ଭବାନୀପାଟଣା: (ନରେନ୍ଦ୍ର ନେଗୀ)ଚାରି ଦଫା ଦାବି ନେଇ କଳାହାଣ୍ଡି ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ପ୍ରାଣୀ ଚିକିତ୍ସକ ସାମୁହିକ ଛୁଟି ନେଇ ଭବାନୀପାଟଣା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବସିଛନ୍ତି l ଫଳରେ ପ୍ରାଣୀ ଚିକିତ୍ସା ସେବା ବ୍ୟାହତ ହୋଇଛି l ଯାହାକୁ ନେଇ ଚାଷୀ ମାନେ ଚିନ୍ତିତ ହୋଇ ପଡିଛନ୍ତି l

ସୂଚନାନୁଯାୟୀ, ପ୍ରାଣୀ ଚିକିତ୍ସକ ମାନେ ସେମାନଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ ସରକାରଙ୍କୁ ଦାବି କରି ଆସୁଛନ୍ତି l କିନ୍ତୁ ସରକାର ସେମାନଙ୍କ ଦାବି ଗୁଡିକୁ ଅଣଦେଖା କରୁଥିବା ଅଭିଯୋଗ କରିଛି ଓଡିଶା ପ୍ରାଣୀ ଚିକିତ୍ସକ ସଂଘ l ପୂର୍ବରୁ ମଧ୍ୟ ଗତ ମେ ମାସ ଚାରି ତାରିଖରେ ପ୍ରାଣୀ ଚିକିତ୍ସକ ମାନେ ସାମୁହିକ ଇସ୍ତଫା ପ୍ରଦାନ କରିଥିଲେ l ସେହି ସମୟରେ ଏକ ସ୍ୱତନ୍ତ୍ର ସଭାରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଣୀ ଚିକିତ୍ସକ ମାନଙ୍କ ସହ ଆଲୋଚନକରି କାର୍ଯ୍ୟରେ ଯୋଗଦାନ କରିବାପାଇଁ ନିବେଦନ କରାଯାଇଥିଲା l

ସମ୍ମାନ ରକ୍ଷା ପାଇଁ ପ୍ରାଣୀ ଚିକିତ୍ସକ ମାନେ କାର୍ଯ୍ୟରେ ଯୋଗ ଦେଇଥିଲେ l ଇତି ମଧ୍ୟରେ କିଛି ମାସ ବିତି ଯାଇଥିଲେ ମଧ୍ୟ ସେମାନଙ୍କ ଦାବି ପୂରଣ ନ ହେବାରୁ ଜାନୁଆରୀ୧୭ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ସାମୁହିକ ଛୁଟିରେ ରହିବା ପାଇଁ ଓଡିଶା ପ୍ରାଣୀ ଚିକିତ୍ସା ସେବା ସଂଘ ପକ୍ଷରୁ ଚେତାବନୀ ଦିଆ ଯାଇଥିଲା l ତାହା ପରେ ମଧ୍ୟ କୌଣସି ପଦକ୍ଷେପ ନିଆ ନ ଯିବାରୁ ପ୍ରାଣୀ ଚିକିତ୍ସକ ମାନେ ସାମୁହିକ ଛୁଟି ନେଇ ଭବାନୀପାଟଣା ଜିଲ୍ଲା ମୁଖ୍ୟ ପ୍ରାଣିଚିକିତ୍ସାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି l

ଦାବି ମାନଙ୍କ ମଧ୍ୟରେ ପ୍ରାଣୀ ଚିକିତ୍ସା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣ ଯଥା୨୪ ଘଣ୍ଟା ସେବା ବ୍ୟବସ୍ଥା, ବିଶେଷଜ୍ଞ ସେବା ବ୍ୟବସ୍ଥା, ଜଟିଳ ରୋଗାକ୍ରାନ୍ତ ପ୍ରାଣୀ ମାନଙ୍କ ସ୍ଥାନାନ୍ତର ବ୍ୟବସ୍ଥା, ନିଶୁଳ୍କ ସେବା l ଓଡ଼ିଶାରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକ ମାନଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକ ମାନଙ୍କସହ ସମାନ ପଦୋନ୍ନତି l ଓଡ଼ିଶାର ପ୍ରାଣୀ ଚିକିତ୍ସକମାନଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକ ମାନଙ୍କ ହାରରେ ଏନ ପି ଏ ପ୍ରଦାନ l

ରାଜ୍ୟରେ ପ୍ରାଣୀ ଗଣନା ଓ ଜନ ସାଧାରଣଙ୍କ ଆବଶ୍ୟକତା ଆଧାରରେ ଡାକ୍ତର ପଦବୀ ସୃଷ୍ଟି,ଡାକ୍ତର ନିଯୁକ୍ତି ଓ କ୍ୟାଡର ପୁନର୍ଗଠନ ଦାବି କରାଯାଇଛି l ଏହି ଦାବି ଗୁଡିକ ପୂରଣ ନ ହେବାଯାଏ ସାମୁହିକ ଛୁଟିରେ ରହିବା ପାଇଁ ସଂଘ ଚେତାବନୀ ଦେଇଛି l ଏପରିକି ସାମୁହିକ ଛୁଟିରେ ଥିବାରୁ ପ୍ରାଣୀ ଚିକିତ୍ସା ବ୍ୟାଘାତ ହେଉଥିବାରୁ ଚାଷୀ ମାନଙ୍କୁ ସହଯୋଗ କରିବା ପାଇଁ ସଂଘ ନିବେଦନ କରିଛି l