
ପୁରୀ :(ମନୋଜ କୁମାର ବଳିଆରସିଂ)ପବିତ୍ର ସ୍ନାନଯାତ୍ରା ପରେ ମହାପ୍ରଭୁ ଜ୍ଵରରେ ପୀଡ଼ିତ ହୋଇ ଅଣସର ପିଣ୍ଡିରେ ଅବସ୍ଥାନ କରିବେ । ଅନବସରେ ଭକ୍ତମାନେ ଚତୁଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିନପାରି ପଟିଦିଅଁଙ୍କୁ ପ୍ରତୀକ ଦର୍ଶନ କରିବାର ପରମ୍ପରା ରହିଛି । ଏଥିପାଇଁ ଚିତ୍ରକାର ସେବକଙ୍କ ଅନ୍ତିମ ସ୍ପର୍ଶ ଅପେକ୍ଷାରେ ରହିଛି ପଟ୍ଟିଦିଅଁ ପ୍ରସ୍ତୁତି । ଅନବସର ସମୟରେ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ, ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ମା’ ଦେବୀ ସୁଭଦ୍ରାଙ୍କ ସ୍ଥାନରେ ମା’ ଭୁବନେଶ୍ଵରୀଙ୍କ ପଟ୍ଟିଦିଅ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।
ଏହି ସମୟରେ ଦଇତାପତି ସେବକମାନେ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ବିଭିନ୍ନ ଆୟୁର୍ବେଦିକ ଉପଚାର ସହ ଗୁପ୍ତ ସେବା ସମାପାନ କରିଥାନ୍ତି । ସ୍ନାନଯାତ୍ରା ଦିନ ଶ୍ରୀବିଗ୍ରହମାନେ ବାହୁଡ଼ା ପହଣ୍ଡିରେ ଅଣସର ପିଣ୍ଡିକୁ ବିଜେ କରିବା ପରେ ଶ୍ରୀମନ୍ଦିରରୁ ଘଣ୍ଟ, ଛତା, କାହାଳୀ ବାଜି ଏକ ପଟୁଆର ଚିତ୍ରକର ସେବକଙ୍କ ଘରକୁ ଯାଇଥାଏ । ସେଠାରେ ଚିତ୍ରକର ପରିବାରର ମହିଳାମାନେ ପଟ୍ଟିଦିଅଁଙ୍କୁ ବନ୍ଦାପନା କରିବା ପରେ ଶ୍ରୀମନ୍ଦିରକୁ ବିଜେ କରିଥାନ୍ତି I ଶୀତଳଷଷ୍ଠୀ ଦିନ ପନ୍ତି ଭୋଗ ସରିବା ପରେ ଚିତ୍ରକର ସେବକମାନେ ବିଧ୍ ଅନୁଯାୟୀ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ରୁକ୍ମିଣୀ ହରଣ ଏକାଦଶୀ ଠାରୁ ପଟିରେ ରଙ୍ଗ ଦେଇ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି । ହେଙ୍ଗୁଳ, ହରିତାଳ, ଶଙ୍ଖ, ଦୀପକଳା, ଖଣ୍ଡନେଳି, ପଟା, ଗେରୁ, କଇଁଥ ଅଠା ଆଦି ପାରମ୍ପରିକ ରଙ୍ଗ ପଟ୍ଟିଦିଅଁଙ୍କ ଚିତ୍ରରେ ବ୍ୟବହାର କରାଯାଇଛି । ପ୍ରଥମେ ନୂଆ କନାରେ ଅଠା,ଖଡ଼ି ପ୍ରଲେପ ଦେଇ ଘସା ପଥର ଦ୍ବାରା ଘଷି ଘଷି ଚିକ୍କଣ କରିବା ସହ ପଟ୍ଟି ପ୍ରସ୍ତୁତ କରିଥାନ୍ତି।
ପଟ୍ଟିକୁ ଆଙ୍କିବା ପାଇଁ ଗେରୁ ରଙ୍ଗ ଟିପଣା କରାଯାଏ । ପଟ୍ଟ ପ୍ରସ୍ତୁତ ପରେ ଉକ୍ତ ପଟ୍ଟିରେ ଅନନ୍ତ ନାରାୟଣ, ଅନନ୍ତ ବାସୁଦେବ ଓ ଭୁବନେଶ୍ଵରୀଙ୍କ ପ୍ରତିକୃତି ଅଙ୍କନ କରାଯାଇଥାଏ । ଶ୍ରୀମନ୍ଦିର ଜୟବିଜୟ ଦ୍ବାର ନିକଟରେ ଖଟ ଉପରେ ମଦନମୋହନ, ରାମକୃଷ୍ଣ, ଶ୍ରୀଦେବୀ, ଭୂଦେବୀ, ମାଧବ ଓ ଶ୍ରୀ ନୃସିଂହଙ୍କ ସହ ପଟ୍ଟିଦିଅଁ ଙ୍କୁ ପୂଜା କରାଯାଇଥାଏ । ପଣାପ୍ରିୟା ସାହିର ଚିତ୍ରକର ସେବକ ମହାପ୍ରଭୁଙ୍କ ଅନନ୍ତ ନାରାୟଣ ପଟ୍ଟଚିତ୍ର ନିର୍ମାଣ କରୁଛନ୍ତି । ଶ୍ରୀବଳଭଦ୍ରଙ୍କ ଅନନ୍ତ ବାସୁଦେବ ଓ ମା’ ଦେବୀ ସୁଭଦ୍ରାଙ୍କ ସ୍ଥାନରେ ପୂଜିତ ହେବାକୁ ଥିବା ମା’ ଭୁବନେଶ୍ଵରୀ ପଟ୍ଟଚିତ୍ରକୁ ଚିତ୍ରକର ସାହିର ସେବକମାନେ ପ୍ରସ୍ତୁତ କରୁଛନ୍ତି । ଶୀତଳଷଷ୍ଠୀ ଠାରୁ ସ୍ନାନପୂର୍ଣ୍ଣିମା ପର୍ଯ୍ୟନ୍ତ ସପରିବାର ହବିଷ୍ୟାନ୍ନ ଖାଇ ଶୁଦ୍ଧପୁତ ଭାବେ ଚିତ୍ରକର ସେବକ ପଟିଦିଅଁ ପ୍ରସ୍ତୁତିରେ ନିଜକୁ ନିୟୋଜିତ କରିଛନ୍ତି। ବୁଧବାର ସ୍ନାନଯାତ୍ରା ପାଇଁ ଏବେ ଚିତ୍ରକର ସେବକମାନେ ପଟ୍ଟିଦିଅଁ ନିର୍ମାଣ କାର୍ଯ୍ୟରେ ନିମଗ୍ନ ରହିଥିବା ଦେଖାଯାଇଛି ।