ଢେଙ୍କାନାଳ:ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକଙ୍କ ଅଧ୍ଯକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ପବିତ୍ର ସାଧାରଣତନ୍ତ୍ର ଦିବସକୁ ଉତ୍ସାହର ସହିତ ପାଳନ କରିବାକୁ ଜିଲ୍ଲାପାଳ ସମସ୍ତ ଅନୁଷ୍ଠାନର କର୍ମକର୍ତ୍ତା ଓ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ।

ଏହି ପବିତ୍ର ଜାତୀୟ ଦିବସ ପାଳନ ଅବସରରେ ଜାନୁୟାରୀ ୨୬ ତାରିଖ ଦିନ ପ୍ରତ୍ୟୁଷରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସହର ମଧ୍ୟରେ ରାମଧୂନ ପରିବେଷଣ କରାଯିବ । ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଶିଳ୍ପାନୁଷ୍ଠାନ ଓ ନିଜସ୍ବ ଅନୁଷ୍ଠାନରେ ସକାଳ ୭ ଟା ୩୦ ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରାଯିବ । କାର୍ଯ୍ୟାଳୟଗୁଡିକରେ ପତାକା ଉତ୍ତୋଳନ ସମୟରେ ବିଭାଗୀୟ ଅଧୁକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହିବେ ।

ସକାଳ ୭.୪୫ ମି. ସମୟରେ ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ଦିବସର ମୁଖ୍ୟଅତିଥି ମାଲ୍ୟାର୍ପଣ କରିବେ ଏବଂ ସକାଳ ୮ ଟା ୩୦ ମିନିଟ ପରେ ଢେଙ୍କାନାଳ ଷ୍ଟାଡିୟମଠାରେ ଅନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ କରି ପ୍ୟାରେଡର ଅଭିବାଦନ ଗ୍ରହଣ କରିବେ । ଆନୁଷ୍ଠାନିକ ପ୍ୟାରେଡରେ ପୋଲିସ ବାହିନୀ, ଓଏସଏପି ପ୍ରଥମ ବାଟାଲିଆନ, ପୋଲିସ ବ୍ୟାଣ୍ଡ ଦଳ ଏବଂ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ପ୍ୟାରେଡ ଦଳ ଅଂଶ ଗ୍ରହଣ କରିବେ ବୋଲି ସ୍ଥିର ହୋଇଛି ।

ଏହି ଅବସରରେ ବିଭିନ୍ନ ବିଭାଗ ଦ୍ବାରା ପ୍ରସ୍ତୁତ ଜନହିତକର ଓ ସଚେତନ‌ଧର୍ମୀ ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରା‌ଯିବ ଏବଂ ପ୍ୟାରେଡ ପରେ ପରେ ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ଦେଶାତ୍ମବୋଧ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଅପରାହ୍ନରେ ଷ୍ଟାଡିୟମ ଠାରେ ଏକ ବନ୍ଧୁତ୍ବପୂର୍ଣ୍ଣ କ୍ରୀକେଟ ମ୍ୟାଚ, ମହିଳା ମାନଙ୍କ ମଧ୍ୟରେ ମ୍ୟୁଜିକାଲ ଚେୟାର ଏବଂ ସନ୍ଧ୍ୟାରେ ଗୋପବନ୍ଧୁ ଟାଉନ ହଲ ଠାରେ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ବିଭିନ୍ନ ପଞ୍ଜୀକୃତ ସାଂସ୍କୃତିକ ଅନୁଷ୍ଠାନ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ପବିତ୍ର ଜାତୀୟ ଦିବସ ପାଳନ ଉପଲକ୍ଷେ ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ, ଶିଳ୍ପାନୁଷ୍ଠାନ, ବାଣିଜ୍ୟ ପ୍ରତିଷ୍ଠାନ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ଜନସାଧାରଣମାନେ ସେମାନଙ୍କ ଅନୁଷ୍ଠାନକୁ ରଙ୍ଗୀନ ଆଲୋକରେ ସଜ୍ଜିତ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି ।

ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡିଆ, ଇଂରାଜୀ ବକ୍‌ତୃତା ପ୍ରତିଯୋଗୀତା ଏବଂ ଦେଶାତ୍ମବୋଧ ସଙ୍ଗୀତ ଗାନ ପ୍ରତିଯୋଗୀତା ଆୟୋଜନ କରାଯିବ । ସେହିପରି ଜିଲ୍ଲା ସ୍ତରୀୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡିଆ।, ଇଂରାଜୀ ବକ୍‌ତୃତା ପ୍ରତିଯୋଗୀତା ଏବଂ ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗୀତା ଅନୁଷ୍ଠିତ ହେବ । ବଧୂର ଓ ଦୃଷ୍ଟିହୀନ ବିଦ୍ୟାଳୟ ଠାରେ ଅକ୍ଷମ କଲ୍ୟାଣ ସମିତି ଦ୍ବାରା ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗୀତା ଏବଂ ଜିଲ୍ଲା ସ୍ତରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସେଣ୍ଟ ଜାଭିୟର୍ସ ହାଇ ସ୍କୁଲ ସୌଜନ୍ୟରୁ ଚିତ୍ରାଙ୍କନ ପ୍ରତିଯୋଗୀତା ଆୟୋଜନ କରାଯିବ ।

ଏହି ଅବସରରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ରୋଗୀମାନଙ୍କୁ ଏବଂ ଜିଲ୍ଲା କାରାଗାରର ଅନ୍ତେବାସୀ ମାନଙ୍କୁ ଫଳ/ମିଷ୍ଟାନ୍ନ ବଣ୍ଟନ କରା‌ଯିବ । ରୋଟାରୀ କ୍ଲବ ପରିସରରେ ରୋଟାରୀ କ୍ଲବ, ଜିଲ୍ଲା ରେଡକ୍ରସ ଶାଖା, ଜିଲ୍ଲା ରକ୍ତଦାତା ଅନୁପ୍ରେରକ ସଂଘର ମିଳିତ ସ‌ହ‌ଯୋଗରେ ରକ୍ତଦାନ ଶିବିର, ରମଣ ବିଜ୍ଞାନ ପକ୍ଷରୁ ଗୋପବନ୍ଧୁ ଟାଉନ ହଲ ଠାରେ ଜଣା ଅଜଣା ପ୍ରତିଯୋଗୀତା ଅନୁଷ୍ଠିତ ହେବ । ରୋଟାରୀ କ୍ଲବ, ଲାୟନ୍ସ କ୍ଲବ, ଚାମ୍ବର ଅଫ କମର୍ଷ, ମାରୱାଡି ଯୁବ ମଞ୍ଚ, ସାତ ହିନ୍ଦୁସ୍ଥାନୀ ସଂଗଠନ, ଈଶୋ, ଇନର ହୁଇଲ, ନାମୀ ଅନୁଷ୍ଠାନ, ରେଡକ୍ରସ ରାପିଡ଼ ରେସପନ୍ସ ରୂପ, ବିଶ୍ଵ ଚେତନ, ସେଣ୍ଟ ଜୋନ ଆମ୍ବୁଲାନ୍ସ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା ।

ବୈଠକ ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅଭିଷେକ ବେହେରା ସମସ୍ତଙ୍କୁ ସ୍ବାଗତ କରି ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ ।

ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ.ଦିଲ୍ଲୀପ କୁମାର ବିଶ୍ଵାଳ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି (ସାଧାରଣ ), ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଲଲିତ ମୋହନ ବେହେରା, ଢେଙ୍କାନାଳ ସଦର ଉପଜିଲ୍ଲାପାଳ ଶ୍ରୀ ସପନ କୁମାର ନନ୍ଦ, ମାନ୍ୟଗଣ୍ୟ ବ୍ୟକ୍ତି, ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧୂମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ