
କଣ୍ଟାବାଞ୍ଜି ବ୍ୟୁରୋ: ୧୫/୧୦(ନରେନ୍ଦ୍ର ନେଗୀ)ବଲାଙ୍ଗୀର ଜିଲ୍ଲା ଉପାନ୍ତ ବ୍ଲକ ତୁରେକେଲାର କମେଇମୁଣ୍ଡା ପଞ୍ଚାୟତରେ ଥିବା ଠେଙ୍ଗୋଯୁରି ଗ୍ରାମ ।ଏହି ଗ୍ରାମରେ ପଡିନି ବିକାଶର ପାଦ, ନା ଅଛି ସ୍କୁଲ ନା ଅଛି ରାସ୍ତା । ଏହି ଗ୍ରାମରେ ପାଖାପାଖି ୨୫ ପରିବାର ଏବଂ ପାଖାପାଖି ୧୦୦ ଲୋକ ବସବାସ କରୁଛନ୍ତି । ଏହି ଗ୍ରାମରେ ଆଜି ପର୍ଯ୍ୟନ୍ତ ଗମନା ଗମନ ସୁବିଧା ହୋଇ ପାରିନାହିଁ। ପଂଚାୟତ ମୁଖ୍ୟ ରାସ୍ତାରୁ ସେହି ଗ୍ରାମକୁ ଯିବା ମଧ୍ୟରେ ଗୋଟିଏ ବଡ କେନାଲ ପାର କରିବାକୁ ପଡ଼ିଥାଏ ।
ଏହି ଗ୍ରାମରୁ ମୁଖ୍ୟ ରାସ୍ତା ର ଦୂରତା ପାଖାପାଖି ୪ କିମି । ଫଳରେ ଅଳ୍ପ ବର୍ଷା ହେବା ଦ୍ବାରା କେନାଲରେ ପାଣି ଭର୍ତି ହୋଇଯାଏ ଏବଂ ଏହି ଗ୍ରାମର ଲୋକଙ୍କ ସମ୍ପର୍କ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଏ । ଏହି ଗ୍ରାମରେ ଶିଶୁ ମାନଙ୍କ ପାଠ ପଢା ପାଇଁ ନା ଅଛି ଅଙ୍ଗନୱାଡି କେନ୍ଦ୍ର ନା ହିଁ ଅଛି ବିଦ୍ୟାଳୟ । ଆଜିର ଯୁଗରେ ଶିକ୍ଷା ସମସ୍ତଙ୍କ ମୌଳିକ ଅଧିକାର ହୋଇଥିବା ବେଳେ ଏହି ଗ୍ରାମରେ ରହୁଥିବା ଶିଶୁ ଶିକ୍ଷାରୁ ବଂଚିତ । ପାଠ ପଢ଼ା ପାଇଁ ସେମାନଙ୍କୁ କମେଇମୁଣ୍ଡା ଯିବାକୁ ପଡିଥାଏ।
ଯାହାକି ଘଞ୍ଚ ଜଙ୍ଗଲ ଦେଇ ଏକ ବଡ କେନାଲ ପାର କରି ଯିବାକୁ ପଡିଥାଏ ,ତେଣୁ ଛୋଟ ଛୋଟ ଶିଶୁ ମାନଙ୍କ ପାଇଁ ଏହା ସମ୍ଭବ ନୁହେଁ। ଏହି ଗ୍ରାମର ସମସ୍ତ ଶିଶୁ ଶିକ୍ଷାରୁ ବଂଚିତ କେହି ବି ପାଠପଢ଼ା ପାଇଁ ସ୍କୁଲ୍ ଯାଇ ପାରୁ ନାହାଁନ୍ତି। ଏହି ଗ୍ରାମର କେବଳ ୪ ଜଣ ଯୁବକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି । କୌଣସି ରୋଗୀ କିମ୍ବା ଗର୍ଭବତୀ ଙ୍କୁ ଚିକିତ୍ସା ପାଇଁ ନେବାକୁ ହେଲେ ଏଠି ଆମ୍ବୁଲାନ୍ସ ମଧ୍ୟ ଆସିପାରେ ନାହିଁ । ଫଳରେ ବାଧ୍ୟ ହୋଇ ମୁଖ୍ୟ ରାସ୍ତା ୪ କିମି ପର୍ଯ୍ୟନ୍ତ ରୋଗୀକୁ ଅନ୍ୟ କୌଣସି ଉପାୟରେ ବୋହିକି ନେବାକୁ ପଡ଼ିଥାଏ ।
ଆଜିର ଯୁଗରେ ସରକାର ହଜାର ହଜାର କୋଟି ଖର୍ଚ୍ଚ କରି ବିକାଶର ନାରା ଦେଉଥିବା ବେଳେ ଏହି ଉପାନ୍ତ ଅଞ୍ଚଳରେ ଏଭଳି ପରିସ୍ଥିତି ରହିଛି । ବହୁ କଷ୍ଟରେ ଲୋକେ ଏଠି ଜୀବନ ଜାପାନ କରୁଛନ୍ତି । ଏହି ବିଷୟ ନେଇ ଅନେକ ସମୟରେ ପ୍ରଶାସନକୁ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ। ଅତି ଶୀଘ୍ର ଏହି ଅଞ୍ଚଳରେ କେନାଲ ମାନଙ୍କ ଉପରେ ପୋଲ ନିର୍ମାଣ କରି ଏହି ଗ୍ରାମ ପାଇଁ ରାସ୍ତା ନିର୍ମାଣକରାଯାଉ ବୋଲି ଅଞ୍ଚଳବାସୀ ସରକାରଙ୍କୁ ଦାବି ଜଣାଇଛନ୍ତି ।