
ବୌଦ୍ଧ (ଚିତ୍ତରଞ୍ଜନ ସିଂହ):-ନାହିଁ ନାହିଁରେ ଚାଲିଛି ବାଉଁଶୁଣି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, କେତେବେଳେ ବେଡ୍ ସମସ୍ୟା ହେଉକି ଆଉ କେତେବେଳେ ଡାକ୍ତର ସମସ୍ୟା। ବାଉଁଶୁଣି ଡାକ୍ତରଖାନାରେ ଏମିତି ଅନେକ ସମସ୍ୟା ରହିଥିବାରୁ ବାଉଁଶୁଣି ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ମନେ ହଉଛି। ଯାହାକି ବୁଧବାର ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ବରଗୋଛା ପଞ୍ଚାୟତ ଅନ୍ତର୍ଗତ ଚଉରାବାହାଲ ଗ୍ରାମର ଅଚ୍ୟୁତ ବାରିକଙ୍କ ନାବାଳିକା ଝିଅ ରିଶ୍ମା ବାରିକଙ୍କ (୧୭) ଦେହ ଖରାପ ଥିବାରୁ ଆଜି ସକାଳ ୮ ଘଣ୍ଟା ସମୟରେ ବାଉଁଶୁଣି ଡାକ୍ତରଖାନା ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ବାଉଁଶୁଣି ପୋଲିସକୁ ଖବର ଦେଇଥିଲେ । ହେଲେ ତାଙ୍କର ଶବ ବ୍ୟବଚ୍ଛେଦ ପାଇଁ ଦୀର୍ଘ ୬ ଘଣ୍ଟା ଅପେକ୍ଷା କରି ଶବ ପାଖରେ ବାପା ମାଆ କାନ୍ଦୁଥିଲେ ମଧ୍ୟ ଡାକ୍ତରଖାନା ମହାପ୍ରୟାଣ ଗାଡ଼ିର ଡ୍ରାଇଭର ନଥିବା କହି ଅଟକାଇଥିବାରୁ ପରିବାର ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଇଥିଲେ।
କୌଣସି ବ୍ୟକ୍ତିଗତ ଶବ ଗାଡ଼ିରେ ଟଙ୍କା ଖର୍ଚ୍ଚ କରି ନେବାପାଇଁ ତାଙ୍କର ସାମର୍ଥ୍ୟ ନଥିବାରୁ ମେଡ଼ିକାଲ ପରିସରରେ ଶବକୁ କାନ୍ଦୁଥିଲେ ବାପା ମାଆ। ଏ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ଖବର ପାଇ ବାଉଁଶୁଣି ମେଡ଼ିକାଲରେ ପହଞ୍ଚିଥିଲେ। ଉକ୍ତ ଘଟଣା ଗଣମାଧ୍ୟମରେ ପ୍ରସାରିତ ହେବା ପରେ ପ୍ରଶାସନ ତତ୍ପରତା ଦେଖାଇ ବୌଦ୍ଧରୁ ଏକ ମହାପ୍ରୟାଣ ଗାଡ଼ି ପଠାଇବାରେ ପରେ ଶବ ଉଠିଥିବା ଦେଖିବାକୁ ମିଳିଥିଲା।