
ପୁରୀ: (ମନୋଜ କୁମାର ବଳିଆରସିଂ)ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନ ବନ୍ଦର ଜମି ଅଧିଗ୍ରହଣ ପାଇଁ ପୁନର୍ବାର ପ୍ରତ୍ୟେକ ଗ୍ରାମରେ ଜନ ଶୁଣାଣି କରିବା ସହିତ ପ୍ରଭାବିତ ପରିବାରଙ୍କ ପାଇଁ ଖୁବ୍ ଶୀଘ୍ର ଉପଯୁକ୍ତ ଥଇଥାନ-ପୁନର୍ବାସ ଓ କ୍ଷତି ପୂରଣ ବ୍ୟବସ୍ଥା କରିବା ନିମନ୍ତେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ lଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ସିପସରୁବାଲି ଓ ଅନ୍ୟ ମୌଜାରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି l ଶହ ଶହ ଏକର ସରକାରୀ ଜଙ୍ଗଲ ଜମି ଏବଂ ବ୍ୟକ୍ତିଗତ ଜମି ଅଧିଗ୍ରହଣ କରାଯାଉଥିବା ବେଳେ, ଉକ୍ତ ଅଞ୍ଚଳରେ ଆଇନ ଅନୁଯାଇ ଗ୍ରାମସଭାରେ ଲୋକମାନଙ୍କ ସହମତି ନିଆଯାଇନାହିଁ l ପ୍ରଭାବିତ ପରିବାର ମାନଙ୍କୁ ଚିହ୍ନଟ କରି ସେମାନଙ୍କ ପାଇଁ ଉପଯୁକ୍ତ ଥଇଥାନ ଓ ପୁନର୍ବାସ ବ୍ୟବସ୍ଥା ମଧ୍ୟ କରାଯାଇନାହିଁ l
ଏହି ଅଞ୍ଚଳରେ ଅନେକ ଭୂମିହୀନ ଚାଷୀ , ଦିନ ମଜୁରିଆ, କୃଷି ଶ୍ରମିକ, ଦଳିତ ଏବଂ ଅନୁସୂଚିତ ଜାତିର ପରିବାର ବସବାସ କରନ୍ତି l ସେମାନେ ଜୀବିକା ଉପାର୍ଜନ ପାଇଁ, ଅଧିଗ୍ରହଣ କରାଯାଉଥିବା ଜଙ୍ଗଲ ଜମି ଉପରେ ବିଶେଷ ଭାବେ ନିର୍ଭର କରନ୍ତି l ଜଙ୍ଗଲରୁ ଜାଳେଣି କାଠ,ପତ୍ର ,ଫଳ, କୋଳି ସଂଗ୍ରହ କରି ଏବଂ ପଶୁ ଚାରଣ କରି ଜୀବିକା ନିର୍ବାହ କରନ୍ତି l ମଜୁରିଆ ମାନେ ଉକ୍ତ ଅଞ୍ଚଳରେ ମାଲିକ ମାନଙ୍କ ଜମି, ଜଙ୍ଗଲ ଓ ବଗିଚାରେ ମୂଲ ଖଟନ୍ତି l ଏଠି ଅନ୍ୟ କୌଣସି ବିକଳ୍ପ ରୋଜଗାର ସ୍ରୋତ ନାହିଁ l ପୁନର୍ବାସ ଓ ଥଇଥାନ ବ୍ୟବସ୍ଥା ନକରି ଜମି ଅଧିଗ୍ରହଣ କରାଯାଇଥିବାରୁ , ଶହ ଶହ ପରିବାର ଜୀବିକା ଉପାର୍ଜନ ରୁ ବଞ୍ଚିତ ହୋଇ ଅତ୍ୟନ୍ତ ଦୁଃଖରେ ଦିନ କାଟୁଛନ୍ତି l
ପ୍ରଭାବିତ ଅଞ୍ଚଳରେ ବ୍ୟବସ୍ଥିତ ପ୍ରକ୍ରିୟା ଅନୁସାରେ ଗ୍ରାମସଭା ହୋଇ ନଥିବାରୁ, ଲୋକମାନେ ଜମି ଅଧିଗ୍ରହଣ ଆଇନ, ୨୦୧୩ମୁତାବକ ଅଧିକାର ଓ ସରକାରୀ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି l ଏଣୁ ପୁନର୍ବାର ପ୍ରତ୍ୟେକ ଗ୍ରାମରେ ଗ୍ରାମସଭା କରାଯିବା ସହିତ ତୁରନ୍ତ ପୁନର୍ବାସ – ଥଇଥାନ ଓ କ୍ଷତି ପୂରଣ ପ୍ରଦାନ ଦାବି କରି, ଆଜି ତା୬.୬.୨୫ରିଖ ଶୁକ୍ରବାର ଦିନ ପ୍ରଭାବିତ ପରିବାର ଏବଂ ସାମାଜିକ ମାନଙ୍କ ତରଫରୁ ପୁରୀ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କାରାଯାଇ ଆବଶ୍ୟକ ପଦକ୍ଷେପ ନେବାପାଇଁ ନିବେଦନ କରାଯାଇଅଛି lଏହି ଦାବି ଗୁଡିକ ବିଷୟରେ ତର୍ଜମା ନକରି, ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଲେ, ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ ବୋଲି, ଅଧିକାର ମଞ୍ଚର ସଦସ୍ୟ ମାନେ ମତ ବ୍ୟକ୍ତ କରିଛନ୍ତି l
ପ୍ରଭାବିତ ଅଞ୍ଚଳରେ ପ୍ରତ୍ୟେକ ଗ୍ରାମରେ ବ୍ୟବସ୍ଥିତ ପ୍ରକ୍ରିୟା ଓ ଧାରା ଅନୁସାରେ ଗ୍ରାମସଭା କରାଯାଉ lପ୍ରଭାବିତ ପରିବାରଙ୍କ ପାଇଁ ତୁରନ୍ତ ପୁନର୍ବାସ ଓ ଥଇଥାନ ବ୍ୟବସ୍ଥା ଘୋଷଣା କରି ସହାୟତା ରାଶି ପ୍ରଦାନ କରାଯାଉ ଏବଂ ଜମି ମାଲିକ ମାନଙ୍କୁ ଆଇନ ଅନୁଯାଇ ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ କରାଯାଉ lଥଇଥାନ, ପୁନର୍ବାସ ଓ କ୍ଷତି ପୂରଣ ପ୍ରଦାନ ପୂର୍ବରୁ ବେଆଇନ ଭାବେ ଜମି ଦଖଲ କରିବା ପ୍ରକ୍ରିୟା ତୁରନ୍ତ ବନ୍ଦ କରାଯାଉ lପ୍ରଭାବିତ ଗରିବ ଲୋକଙ୍କ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ପ୍ରକଳ୍ପ ପାଇଁ ସର୍ବନିମ୍ନ ଆବଶ୍ୟକ ଜମି ଅଧିଗ୍ରହଣ କରାଯାଉ lପ୍ରଭାବିତ ଲୋକଙ୍କ ପାଇଁ ବିକଳ୍ପ ଜୀବିକା ଓ ରୋଜଗାର ସ୍ରୋତ ସୃଷ୍ଟି କରାଯାଉ l
ଉକ୍ତ କାର୍ଯ୍ୟକ୍ରମ ରେ ଆଇନଜୀବୀ ଶ୍ରୀକାନ୍ତ ପରିଜା ଙ୍କ ସହିତ ଗୋପାଳ ପ୍ରଧାନ, ଶିଶୁଳା ବେହେରା, ଚକ୍ରଧର ଦଳେଇ , ପଞ୍ଚୁ ପ୍ରଧାନ, ଯାଦବ ଦଳେଇ, ହରି ସେନାପତି, ସୁରେନ୍ଦ୍ର ତାପଷୁ, ଜଗନ୍ନାଥ ଦେଓ, ଡା. ନିରଞ୍ଜନ ବିଶ୍ୱାଳ, ଭୀମସେନ ସ୍ୱାଇଁ, ବିଦ୍ୟାଧର ଦଳାଇ, ଟୁନା ନାୟକ, ପବିତ୍ର ମୋହନ ଦଳାଇ ପ୍ରମୁଖ ଯୋଗ ଦେଇ ଦାବିପତ୍ର ପ୍ରଦାନ କରିଥିଲେ।