ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ) ନିର୍ବାଚନରେ ମତଦାନ ଏକ ମହାନ ପର୍ବ l ଜିଲ୍ଲାର ସମସ୍ତ ମତଦାତା ମତଦାନ କରିବାକୁ ବୌଦ୍ଧ ଜିଲ୍ଲାପାଳ ନିଜ ବାର୍ତ୍ତା ରେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ବୌଦ୍ଧ ଜିଲ୍ଲାରେ ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଜେ. ସୋନାଲଙ୍କ ନେତୃତ୍ୱରେ ସମ୍ପୂର୍ଣ୍ଣ ପ୍ରଶାସନ ତତ୍ପର ରହିଛି l ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା ପାଇଁ ଇତିମଧ୍ୟରେ ୪୧୧ ଜଣ ପ୍ରିଜାଇଂଡି ଅଫିସର , ୨୦୫୫ ଜଣ ପୋଲିଂ ଅଫିସର ଓ ୫୯ ଜଣ ସେକ୍ଟର ଅଫିସରଙ୍କୁ ତାଲିମ ଦିଆଯାଇଛି l

ଏହା ସହ ନିର୍ବାଚନ ନେଇ କିଛି ଅସୁବିଧା ଦେଖାଦେଲେ ସର୍ବସାଧାରଣଙ୍କ ପାଇଁ ୧୯୫୦ ହେଲପଲାଇନ ନମ୍ବର ଜାରି କରାଯାଇଛି । ନିର୍ବାଚନ ପାଇଁ ଏପ୍ରିଲ ୨୬ ତାରିଖ ରେ ବିଜ୍ଞପ୍ତି ଜାରି କରାଯିବା ପରେ ସେହିଦିନ ଠାରୁ ପ୍ରାର୍ଥୀ ମାନେ ସେମାନଙ୍କ ପ୍ରାର୍ଥୀ ପତ୍ର ଦାଖଲ କରିପାରିବେ । ମେ ମାସ ୩ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରିପାରିବେ। ମେ ୪ ତାରିଖ ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ l ମେ ୬ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇପାରିବ l ଜିଲ୍ଲା ରେ ମେ ୨୦ ତାରିଖରେ ଭୋଟ ଗ୍ରହଣ କରାଯିବ । ସମଗ୍ର ଦେଶ ସହିତ ବୌଦ୍ଧ ଜିଲ୍ଲାରେ ଜୁନ ୪ ତାରିଖରେ ଭୋଟ ଗଣତି କରାଯିବ l

ବୌଦ୍ଧ ସହରର ପଞ୍ଚାୟତ ମହାବିଦ୍ୟାଳୟରେ ଭୋଟ ଗଣତି କେନ୍ଦ୍ର ହୋଇଥିବା ବେଳେ ସେଠାରେ ଷ୍ଟ୍ରଙ୍ଗ ରୁମ ମଧ୍ୟ କରାଯାଇଛି । ରିଟର୍ଣ୍ଣିଙ୍ଗ ଅଧିକାରୀ ଭାବେ କଂଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟ ଭଞ୍ଜନ ମଦନ ମୋହନ ପାତ୍ର ଓ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନାଙ୍କୁ ଦାୟିତ୍ୱ ଦିଆଯାଇଛି । ନିର୍ବାଚନ ସମୟ ଯେହେତୁ ଗ୍ରୀଷ୍ମ ପ୍ରଭାବ ରହିଥିବ ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ସହ ଭୋଟର ଯେମିତି ଭୋଟ ଦେବା ସମୟରେ କିଛି ଅସୁବିଧା ନହୁଏ ସେଥିପ୍ରତି ମଧ୍ୟ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ।

ବୌଦ୍ଧ ଜିଲ୍ଲାରେ ୩ ଲକ୍ଷ ୩୪ ହଜାର ୧୫୮ ଜଣ ଭୋଟର ଥିବା ବେଳେ ସେଥିମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା ୧ ଲକ୍ଷ ୭୧ ହଜାର ୩୫୪ ଜଣ ଥିବା ବେଳେ ମହିଳା ଭୋଟର ସଂଖ୍ୟା ୧ ଲକ୍ଷ ୬୨ହଜାର ୭୯୫ ରହିଛି । ଜିଲ୍ଲା ରେ ମାତ୍ର ୯ ଜଣ ତୃତୀୟଲିଙ୍ଗ ଭୋଟର ରହିଛନ୍ତି । ଭୋଟଦାନ ପାଇଁ ଜିଲ୍ଲାରେ ସମୁଦାୟ ୪୧୧ ଗୋଟି ମତଦାନ କେନ୍ଦ୍ର ହୋଇଥିବା ବେଳେ ବୌଦ୍ଧ ନିର୍ବାଚନ ମଣ୍ଡଳୀ ପାଇଁ ୧୯୪ ଓ କଂଟାମାଳ ନିର୍ବାଚନ ମଣ୍ଡଳୀ ପାଇଁ ୨୧୭ ଗୋଟି ମତଦାନ କେନ୍ଦ୍ର କରାଯାଇଛି l