ଧର୍ମଗଡ: ୧୧/୧(ହେମନ୍ତ କୁମାର ମାଝୀ)ଅବଧି ସରି ୧୧ ମାସ ବିତିଲାଣି । କିନ୍ତୁ ରାସ୍ତା କାମ ସଂପୂର୍ଣ୍ଣ ହୋଇପାରୁନାହିଁ। କାମଟି ପୂର୍ତ୍ତ ବିଭାଗ ଅଧିନରେ ଥିବାବେଳେ ଜ୍ଯୋତିର୍ମୟ ସିଂ ନାମକ ଜନୈକ ଠିକାଦାର ଏହାର ନିର୍ମାଣ ଦାୟିତ୍ଵ ନେଇଛନ୍ତି। ଗତ ୨୦୨୨ ସେପ୍ଟେମ୍ବର ରେ ଆରମ୍ଭ ହୋଇ ଫେବୃଆରୀ ୨୦୨୩ ରେ କାମ ସଂପୂର୍ଣ୍ଣ ହେବା ଅବଧି ଲେଖାରହିଛି। ବାସ୍ତବତା କିନ୍ତୁ ଭିନ୍ନ ରହିଛି। ଅବଧି ସରିବାର ୧୧ ମାସ ବିତିଯାଇଥିଲେ ମଧ୍ୟ ରାସ୍ତା ଅଧପନ୍ତରିଆ ଅବସ୍ଥାରେ ରହିଛି।

ଯାହାକୁ ନେଇ ଅସନ୍ତୋଷ ବସ୍ତି ବାସିନ୍ଦା ଗୁରୁବାର ରାସ୍ତା ରୋକ କରିଥିଲେ।ସୂଚନା ଅନୁଯାୟୀ ଧର୍ମଗଡ ଜଗନ୍ନାଥ ପଡ଼ା ର ଏହି ରାସ୍ତାଟି ସହର ର ଏକ ପ୍ରମୁଖ ରାସ୍ତା। ଏହି ରାସ୍ତା ଉପରେ ୪ ଓ ୬ ନମ୍ବର ଦୁଇଟି ୱାର୍ଡ ର ପ୍ରାୟ ପାଞ୍ଚ ହଜାର ଲୋକ ନିର୍ଭର କରନ୍ତି। ତେବେ ଏହି ରାସ୍ତାଟି ଦୀର୍ଘ ଦିନ ଧରି ଭଙ୍ଗା ଦଦରା ଭାବେ ବହୁ ବର୍ଷ ଧରି ପଡ଼ି ରହିଥିଲା। ବିପଦ ସଙ୍କୁଳ ରାସ୍ତା ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ମାନ ଘଟୁଥିଲା। ବାରମ୍ବାର ଆପତ୍ତି ଅଭିଯୋଗ ପରେ ପୂର୍ତ୍ତ ବିଭାଗ ରାସ୍ତାଟି ନିଜ ଅଧୀନ କୁ ନେଇ ରାସ୍ତା ନିର୍ମାଣ କାର୍ଯ୍ଯ ଆରମ୍ଭ କରିଥିଲା।

ପ୍ରାୟ ୧କୋଟି ୯୭ ଲକ୍ଷ ବ୍ୟୟ ଅଟକଳ ରେ ଜୈନିକ ଠିକାଦାର ଏହାର ନିର୍ମାଣ କରିଥିଲେ। କିନ୍ତୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ନିକଟରେ ଥିବା ମୋଡ ପାଖରେ ରାସ୍ତା କାମ ନ କରି ଛାଡ଼ି ଦିଆଯାଇଛି। ରାସ୍ତା ଅସମ୍ପୂର୍ଣ୍ଣ ଥିବା ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ମାନ ଘଟୁଅଛି। ଆଗକୁ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ରାସ୍ତା ବାଇ ପାସ ଭାବେ ବ୍ୟବହାର କରାଯାଇଥାଏ। ରାସ୍ତା ନିର୍ମାଣ ସଂପୂର୍ଣ୍ଣ ହୋଇ ନ ଥିବାରୁ ଭିଡ଼ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ ହାନୀ ହେବା ସମ୍ଭାବନା ରହିଛି।

ଏଣୁ ତୁରନ୍ତ ଏହି ରାସ୍ତାକୁ ସଂପୂର୍ଣ୍ଣ କରିବା ପାଇଁ ଚିତ୍ତରଞ୍ଜନ ପଣ୍ଡା , ରାଜେନ୍ଦ୍ର ମୁନି, କେଦାର ପୃଷ୍ଟି , ସୁବାଷ ସାହୁ ପ୍ରମୁଖଙ୍କ ନେତୃତ୍ୱରେ ବସ୍ତିବାସିନ୍ଦାଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ନବକିଶୋର ବେହେରା, ସରକାରୀ ଉପ ଜିଲ୍ଲାପାଳ ଅଜୟ ତିର୍କି, ଅତିରିକ୍ତ ତହସିଲଦାର ଅଜିତ ମହନ୍ତ ପ୍ରମୁଖ ଘଟଣା ସ୍ଥଳରେ ଯାଇ ଆନ୍ଦୋଳନ କାରୀ ଙ୍କ ସହ ଆଲୋଚନା କରି ଜାନୁଆରୀ ୩୧ ତାରିଖ ସୁଦ୍ଧା ନିର୍ମାଣ ସାରିବା କୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ କରିଥିଲେ।ସମୟ ସୀମା ମଧ୍ୟରେ ପୂର୍ତ୍ତ ବିଭାଗ ରାସ୍ତା କାମ ସଂପୂର୍ଣ୍ଣ ନ କଲେ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାସ୍ତା ରୋକ ଜାରୀ ରହିବ ବୋଲି ଆନ୍ଦେଳନ କାରୀ ମାନେ ପ୍ରକାଶ କରିଥିଲେ ।