ବୌଦ୍ଧ :  ( ଚିତ୍ତରଞ୍ଜନ ସିଂ ) ଗତ ମାର୍ଚ୍ଚ ୨୭ ତାରିଖରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ବୌଦ୍ଧ ବିଧାନସଭା କ୍ଷେତ୍ର ପାଇଁ ବିଜେଡିର ବିଧାୟକ ପ୍ରାର୍ଥୀ ଭାବେ ୫ ଥର ଲଗାତାର ବିଧାୟକ ହୋଇଥିବା ପ୍ରଦୀପ କୁମାର ଅମାତଙ୍କ ଉପରେ ବିଜୁ ଜନତା ଦଳ ଅସ୍ଥା ପ୍ରକଟ କରି ପୁନର୍ବାର ତାଙ୍କୁ ମଇଦାନକୁ ଓହ୍ଲାଇଥିବା ବେଳେ ଆଜି ଉଭୟ ବିଜେପି ଏବଂ କଂଗ୍ରେସ ତରଫରୁ ବୌଦ୍ଧ ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି l ବିଜେପି ରୁ ସରୋଜ ପ୍ରଧାନ ଏବଂ କଂଗ୍ରେସ ରୁ ନବ କୁମାର ମିଶ୍ର ଙ୍କୁ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି l

ତେବେ ଗତ ୨୦୧୯ ମସିହା ସାଧାରଣ ନିର୍ବାଚନ କଥା ବିଚାରକୁ ନେଲେ, ବିଜେଡ଼ି ର ପ୍ରଦୀପ କୁମାର ଅମାତ ଏବଂ ବିଜେପି ର ସୁଶାନ୍ତ ପ୍ରଧାନ ଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା l ପ୍ରଦୀପ ଅମାତ ୬୧୫୩୬ ଖଣ୍ଡ ଭୋଟ ପାଇଥିବା ବେଳେ ସୁଶାନ୍ତ ପ୍ରଧାନ ୫୧୦୮୮ ଖଣ୍ଡ ଭୋଟ ପାଇଥିଲେ ଏବଂ ପ୍ରଦୀପ ଅମାତ ୧୦୪୪୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ l ୨୦୧୯ ନିର୍ବାଚନରେ କଂଗ୍ରେସ ଏବଂ କମ୍ୟୁନିଷ୍ଟ ପାର୍ଟି ମଧ୍ୟରେ ମେଣ୍ଟ ହୋଇଥିବା ଯୋଗୁଁ ଏଠାରେ କଂଗ୍ରେସ ତରଫରୁ ପ୍ରାର୍ଥୀ ଦିଆ ଯାଇନଥିଲା l

ଫଳରେ ଦ୍ବିମୁଖୀ ପ୍ରତିଦ୍ବନ୍ଦିତା ହୋଇଥିଲା l ବୌଦ୍ଧ ନିର୍ବାଚନ ମଣ୍ଡଳୀ ସମଗ୍ର ହରଭଙ୍ଗା ବ୍ଲକ, ବୌଦ୍ଧ ଏନଏସି ଏବଂ ବୌଦ୍ଧ ବ୍ଲକ ର ୧୧ ଟି ପଞ୍ଚାୟତକୁ ନେଇ ଗଠିତ ହୋଇଥିବା ବେଳେ ନିର୍ବାଚନ ମଣ୍ଡଳୀର ପ୍ରାୟ ୭୦ ପ୍ରତିଶତ ଭୋଟର ହରଭଙ୍ଗା ବ୍ଲକରେ ଅଛନ୍ତି l ତେବେ ବିଜେପି ପ୍ରାର୍ଥୀ ସରୋଜ ପ୍ରଧାନ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ଅଛନ୍ତି ଏବଂ ତାଙ୍କ ଧର୍ମପତ୍ନୀ ସ୍ନେହଲତା ପ୍ରଧାନ ବ୍ଲକ ଅଧ୍ୟକ୍ଷା ଅଛନ୍ତି l ଏହାଛଡା ଗତ ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ରହିଥିବା ସୁଶାନ୍ତ ପ୍ରଧାନଙ୍କ ନିଜ ସାନଭାଇ ହେଉଛନ୍ତି ସରୋଜ ପ୍ରଧାନ l ଦୁଇ ଭାଇଙ୍କ ମଧ୍ୟରେ ସହମତି ଭିତ୍ତିରେ ଚଳିତ ନିର୍ବାଚନରେ ସରୋଜ ପ୍ରଧାନ ପ୍ରାର୍ଥୀ ହୋଇଥିବା କୁହାଯାଉଛି l

ସେହିପରି ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ସଭାପତି ଥିବା ନବ କୁମାର ମିଶ୍ର କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ବେଳେ ଗତ ୧୯୯୫ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇ ନିକଟତମ ପ୍ରତିଦ୍ବନ୍ଦୀ ଜନତା ଦଳ ପ୍ରାର୍ଥୀ ସଚ୍ଚିଦାନନ୍ଦ ଦଲାଲ ଙ୍କ ଠାରୁ ମାତ୍ର ୨୪୯୧ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ l ଶ୍ରୀ ମିଶ୍ର ଜଣେ କୁଶଳୀ ସଙ୍ଗଠକ ଭାବେ ଜଣାଶୁଣା ଥିବା ସ୍ଥଳେ, ବର୍ତ୍ତମାନ ମଧ୍ୟ ତାଙ୍କର ଜିଲ୍ଲାରେ ଭଲ ସାଙ୍ଗଠନିକ ଢାଞ୍ଚା ରହିଛି l ଏସବୁ ଦୃଷ୍ଟିରୁ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହେବାର ଯଥେଷ୍ଟ ସମ୍ଭାବନା ଦେଖାଦେଇଛି l ତେବେ ପ୍ରଥମ ଥର ସ୍ୱାଧୀନ ପ୍ରାର୍ଥୀ ଭାବେ ଏବଂ ପରବର୍ତୀ ୪ ଥର ଲଗାତାର ବିଜେଡି ଟିକେଟ ରୁ ବିଜୟୀ ହୋଇଥିବା ପ୍ରଦୀପ ଅମାତ ନିର୍ବାଚନୀ ରାଜନୀତି ପରିଚାଳନାରେ ଜଣେ ଧୂରୀଣ ଖେଳାଳୀ ଭାବେ ବେଶ ଜଣାଶୁଣା l ତେଣୁ ଅମାତ ଙ୍କୁ ମାତ ଦେବା ଏତେ ସହଜ ନୁହେଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l