବିଷୟରେ ଜଳ ସମ୍ପଦ ବିଭାଗ ମୁନିଗୁଡା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲୀପ କୁମାର ମିଶ୍ରଙ୍କୁ ଯୋଗା ଯୋଗ କରିବାରୁ ଖୁବ ଶୀଘ୍ର ଉକ୍ତ ସ୍ଥାନକୁ ଯାଇ ତଦନ୍ତ କରିବା ସହ ସମସ୍ୟାର ସମାଧାନ କରିବାକୁ ସୂଚନା ଦେଇଛନ୍ତି। କେବେ ଏହି ଝିଲିମୁଣ୍ଡା ଚେକଡ୍ୟାମର ପୁନରୁଦ୍ଧାର ହେବ ଓ କେବେ ଚାଷୀ ମାନେ ଉପକୃତ ହୋଇପାରିବେ ତାହା ଦେଖିବାକୁ ବାକି ରହିଲା।