ଭୁବନେଶ୍ବର : (ସଞ୍ଜୟ ମହାନ୍ତି )ଓଡ଼ିଶା ରେ ଦଳ ଡିଆଁ ଓ ଗୋଷ୍ଠୀ କନ୍ଦଳ ତୀବ୍ର ରୂପ ଏବେ ଧାରଣ କରିଛି। ପ୍ରତ୍ୟକ ନିର୍ବାଚନ ମଣ୍ଡଳୀ ରେ ଏକାଧିକ ଆଶାୟୀ ପ୍ରାର୍ଥୀ ଙ୍କ ପରସ୍ପର ପ୍ରତି ଦୋଷାରୋପ ପ୍ରକ୍ରିୟା ଚାଲିଥିଲା ବେଳେ ପ୍ରଣବ ପ୍ରକାଶ ଦାସ ଙ୍କ କ୍ଷେତ୍ର ରେ ଏହା ଦେଖିବାକୁ ମିଳୁନାହି ।ମନ ମତାନ୍ତର ଠାରୁ ବହୁ ଦୂରରେ ଏବେ ପ୍ରଣବ । କିଛି କିଛି ସ୍ଥାନ ରେ ଦଳ ବଳ ନିର୍ବିଶେଷ ରେ ପ୍ରଣବ ଙ୍କ ପ୍ରତି କର୍ମୀ ଙ୍କ ସକରତ୍ମକ ମନୋଭାବ ଏହା ପ୍ରମାଣ କରୁଛି ।  ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ପ୍ରଣବ । ଜାତୀୟ ଦଳଙ୍କ ପାଇଁ ଓଡ଼ିଶା ଗୋଟିଏ ବିନ୍ଦୁ, କିନ୍ତୁ ବିଜୁ ଜନତା ଦଳ ପାଇଁ ଓଡ଼ିଶା ହେଉଛି ସିନ୍ଧୁ। ଦେବଗଡ଼ରେ ବିଜେଡିର ବିଶାଳ କର୍ମୀ ସମ୍ମିଳନୀରେ ଯୋଗଦେଇ ଏପରି କହିବା ସହ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି ସମ୍ବଲପୁର ଲୋକସଭା ଆସନ ବିଜେଡି ପ୍ରାର୍ଥୀ ତଥା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।

ଦେବଗଡ଼ ଗସ୍ତ ବେଳେ ପ୍ରଣବଙ୍କୁ ଏକ ବିଶାଳ ରାଲିରେ ସ୍ବାଗତ କରାଯାଇଥିଲା। କର୍ମୀ ସମ୍ମିଳନୀରେ ଉଦବୋଧନ ଦେଇ ପ୍ରଣବ କହିଛନ୍ତି, ଗତ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡ଼଼ିଶାବାସୀ ୫ ଜଣ ବିଜେପି ସାଂସଦଙ୍କୁ ନିର୍ବାଚିତ କରିଥିଲେ। କିନ୍ତୁ ବିଜେପି ସାଂସଦ ନିର୍ବାଚିତ ହେବାପରେ ଲୋକଙ୍କ କଥା ଭୁଲିଗଲେ। କେନ୍ଦ୍ରର ଆବାସ ଅବହେଳା ଓ ଚାଷୀମାରଣ ନୀତି ସମ୍ପର୍କରେ ସଂସଦରେ ପଦୁଟିଏ ବି କହିଲେନି।

ଓଡ଼ିଶାର ସ୍ବାର୍ଥ ପାଇଁ ପଦୁଟିଏ ବି କହିଲେନି ବିଜେପି ସାଂସଦ। ଏବେ ଲୋକଙ୍କ ସମୟ ଆସିଛି। ମିଛ ପ୍ରତିଶୃତି ଓ ପ୍ରତାରଣା କରିଥିବା ନେତାଙ୍କୁ ଜବାବ ଦେବା ପାଇଁ ସମୟ ଆସିଛି ବୋଲି ପ୍ରଣବ ପ୍ରକାଶ ଦାସ କହିଛନ୍ତି।  ଧର୍ମଯୁଦ୍ଧରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ରହିବା ସହ ବିକାଶ ଧାରାରେ ସମସ୍ତେ ସାମିଲ ହେବାକୁ ସେ ଆହ୍ବାନ ଦେଇଛନ୍ତି।

ସେପଟେ ସମ୍ବଲପୁର ବିଧାନ ସଭା ପ୍ରାର୍ଥୀ ପାଇଁ ସାମାନ୍ଯ ଅସନ୍ତୋଷ ଦେଖିବାକୁ ମିଳିଛି ।  ଅସନ୍ତୋଷ ଜାହିର୍‌ କରିଛନ୍ତି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସିଦ୍ଧାର୍ଥ ଦାସଙ୍କ ସମର୍ଥକ। ଏଥିସହିତ, ସିଦ୍ଧାର୍ଥଙ୍କୁ ସମ୍ବଲପୁର ବିଧାନସଭା ଆସନରୁ ପ୍ରାର୍ଥୀ ନିମନ୍ତେ ଦାବି କରିଛନ୍ତି।  ସମ୍ବଲପୁର ଅଇଁଠାପାଲିସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବହୁସଂଖ୍ୟାରେ ବିଜେଡି କର୍ମୀ ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଏକାଠି ହୋଇ ସିଦ୍ଧାର୍ଥଙ୍କ ସମର୍ଥନରେ ସ୍ଲୋଗାନ ଦେଇଥିଲେ। ଆଜି ପୂର୍ବାହ୍ନରେ ପୁଣିଥରେ ଏହାର ପୁନରାବୃତ୍ତି ଘଟିଥିଲା। ଦଳୀୟ କର୍ମୀ ଓ ସମର୍ଥକ ଏକାଠି ହୋଇ ପୁଣିଥରେ ସିଦ୍ଧାର୍ଥଙ୍କ ସପକ୍ଷରେ ଦାବି ଉପସ୍ଥାପନ କରିଛନ୍ତି।ତ‌େବେ, ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କୁ ସମ୍ବଲପୁର ଲୋକସଭା ପ୍ରାର୍ଥୀ କରାଯାଇଥିବାରୁ ସେମାନେ ସ୍ୱାଗତ କରିଛନ୍ତି।

ଅପରପକ୍ଷରେ ପୁଣି ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ବାସଭବନରେ ତାଙ୍କ ସମର୍ଥକ ଏକାଠି ହୋଇଥିବା ଜଣାପଡ଼ିଛି। ସମ୍ବଲପୁର ବିଧାନସଭା କ୍ଷେତ୍ର ପାଇଁ ରୋହିତ ତାଙ୍କ ଦାବି ଉପସ୍ଥାପନ କରିବା ପରେ ରାସେଶ୍ବରୀ ପାଣିଗ୍ରାହୀଙ୍କ ସମର୍ଥକମାନେ ବବିଙ୍କ ଉପସ୍ଥିତିରେ ଏହାର ତୀବ୍ର ବି‌ରୋଧ ‌କରିଥିଲେ। ଏପଟେ ରୋହିତଙ୍କ ସମର୍ଥକମାନେ ଗତକାଲି ପୁଣି ରାଜଧାନୀ ଯାଇ ଶକ୍ତି ପ୍ରଦର୍ଶନ କରିଥିବା ଜଣାପଡ଼ିଛି।ତେବେ ଉଭୟ ପକ୍ଷ ର ସମର୍ଥକ ମାନେ ବବି ଙ୍କୁ ପୂର୍ଣ ସମର୍ଥନ ଦେବେ ବୋଲି କହିଛନ୍ତି ।

କୁଚିଣ୍ଡାର ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ନିଜର ଶତାଧିକ ସମର୍ଥକଙ୍କ ସହ ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ତଥା ସମ୍ବଲପୁର ଲୋକସଭା ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କୁ ସାକ୍ଷାତ କରି ପୁଣିଥରେ ବିଜେଡ଼ି ରେ ଯୋଗ ଦେଇଛନ୍ତି ।  ଅନ୍ୟପଟେ କଂଗ୍ରେସର ପୂର୍ବତନ ବିଧାୟକ ପ୍ରାର୍ଥୀ ଉମାଶଙ୍କର ସାହୁ ବିଜେଡିରେ ମଧ୍ୟ  ସାମିଲ ହୋଇଛନ୍ତି । ହଜାର ହଜାର ସମର୍ଥକଙ୍କ ସହ ଶଙ୍ଖ ଫୁଙ୍କିଛନ୍ତି ଉମାଶଙ୍କର । ଆଗାମୀ ଦିନରେ ବିଜେଡିକୁ ଅଧିକ ସୁଦୃଢ଼ କରିବା ସହ ନବୀନଙ୍କୁ ଷଷ୍ଠଥର ମୁଖ୍ଯମନ୍ତ୍ରୀ କରିବାକୁ ସମସ୍ତେ ଶପଥ ନେଇଛନ୍ତି ।ପ୍ରଣବ ପ୍ରକାଶ ଦାସ ସମ୍ବଲପୁରରେ ବେଶ ସକ୍ରିୟ ରହିଛନ୍ତି । ଦଳର ବୃହତ୍ତର ସ୍ୱାର୍ଥ ପାଇଁ ବେଶ ଲୋକ ପ୍ରିୟତା ସାଉଁଟୁଛନ୍ତି ପ୍ରଣବ । ତାଙ୍କର ସାଙ୍ଗଠନିକ ଦକ୍ଷତା ସାରା ଓଡ଼ିଶା ଦେଖିଛି । ପ୍ରଣବ ଲୋକସଭା ପ୍ରାର୍ଥୀ ହେବା ପରେ ସମ୍ବଲପୁରରେ ଦଳର କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।