ବେଲଗୁଣ୍ଠା – ୨୩/୦୨(ସୁଶାନ୍ତ କୁମାର ବେହେରା )ତାରସିଙ୍ଗ ଥାନା ବେଙ୍ଗସର ଗ୍ରାମରେ ୨୯ ବର୍ଷୀୟ ରୋଜଗାରିଆ ପୁଅ ଗତ ୬ଦିନ ହେଲା ହଠାତ ନିଖୋଜ ହୋଇପଡିଥିବା ବେଳେ ପରିବାର ଓ ଗ୍ରାମବାସୀ ଖୋଜିଖୋଜି ନୟାନ୍ତ ହୋଇ ପଡିଲେଣି ହେଲେ ପୁଅର ଖୋଜ ଖବର ମିଳୁନି ଯାହାକୁ ନେଇ ଚିନ୍ତା ବଢିଛି । ଅନ୍ୟପକ୍ଷରେ ତାରସିଙ୍ଗ ଥାନାରେ ପୁଅକୁ ଖୋଜି ବାହାର କରିବାକୁ ନିବେଦନ କରିଛନ୍ତି ବାପା ମା ।
ଏହି ଗ୍ରାମର କିଶୋର ପ୍ରଧାନ ଓ ଶାନ୍ତି ପ୍ରଧାନଙ୍କ ସାନ ପୁଅ ଲକ୍ଷ୍ମୀକାନ୍ତ ପ୍ରଧାନ ଗତ ଶନିବାର ଦିନ ଗାଁ ନିକଟ ମୁଗ ଜମିକୁ ମାଙ୍କଡ଼ ଘଉଡାଇବା ପାଇଁ ଯାଇ ଆଉ ଘରକୁ ଫେରିନଥିଲେ ।

ଗାଁ ଲୋକମାନେ ମଧ୍ୟ ମିଳିମିଶି ଖୋଜିବା ପରେ ନିରାଶ ହୋଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି । କିଶୋର ଗତ ୨୦୦୯ ମସିହାରୁ ଏକ ଦୁର୍ଘଟଣାରେ ଅକର୍ମଣ୍ୟ ହୋଇ ପଡିଛନ୍ତି । ବଡ଼ ପୁଅ ଓ ଦୁଇ ଝିଅ ବିବାହ କରି ଚାଲିଯିବା ପରେ ଲକ୍ଷ୍ମୀକାନ୍ତ ଏକ ମାତ୍ର ରୋଜଗରିଆ ପୁଅଥିଲେ । ଭୁବନେଶ୍ୱର ରେ ରଙ୍ଗ କାମ କରି ଲକ୍ଷାଧିକ ଟଙ୍କା ସଞ୍ଚୟ କରିଥିଲେ ବିବାହ ହୋଇଥାନ୍ତା ଗତ ଆଠ ମାସ ପୂର୍ବେ ସେ ଏକ ଠକାମୀର ଶିକାର ହୋଇ ସବୁ ଟଙ୍କା ହରାଇବା ପରେ ମାନସିକ ସ୍ତରରେ ଭାଙ୍ଗିପଡିଥିଲେ ।

ବାପା ମା ତାଙ୍କୁ ବୁଝାଇ ସୁଝାଇ ଆଣି ଗତ ୬ ମାସ ହେଲା ବେଙ୍ଗସର ଗ୍ରାମ ନିଜ ଘରେ ରଖିଥିଲେ । ସେ ଏବେ କେଉଁ ଆଡେ ଚାଲିଯିବା ପରେ କେମିତି ବଂଚିବେ ଭାବି ପିତାମାତା ଚିନ୍ତାରେ ପଡିଯାଇଛନ୍ତି । ଏମାନଙ୍କ ରହିବା ପାଇଁ ମଧ୍ୟ ଭଲ ଘରଟିଏ ନାହିଁ । କିଶୋର ଙ୍କ ପାଇଁ ମେଡିସିନ କିଣିବାକୁ ମଧ୍ୟ ସମ୍ବଳ ନାହିଁ । କୌଣସି ବଦାନ୍ୟ ବ୍ୟକ୍ତି ଲକ୍ଷ୍ମୀକାନ୍ତ ଙ୍କୁ ଦେଖିଲେ ତାରସିଙ୍ଗ ଥାନା କିମ୍ବା ମୋବାଇଲ ନଂ ୮୬୫୮୨୩୯୭୪୧ ରେ ଜଣାଇବାକୁ ମା ଶାନ୍ତି ନିବେଦନ କରିଛନ୍ତି ।