
ଭବାନୀପାଟଣା :୧୫/୧୨(ନରେନ୍ଦ୍ର ନେଗୀ)ପୋଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲ ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଆସି ମାଓ ଗତିବିଧି ଉପରେ ସମୀକ୍ଷା କରିଥିଲେ। ଗୁରୁବାର ଅପରାହ୍ନରେ ଭବାନୀପାଟଣା ପୋଲିସ ମୁଖ୍ୟାଳୟରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ମାଓବାଦୀ ଗତି ଵିଧି ସମ୍ପର୍କରେ ସମୀକ୍ଷା କରିଥିଲେ ।
ବିଶେଷକରି ରାଜ୍ୟର ୧୦ଟି ଜିଲ୍ଲାର ମାଓ ଗତିବିଧି ଏବଂ ତାର ମୁକାବିଲା ପାଇଁ ଗୃହ ବିଭାଗ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସଂକ୍ରାନ୍ତରେ ସେ ସମୀକ୍ଷା କରିଥିଲେ। ଏହି ସମୀକ୍ଷା ରେ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଏଡିଜି ଅପରେସନ ଦେବଦତ୍ତ ସିଂ, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମିନା, ଡିଆଇଜି ଇଣ୍ଟେଲିଜେନ୍ସ ଉମା ଶଙ୍କର ଦାସ ଏବଂ କଳାହାଣ୍ଡି ଏସପି ଅଭିଳାଷ ଜି ଙ୍କ ସମେତ ନୂଆପଡ଼ା, ନବରଙ୍ଗପୁର , ବଲାଂଗୀର, କନ୍ଧମାଳ ପ୍ରଭୃତି ଜିଲ୍ଲାର ଏସପି ଏବଂ ସିଆରପିଏଫ୍ ର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ସମୀକ୍ଷା ବେଳେ କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ମାଓବାଦୀ ଙ୍କ ସ୍ଥିତି ଏବଂ ତାର ମୁକାବିଲା ନେଇ ଆଲୋଚନା ହେଇଥିବା ଜଣାପଡିଛି।
ପରେ କଳାହାଣ୍ଡି ତଥା ଆଖପାଖ ଜିଲ୍ଲାରେ ସନ୍ତୋଷଜନକ ଭାବେ ମାଓ ମୁକାବିଲା କରାଯାଇଥିବା ଡିଜି ଶ୍ରୀ ବଂଶଲ ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଥିଲେ। ଏହାସହ କଳାହାଣ୍ଡି ଜିଲ୍ଲାକୁ ମାଓ ଅଧ୍ୟୁଷିତ ଜିଲ୍ଲା କୁହା ଯାଉଥିଲେ ମଧ୍ୟ ଜିଲ୍ଲାର କେତେକ ଅଞ୍ଚଳ ମାଓବାଦୀ ମାନଙ୍କ ଦ୍ୱାରା ପ୍ରଭାବିତ ଥିବା ପ୍ରକାଶ କରିଥିଲେ l