ଭବାନୀପାଟଣା: (ନରେନ୍ଦ୍ର ନେଗୀ)ସ୍ଥାନୀୟ ବିକାଶ ଉଇସଡମ୍ ପାର୍କରେ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ କଳାହାଣ୍ଡି ଆନୁକୁଲ୍ୟରେ ଓ ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ ର ସହଯୋଗରେ ଇଷ୍ଟ ଜୋନ ବିଶ୍ୱବିଦ୍ୟାଳୟ ସ୍ତରୀୟ ପୁରୁଷ ଖୋ ଖୋ ପ୍ରତିଯୋଗିତା ଉଦ୍ଘାଟିତ ହୋଇ ଯାଇଛି। ଉଦ୍ଘାଟନୀ ଉତ୍ସବରେ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ ।

ସମ୍ମାନିତ ଅତିଥି ଭାବରେ ମେଜର ଡ଼ ଜୟଦେବ ସାହୁ, ସ୍ପୋର୍ଟସ କାଉନସିଲ ଅଧ୍ୟକ୍ଷ ଡ ଘନଶ୍ୟାମ ବେହେରା, ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ ଭବାନୀପାଟଣା ର ନିର୍ଦ୍ଦେଶକ ଡି.ରାମ କୁମାର, ଅନ୍ୟତମ ନିର୍ଦ୍ଦେଶକ ଡି.ଶ୍ୟାମ, ଏକାଡେମୀକ ଇନ୍ ଚାର୍ଜ ଶ୍ରୀମତୀ ଡି.ବିଜୟା ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ପ୍ରତିଯୋଗିତାରେ ସାତଗୋଟି ରାଜ୍ୟ – ଉତ୍ତର ପ୍ରଦେଶ , ବିହାର , ଝାଡ଼ଖଣ୍ଡ, ପଶ୍ଚିମ ବଙ୍ଗ, ମଣିପୁର, ତ୍ରିପୁରା ଓ ଓଡ଼ିଶାର ୩୯ ଟି ବିଶ୍ଵବିଦ୍ୟାଳୟରୁ ପ୍ରାୟ ୫୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି ।

ପ୍ରଥମେ ମଶାଲ ଶୋଭାଯାତ୍ରା ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଆଦିତ୍ୟ ପ୍ରଧାନ ଖେଳାଳିଙ୍କୁ ଶପଥ ପାଠ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ନିମନ୍ତେ ରବି ନାରାୟଣଙ୍କ ତତ୍ତ୍ଵାବଧାନରେ ରାଜ୍ୟର ୨୫ ଜଣ ଅଫିସିଆଲ୍ ଯୋଗ ଦେଇଥିବା ସୂଚନା ମିଳିଛି । ସହକାରୀ ପ୍ରଫେସର କୈଳାଶ ଚନ୍ଦ୍ର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ।