ପୁରୀ :୧୧/୫(ମନୋଜ କୁମାର ବଳୀୟାରସିଂ) ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ହିନ୍ଦୁ ଧର୍ମାବଲମ୍ବୀଙ୍କଦ୍ୱାରା ପାଳନ କରାଯାଏ ନୃସିଂହ ଚତୁର୍ଦ୍ଦଶୀ ।ଏହି ଅବସରରେ ପୁରୀ ସହର ର ମାଟିଆ ପଡ଼ା ନୃସିଂହ ମନ୍ଦିର ହେଉ ଅବା ବିଭିନ୍ନ ଜାଗା ଘର ନୃସିଂହ ମନ୍ଦିର ଠାରେ ବେଶ୍ ଗହଳି ଦେଖିବାକୁ ମିଳିଥିଲା ।ବେଦ ମନ୍ତ୍ର ରେ ପ୍ରକମ୍ପିତ ହେଉଥିଲା ମନ୍ଦିର ପରିସର ।ଲୋକଙ୍କ ବିଶ୍ୱାସ ଅନୁସାରେ ବିଷ୍ଣୁଙ୍କର ଦଶାବତାର ମଧ୍ୟରେ ନୃସିଂହ ଚତୁର୍ଥ ଅବତାର ଅଟନ୍ତି। ମଣିଷ ଓ ସିଂହର ମିଶ୍ରଣକୁ ନୃସିଂହ କୁହାଯାଏ । ସିଂହର ମସ୍ତକ ଓ ମନୁଷ୍ୟ ଶରୀର ଧାରଣ କରି ନୃସିଂହ ବୈଶାଖ ମାସ ଶୁକ୍ଳ ଚତୁର୍ଦ୍ଦଶୀରେ ଆବିର୍ଭାବ ହୋଇଥିଲେ । ଭକ୍ତ ପ୍ରହ୍ଲାଦଙ୍କୁ ନିର୍ଯ୍ୟାତନା ମୁକ୍ତ କରିବା ପାଇଁ ନୃସିଂହ ରୂପରେ ସ୍ତମ୍ଭରୁ ବାହାରି ରାଜା ହିରଣ୍ୟକଶ୍ୟପଙ୍କୁ ବିଦାରଣ କରିଥିବାର ବର୍ଣ୍ଣନା ରହିଛି ବୋଲି ନୃସିଂହ ମନ୍ଦିରର ପୂଜକ ସୂଚନା ପ୍ରଦାନ କରିଛନ୍ତି।

ଏକାଦଶୀ ବ୍ରତ ଉପବାସ ବିଧି ଭଳି ନୃସିଂହ ଜୟନ୍ତୀ ପାଳନ କରାଯାଏ । ନୃସିଂହ ଜୟନ୍ତୀର ଦିନକ ପୂର୍ବରୁ ବ୍ରତଧାରୀମାନେ ଦିନରେ ମାତ୍ର ଥରେ ଖାଦ୍ୟ ଗ୍ରହଣ କରନ୍ତି। ସମସ୍ତ ପ୍ରକାର ଶସ୍ୟ ସେବନକୁ ଏହି ବ୍ରତରେ ବାରଣ କରାଯାଇଛି । ନୃସିଂହ ଜୟନ୍ତୀରେ ଭକ୍ତମାନେ ମଧ୍ୟାହ୍ନରେ ସଂକଳ୍ପ କରନ୍ତି ଏବଂ ସୂର୍ଯ୍ୟାସ୍ତ ପୂର୍ବରୁ ବିଧିବିଧାନ ଅନୁସାରେ ଶ୍ରୀନୃସିଂହଙ୍କଠାରେ ପୂଜାର୍ଚ୍ଚନା କରନ୍ତି । ବିଶ୍ୱାସ ରହିଛି, ପ୍ରଭୁ ଶ୍ରୀନୃସିଂହ ସୂର୍ଯ୍ୟାସ୍ତ ସମୟରେ ଦର୍ଶନ ଦେଇଥିଲେ। ରାତିରେ ଉଜାଗର ରହି ସକାଳ ପର୍ଯ୍ୟନ୍ତ ପୂଜା କରିବାର ବିଧି ରହିଛି। ଜୟନ୍ତୀ ପରଦିନ ଅର୍ଥାତ ଚତୁର୍ଦ୍ଦଶୀ ତିଥି ସମାପ୍ତ ହେବା ପରେ ଉପବାସ ଭଙ୍ଗ କରିବା ସହିତ ବ୍ରାହ୍ମଣଙ୍କୁ ଦାନ ଦିଆଯାଏ ବୋଲି ଭକ୍ତ କହିଛନ୍ତି ।ନୃସିଂହ ପୁରାଣରେ ନୃସିଂହ ବ୍ରତ ଓ ପୂଜାର ଫଳକଥା ବର୍ଣ୍ଣନା କରାଯାଇଛି । ଏଥିରେ ପ୍ରହ୍ଲାଦର ଭକ୍ତି ବିଷୟରେ ନୃସିଂହ କହିଛନ୍ତି – ପୂର୍ବଜନ୍ମରେ ଜ୍ଞାନୀ ବ୍ରାହ୍ମଣ ଅବନ୍ତୀ ନଗରରେ ବାସକରୁଥିବା ବସୁ ଶର୍ମାଙ୍କର ପୁତ୍ର ଥିଲେ ପ୍ରହ୍ଲାଦ ।

ବିଦ୍ୟାଅଧ୍ୟୟନ ଛାଡି ସେ ସୁରାପାନ ଓ ଗଣିକାଳୟ ଗମନ ଆଦି କୁକର୍ମରେ ଲିପ୍ତ ରହିଥିଲେ।ଏକଦା ଗଣିକା ସହ କଳହ କରି ସେ ସେହିଦିନ ଉପବାସ ଓ ରାତି ଉଜାଗର ରହିଲେ।ଉକ୍ତ ଗଣିକା ମଧ୍ୟ ତାଙ୍କ ସହ ଉଜାଗର ରହିଲା ।ଭାଗ୍ୟକୁ ସେଦିନ ଥିଲା ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ। ଅଜ୍ଞାତରେ ହେଲେ ବି ସେଦୁହେଁ ଉପବାସ ରହି ସେଦିନ ବ୍ରତ ପାଳନ କରିଥିବାରୁ ସମସ୍ତ ପାପରୁ ମୁକ୍ତହେଲେ।ପୁଣ୍ୟ ଅର୍ଜନ କରିଥିବାରୁ ଉକ୍ତ ଗଣିକା ବ୍ରତ ଫଳରୁ ଅପ୍‌ସରା ହୋଇ ସ୍ୱର୍ଗକୁ ଫେରିଗଲା ଏବଂ ଭକ୍ତ ପ୍ରହ୍ଲାଦ ରାଜା ହିରଣ୍ୟକଶ୍ୟପଙ୍କ ପୁତ୍ର ରୂପେ ଜନ୍ମ ହୋଇ ବିଷ୍ଣୁଙ୍କର ପରମ ଭକ୍ତ ହେଲେ। ନୃସିଂହ ବ୍ରତ କଲେ ଦୀର୍ଘାୟୁ, ଧନ, ଐଶ୍ୱର୍ଯ୍ୟ ଏବଂ ମହିଳାମାନଙ୍କୁ ସ୍ୱାମୀ-ସନ୍ତାନ ସୁଖ ପ୍ରାପ୍ତି ହୁଏ ବୋଲି ପୁରାଣରେ ଉଲ୍ଲେଖ ରହିଛି । ଉକ୍ତଦିବସରେ ଜଗନ୍ନାଥ ମନ୍ଦିରରେ ମଧ୍ୟ ନୃସିଂହ ଜନ୍ମୋତ୍ସୋବ ପାଳନ କରାଯାଏ ।