
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ସରକାରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀ, ଗୁରୁତର ରୋଗୀଙ୍କୁ ମିଳୁନି ୧୦୮ ଆମ୍ବୁଲାନ୍ସ ସେବା। ୧୦୮ କୁ କଲ କଲେ ଗାଡି ମେଣ୍ଟେନାନସ ପାଇଁ ଯାଇଛି ବୋଲି କୁହାଯାଉଛି। ତେବେ ସରକାରଙ୍କ ୧୦୮ ଆମ୍ବୁଲାନ୍ସ ସେବା ବ୍ୟାହତ ହେବା ଯୋଗୁଁ ରୋଗୀ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବଲାଙ୍ଗିରକୁ ରୋଗୀ ନେବା ପାଇଁ ୨୫୦୦ ରୁ ୩୦୦୦ ଟଙ୍କା ଯାଏଁ ଭଡା ନିଆ ଯାଉଥିବା ବେଳେ ଗରୀବ ଲୋକ ଯିବାରେ ଅସମର୍ଥ ହେଉଛନ୍ତି। ବିଭିନ୍ନପିଏଚସି,ସିଏଚସି ରେ ଲାଗିଥିବା ଗାଡି ମଧ୍ୟ ଖରାପ ଯୋଗୁଁ ରୋଗୀ ମାନଙ୍କୁ ବଲାଙ୍ଗିର ନେବାରେ ଅସୁବିଧା ଭୋଗୁଛନ୍ତି ରୋଗୀ।
ଆଗ ଆମ୍ବୁଲାନ୍ସ ସେବା ପ୍ରତି ମୁହୂର୍ତ୍ତରେ ଉପଲବ୍ଧ ହେଉଥିବା ବେଳେ କିଛି ଦିନ ହେବ ଏହି ସେବା ଠିକ ଭାବେ ଯୋଗାଇ ଦିଆ ଯାଇ ପାରୁ ନ ଥିବା ଅଭିଯୋଗ ହେଉଛି। ତିନିରୁ ଚାରି ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି ରୋଗୀଙ୍କୁ, ଅତି ଗୁରୁତର ରୋଗୀଙ୍କୁ ନେବାରେ ବିଳମ୍ବ ଯୋଗୁଁ ଜିବନ ପ୍ରତି ବିପଦକୁ ଏଡାଇ ଦିଆଯାଇନପାରେ। ପରିତାପର ବିଷୟ ଯେ ସରକାରଙ୍କ ଯୋଜନା ବୋଲି ଏହି ଆମ୍ବୁଲାନ୍ସ ସେବା ପାଇଁ ସାଧାରଣ ଜ୍ଵର, ମୁଣ୍ଡ ବୁଲା, ରକ୍ତଚାପ ଥିବା ରୋଗୀ ମଧ୍ଯ ଅଯଥାରେ ବୁହା ହୋଇ ଏହି ଆମ୍ବୁଲାନ୍ସରେ ଆସୁଥିବା ଶୁଣିବାକୁ ମିଳୁଛି।
ସରକାର ଲୋକଙ୍କୁ ଜରୁରୀ ସେବା ପ୍ରଦାନ କ୍ଷେତ୍ରରେ ଏହି ସେବା ପ୍ରଦାନ କରିଥିବା ବେଳେ ଲୋକଙ୍କ ଖାମ୍ ଖିଆଲ ମନୋଭାବ ମଧ୍ଯ ଅନ୍ୟ ଏକ ମୁଖ୍ୟ କାରଣ। ଟିଟିଲାଗଡ ସରକାରି ଡାକ୍ତରଖାନା ଉପରେ ବହୁତ ଲୋକ ନିର୍ଭର କରିଥାନ୍ତି, ସେଥିପାଇଁ ଏହି ମୁଖ୍ୟ ଡାକ୍ତରଖାନାକୁ ଅଧିକ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ତା ସହିତ ଆମ୍ବୁଲାନ୍ସ ମେଣ୍ଟନେନସ ଶୀଘ୍ର କରିବାକୁ ଦାବି ହେଉଛି।