ପୁରୀ : (ମନୋଜ କୁମାର ବଳିଆରସିଂ )ପବିତ୍ର ଅକ୍ଷୟ ତୃତୀୟା ଠାରୁ ଶ୍ରୀକ୍ଷେତ୍ରରେ ମହାପ୍ରଭୂଙ୍କ ଆରମ୍ଭ ହୋଇଥିବା ବାହାର ଚନ୍ଦନ ଯାତ୍ରା ର ବିଂଶତମ୍ ଦିବସକୁ ଭଉଁରୀ ଯାତ୍ରା ଭାବରେ ବିବେଚନା କରାଯାଏ ।ସୋମବାର ଭଉଁରୀ ଅବସରରେ ପରମ୍ପରା ଆଧାରରେ ରଥଖଳାରେ ବିଜେ କରିଛି ମହାପ୍ରଭୁଙ୍କ ଆଜ୍ଞାମାଳ । ଭଉଁରୀ ତିଥିରେ ତିନି ପୂଜାପଣ୍ଡା ସକାଳ ଧୂପ ଉଠିବା ପରେ ମହାପ୍ରଭୁଙ୍କ ନିକଟରୁ ୩ଟି ଆଜ୍ଞାମାଳ ଆଣି ତିନି ରଥରେ ଚକ ଅଖ ଲାଗି କରିବା ସହ ମୁଖ୍ୟ ବିଶ୍ୱକର୍ମା ମାନଙ୍କୁ ଶାଢୀ ବନ୍ଧା କାର୍ଯ୍ୟ କରିଛନ୍ତି । ପରେ ତିନି ରଥର ତିନୋଟି ଅଖରେ ମୋଟ୍ ୬ଟି ଚକ ସଂଯୋଗ କରାଯାଇଛି ।

ଏଥିପାଇଁ ଆବଶ୍ୟକ ଚକ ସବୁ ନିର୍ମାଣ ସରିଛି । ଶିଳ୍ପଶାସ୍ତ୍ର ଓ ରଥ ସଂହିତା ଅନୁସାରେ ତିନି ରଥରେ ଚକ ଅଖ ଡେରା ଏକ ପ୍ରମୁଖ କାମ । ବିଶ୍ୱକର୍ମା ମହାରଣା, ଭୋଇ ସେବାୟତଙ୍କ ସହଯୋଗରେ ଏହି ନୀତି ରଥର ଚକ ଡେରା କାର୍ଯ୍ୟ ସମନ୍ନ ହୋଇଛି । ଭଭଁରୀ ଓ ରଥ ଚକ ଅଖ ଡେରା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି। ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ରଥରେ ମୋଟ୍ ୪୨ ଟି ଚକ ଲାଗିବ ।

ଏହା ମଧ୍ୟରେ ବର୍ତମାନ ସୁଦ୍ଧା ୨୮ଟି ଚକ ନିର୍ମାଣ ଶେଷ ହୋଇସାରିଛି ଆଉ ୧୪ ଟି ଚକ ତିଆରି ହେବ । ରଥରେ ଚକ ଅଖ ଯୋଡାଯିବା ପରେ ତିନି ରଥର ୪୨ଟି ତୁମ୍ଭରେ ଅର ଯୋଡାଯିବ । ସ୍ନାନ ପୂର୍ଣ୍ଣମାରେ ତିନି ରଥର ଚାରି ନାହାକା ଟେକା ଯିବାର ପରମ୍ପରା ରହିଛି ।ପରମ୍ପରା ଅନୁଯାୟୀ ମଦନମୋହନ, ରାମକୃଷ୍ଣ, ଶ୍ରୀଦେବୀ ଓ ଭୂଦେବୀଙ୍କ ସମେତ ଶ୍ରୀଲୋକନାଥ, ଶ୍ରୀମାର୍କଣ୍ଡେଶ୍ୱର, ଶ୍ରୀନୀଳକଣ୍ଠେଶ୍ୱର, ଶ୍ରୀଜମ୍ବେଶ୍ୱର ଏବଂ ଶ୍ରୀକପାଳମୋଚନଙ୍କୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରାଯାଇଚି।