ହରଭଙ୍ଗା : (ଚିତ୍ତରଞ୍ଜନସିଂ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ବୁଢ଼ାଖୋଲ ଓ ମାତାକୁପା ଜଙ୍ଗଲରେ ମାଓବାଦୀ- ଯବାନ ଗୁଳି ବିନିମୟରେ ମାଓ ଶିବିର ଧ୍ବଂସ ଓ ବିପୁଳ ମାଓ ସାମଗ୍ରୀ ଜବତ l ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ମାତାକୁପା ଘାଟି ସୀମାରେ ଥିବା ବୁଢ଼ାଖୋଲ ଜଙ୍ଗଲରେ ବୁଧବାର ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା l ବୁଢ଼ାଖୋଲ ଓ ମାତାକୁପା ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବାସୂଚନା ପାଇ ଏସଓଜି ଯବାନ କୁମ୍ବିଙ୍ଗ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ l କୁମ୍ବିଙ୍ଗ ସମୟରେ ହଠାତ ମାଓବାଦୀମାନଙ୍କ ପକ୍ଷରୁ ଗୁଳି ଚାଳନା ହୋଇଥିଲା । ପରେ ଏସ୍‌ଓଜିଙ୍କ ପକ୍ଷରୁ ପାଲଟା ଗୁୁଳିଚାଳନା କରାଯାଇଥିଲା l ପ୍ରଥମେ ମାଓବାଦୀମାନଙ୍କୁ ଆତ୍ମସମର୍ପଣ ପାଇଁ କୁହାଯାଇଥିଲା l

ଏଥିରେ ମାଓବାଦୀମାନେ ଆତ୍ମସମର୍ପଣ ବଦଳରେ ଗୁଳି ବର୍ଷଣ କରିଥିଲେ l ଜବାବରେ ଏସଓଜି ଯବାନ କୁମ୍ବିଙ୍ଗ ଅପରେସନକୁ ଜୋରଦାର କରିଥିଲେ l ଏଥିରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ l କୁମ୍ବିଙ୍ଗ ଅପରେସନ ସମୟରେ ମାଓ କ୍ୟାମ୍ପ ଠାବ କରିଥିଲେ ଏସଓଜି ଯବାନ l କ୍ୟାମ୍ପରୁ ବିପୁଳ ପରିମାଣର ଆଇଇଡି ଲ୍ୟାଣ୍ଡ ମାଇନ, ବିଦ୍ୟୁତ ତାର, ଜିଲୋଟିନ ଆଦି ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି l ବୁଢ଼ାଖୋଲ ଓ ମାତାକୁପା ଜଙ୍ଗଲରେ ପ୍ରାୟ ୨୫ ରୁ ଅଧିକ ମାଓବାଦୀ ଥିବା ସୂଚନା ମିଳିଛି । ଗତ କାଲିର ଗୁଳି ବର୍ଷଣ ପରେ ଆଜି ସକାଳ ଠାରୁ ଗୁଳି ବିନିମୟ ବନ୍ଦ ରହିଛି l ସର୍ଚ୍ଚ ଅପରେସନକୁ ଜୋରଦାର ପାଇଁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୫ରୁ ୧୬ଟି ଏସଓଜି ଟିମ ଜଙ୍ଗଲ ଭିତରେ କନ୍ଧମାଳ ଓ ବୌଦ୍ଧ ଉଭୟ ପଟୁ କୁମ୍ବିଙ୍ଗ ସର୍ଚ୍ଚ ଅପରେସନ ଜାରି ରଖିଥିବା ଜଣାଯାଇଛି l

ପ୍ରକାଶଥାଉକି ଏହା ପୂର୍ବରୁ ଦୁଇ ଦୁଇଟି ମାଓ ଶିବିର ଧ୍ବଂସ କରାଯାଇଥିବା ବେଳେ ଏହା ତୃତୀୟ ମାଓ ଶିବିର ବୋଲି ସୂଚନା ରହିଛି l ଗତ ଡିସେମ୍ବର ମାସରେ ଜିଲ୍ଲାର ମନମୁଣ୍ଡା ଥାନା ଶଗଡା ଫାଣ୍ଡି ଅନ୍ତର୍ଗତ ନଳିକୁପା ଜଙ୍ଗଲ ଅଂଚଳରେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଥିବା ବେଳେ ଦୁଇଦିନ ଧରି ଉଭୟଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା l ଏଥିରେ ଯବାନମାନେ ମାଓ ଶିବିରକୁ ଧ୍ବଂସ କରି ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିଲେ l ଶେଷରେ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ l

ସେହିପରି ପୂର୍ବରୁ ଗୁନ୍ଦୁଲିଆ ଓ ଶଗଡା ପଂଚାୟତରେ ମଧ୍ୟ ସୁରକ୍ଷାକର୍ମୀ ଓ ମାଓବାଦୀ ଙ୍କ ମଧ୍ୟରେ ଗୁଳି ବିନିମୟ ହେବା ସହିତ ପୋଲିସ ଦ୍ୱାରା ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଥିଲା l ଜିଲ୍ଲାରେ ଏବେ କେକେବିଏନ ମାଓ ଡିଭିଜନ ସକ୍ରିୟ ଥିବା ବିଗତ ଦିନର ଘଟଣାରୁ ସ୍ପଷ୍ଟ ହୋଇଛି l ଏପରିକି ମାଓ ପୋଷ୍ଟର ମଧ୍ୟ ଦୁଇ ଦୁଇଥର ମନମୁଣ୍ଡା ଥାନା ଅଞ୍ଚଳରେ ମରାଯାଇଥିଲା। ଯାହାକି ଅଞ୍ଚଳରେ ଭୟଭୀତ ଅବସ୍ଥାରେ ଜନସାଧାରଣ । ଏହାକୁ ଗମ୍ଭିରତା ସହ ଗ୍ରହଣ କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣ ଦାବି କରିଛନ୍ତି।