ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଆଜି ଅପରାହ୍ଣରେ ବଜ୍ରପାତରେ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ବଡ଼ପଡ଼ା ପଂଚାୟତ ଶିରୀକୋଈ ଗ୍ରାମର ଜୟ ଗୌଡ଼ଙ୍କ ନଅଟି ଗାଈଗୋରୁ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଗୋଟିଏ ବାଛୁରୀ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଥିବା ଖବର ମିଳିଛି I ଖବରରୁ ଜଣାପଡିଛି ଆଜି ଜୟ ପ୍ରତିଦିନ ଭଳି ଗାଈ ଚରାଇବା ପାଇଁ ବଞ୍ଜର ଅଞ୍ଚଳକୁ ଯାଇଥିଲେ I ଆଜି ଅପରାହ୍ଣ ତିନିଘଣ୍ଟା ସମୟରେ ହଠାତ୍ ବଜ୍ରପାତ ସହ ପ୍ରବଳ ବର୍ଷା ହୋଇଥିଲା I
ବଜ୍ରପାତ ଯୋଗୁଁ ଜୟଙ୍କ ଚାରୋଟି ଗାଈ, ଦୁଇଟି ଛଡା ଏବଂ ତିନୋଟି ଗୋରୁ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଏକ ବାଛୁରୀ ଗୁରୁତର ଆହତ ହୋଇ ଛଟପଟ ହେଉଥିଲା I ଘଟଣାସ୍ଥଳରେ ହିଁ ବାଛୁରୀଟିକୁ ତୁରନ୍ତ ଚିକିତ୍ସା ଯୋଗାଇଦିଆଯାଇଛି I ବେଲଗୁଣ୍ଠା ଗୋଷ୍ଠୀ ପଶୁ ସମ୍ପଦ ଅଧିକାରୀ ଡ଼ାକ୍ତର କାର୍ତ୍ତିକ ସାହୁ ଖବର ପାଇ ତୁରନ୍ତ ଗାଙ୍ଗପୁର ଭିଏସ୍ ଡ଼ାକ୍ତର ଅବିନାଶ ସାହୁଙ୍କୁ ଜଣାଇଥିଲେ I
ଖବର ପାଇ ଡ଼ାକ୍ତର ଅବିନାଶ ତୁରନ୍ତ ନେଟେଙ୍ଗା ପ୍ରାଣୀଧନ ନୀରିକ୍ଷକ ମନୋରଞ୍ଜନ ପ୍ରଧାନଙ୍କୁ ସାଥିରେ ନେଇ ଶିରୀକୋଈ ଗ୍ରାମକୁ ଯାଇ ଗୁରୁତର ବାଛୁରୀକୁ ଚିକିତ୍ସା କରିବା ସହ ମୃତ ପଶୁମାନଙ୍କର ଶବ ବ୍ୟବଚ୍ଛେଦ କରାଇ ଗଛମୂଳେ ପୋତି ଦେଇଥିଲେ I ଘଟଣା ସମ୍ପର୍କରେ ବେଲଗୁଣ୍ଠା ତହସିଲଦାର ମନୋଜ ପ୍ରଭାକର କୂଜୂରଙ୍କୁ ଅବଗତ କରାଯିବ ବୋଲି ଉଭୟ ପଶୁ ଚିକିତ୍ସକ ପ୍ରକାଶ କରିଛନ୍ତି I ଜୟ ଜଣେ ଗରିବ ଶ୍ରେଣୀର କୃଷକ ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି I