ଧର୍ମଗଡ ୧୨/୦୪(ହେମନ୍ତ କୁମାର ମାଝୀ)ଧର୍ମଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ କଲମପୁର ବ୍ଲକ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ମହେନ୍ଦ୍ର ସାହୁ ବିଜୁ ଜନତା ଦଳ ର ପ୍ରାଥମିକ ସଦସ୍ୟ ପଦବୀରୁ ଇସ୍ତଫା ଦେଇଛନ୍ତି । ଏ ନେଇ ହୋଟେଲ ରାଜ ଠାରେ ଏକ ସାମ୍ୱାଦିକ ସମ୍ମିଳନୀ କରି ଶ୍ରୀ ସାହୁ ସୂଚନା ଦେଇଛନ୍ତି । ସେ ଦୀର୍ଘ ବର୍ଷ ଧରି ଦଳର ରହି ତୃଣମୂଳ ସ୍ତରରେ ଦଳୀୟ କାର୍ଯ୍ୟକ୍ରମ ପ୍ରଚାର ପ୍ରସାର କରିବାସହ ଜଣେ ଶୃଙ୍ଖଳିତ କର୍ମକର୍ତ୍ତା ଭାବେ କାର୍ଯ୍ୟ କରି ଆସୁଥିଲେ । ସେ ସରକାରଙ୍କ ଚାଷୀ ମାରାନା ନୀତିକୁ ଘୋର ବିରୋଧ କରିଛନ୍ତି ।

ଦଳରେ ରହି ଚାଷୀ ସମସ୍ୟା ଉଠାଇଲେ କେହି ଶୁଣୁ ନ ଥିବା ପ୍ରକାଶ କରିଛନ୍ତି । ଅନ୍ୟପଟେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ସ୍ଥାନୀୟ ପ୍ରାର୍ଥୀ ଦେବାକୁ ଦାବି ହୋଇଥିଲେ ମଧ୍ୟ ବାହାର ପ୍ରାର୍ଥୀ କୁ ଦଳ ଟିକେଟ ଦେଇଛି । ଯାହା ଫଳରେ ସ୍ଥାନୀୟ ଆଶାୟୀ ଙ୍କ ସ୍ବପ୍ନ କେବଳ ସ୍ବପ୍ନ ରେ ହିଁ ରହିଗଲା । ଏପରିକି ଦଳରେ ରହିଲେ କେବଳ ଗୋଲାମ ସାଜିବା ବ୍ୟତୀତ ଆଉ କିଛି ନୁହେଁ ବୋଲି ପ୍ରକାଶ କରିଛନ୍ତି ।

ଅଞ୍ଚଳରେ ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ଯାହା ତାଙ୍କୁ ବ୍ୟଥିତ କରିଛି ତେଣୁ ଦଳରୁ ଇସ୍ତଫା ଦେଇ ଥିବା ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ପୂର୍ବଭଳି ସମାଜ ସେବାରେ ନିଜକୁ ସମର୍ପିତ କରିବେ କହିଛନ୍ତି । ଅନ୍ୟପଟେ ଶ୍ରୀ ସାହୁ ବିଗତ ଦିନ ମାନଙ୍କରେ କଲମପୁର ବ୍ଲକ ଅଧ୍ୟକ୍ଷ ରହିବା ସହ ବିଜେଡି ର ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭଳି ବହୁ ଗୁରୁତ୍ବପୂର୍ଣ୍ଣ ପଦବୀରେ ରହି ବିଜେଡି ଦଳକୁ ତୃଣମୂଳ ସ୍ତରରେ ମଜବୁତ୍ କରି ଆସିଥିଲେ ।