ଭୁବନେଶ୍ଵର :  (ସଞ୍ଜୟ ମହାନ୍ତି ) ଦେଶରେ ସାଧାରଣ ନିର୍ବାଚନ ସରିବା ପରେ ଆସନ୍ତା ୪ ତାରିଖରେ ଭୋଟ ଗଣତି ହେବ। ଏହା ପୂର୍ବରୁ ୧ତାରିଖ ସନ୍ଧ୍ୟାରେ ବିଭିନ୍ନ ଜାତୀୟ ଗଣମାଧ୍ୟମଗୁଡ଼ିକ ପକ୍ଷରୁ ହୋଇଥିବା ଏକ୍‌‌ଜିଟ ପୋଲ ସର୍ବେକ୍ଷଣ ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଏନଡିଏ(ଜାତୀୟ ଗଣତାନ୍ତ୍ରିକ ମେଣ୍ଟ) ୩ୟ ଥର କେନ୍ଦ୍ରରେ ସରକାର ଗଠନ କରିବ ବୋଲି କୁହାଯାଇଛି। ଓଡ଼ିଶାରେ ଏଥର ସରକାର କିଏ ଗଢ଼ିବେ? ଶାସକ ଦଳ ୬ଷ୍ଠ ଥର ସରକାର ଗଢ଼ିବା ପାଇଁ ଯୋଜନା କରୁଥିବା ବେଳେ ମୁଖ୍ୟ ବିରୋଧୀ ଭାରତୀୟ ଜନତା ପାର୍ଟି ପଦ୍ମ ଫୁଟାଇବାକୁ ପ୍ରସ୍ତୁତ ଅଛି। ଓଡ଼ିଶାରେ ଅନ୍ତିମ ପର୍ଯ୍ୟାୟରେ ୭୪.୪୧ ପ୍ରତିଶତ ମତଦାନ ହୋଇଛି। ପୋଷ୍ଟାଲ ବାଲଟକୁ ବାଦ୍‌ ଦେଇ ୭୪.୪୧ ପ୍ରତିଶତ ମତଦାନ ହୋଇଥିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଂଜ ବିହାରୀ ଧଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଅନ୍ତିମ ପର୍ଯ୍ୟାୟରେ ମୟୂରଂଭଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା କ୍ଷେତ୍ର ଏବଂ ଏହାର ଅଧୀନ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ମତଦାତା ଭୋଟ୍‌ ଦେଇଥିଲେ। ଦିନକ ପରେ ଜଣାପଡ଼ିବ ଯେ, କାହା ହାତରେ ଶାସନର ଡୋର ରହିବ। ଆଜି ବିଭିନ୍ନ ଜାତୀୟ ସର୍ଭେ ସଂସ୍ଥାଗୁଡ଼ିକ ବୁଥ୍‌ ବାହୁଡ଼ା ମତ ପ୍ରକାଶ କରିଛନ୍ତି। ସର୍ଭେ ରିପୋର୍ଟ କହୁଛି ଏଥର ଓଡ଼ିଶା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ଭଲ ପ୍ରଦର୍ଶନ କରିବ। ବିଜୁ ଜନତା ଦଳକୁ ୨୦୧୯ ନିର୍ବାଚନ ତୁଳନାରେ ଭଲ ପ୍ରଦର୍ଶନ କରିବା‌ ନେଇ ସନ୍ଦେହ ଦେଖାଯାଇଛି।

ରାଷ୍ଟ୍ରୀୟ ଗଣମାଧ୍ୟମରେ ଓଡିଶାରେ ବିଜେପିର ଗ୍ରାଫ୍ ଉପରକୁ ଉଠିବା ନେଇ ଚର୍ଚ୍ଚା । ପ୍ରମୁଖ ଗଣମାଧ୍ୟମ ଇଣ୍ଡିଆ ଟୁଡେ ସାମ୍ନାକୁ ଆଣିଛି ବିଜେପିର ଭୋଟ ପ୍ରତିଶତ ବଢିବା ଓ ବିଜେଡିର କମିବା ଆଧାରରେ କେତେ ସିଟି କାହାର ହେବ ଆକଳନ କରିଛି । ରିପୋର୍ଟ ଅନୁସାରେ ନିର୍ବାଚନରେ ଯଦି ୫ ପ୍ରତିଶତ ଅଧିକ ଭୋଟ ବିଜେପି ସପକ୍ଷରେ ଯାଏ ତେବେ ବିଧାନସଭା ସିଟରେ ବଡ ପରିବର୍ତ୍ତନ ଆସିବ । ବିଜେପିକୁ ୬୭ଟି ସିଟ୍ ମିଳିପାରେ ।  ପାଞ୍ଚ ପ୍ରତିଶତ ବିଜେଡିର ଭୋଟ କମିଲେ ବିଧାନସଭା ସିଟ୍ ସଂଖ୍ୟା ୬୯କୁ ଖସି ଆସିବ ।

ଯେତେବେଳେକି ଦଳ ଏକାକୀ ସରକାର ଗଠନ କରିବାକୁ ଆଉ ସମର୍ଥ ହୋଇପାରିବନି । ଝୁଲା ବିଧାନସଭା ହୋଇପାରେ । କଂଗ୍ରେସକୁ ୧୧ଟି ବିଧାନସଭା ସିଟ୍ ମିଳିବ ବୋଲି ଆକଳନ ହୋଇଛି । ଯଦି ବିଜେପି ସପକ୍ଷରେ ୩ ପ୍ରତିଶତ ଅଧିକ ଭୋଟ ଆସେ ଦଳକୁ ୪୮ଟି ଆସନ ମିଳିବ । ବିଜେଡିର ୩ ପ୍ରତିଶତ ଭୋଟ କମିଲେ ବିଧାନସଭା ସିଟ୍ ସଂଖ୍ୟା ୮୮କୁ ଖସିଯିବ ।  କଂଗ୍ରେସ ୧୧ଟି ସିଟ୍ ପାଇବ ବୋଲି ଆକଳନ କରାଯାଇଛି । ଏଥର କିନ୍ତୁ ଭାରତୀୟ ଜନତା ପାର୍ଟି ସଂଖ୍ୟା ଗରିଷ୍ଠତା  ହାସଲ ନ କଲେ ମଧ୍ୟ  ସରକାର କରିବାକୁ ଚେଷ୍ଟା କରିବ । ତେବେ ଓଡ଼ିଶା ରେ ଏଥର ଘୋଡା ବେପାର ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ବିଭିନ୍ନ ମହଲ ରୁ ପ୍ରକାଶ ।  ତେବେ ଏଥିରେ ମୁଖ୍ୟ ପୁରୋଧା କିଏ ସାଜିବେ ତାହା ଦେଖିବା  ବାକି ରହିଲା ।