ଆମେରିକାର ରୋଡସ୍ ଆଇଲ୍ୟାଣ୍ଡଠାରେ ରଥଯାତ୍ରା ଆୟୋଜନ

518 0

ରୋଡସ୍ ଆଇଲ୍ୟାଣ୍ଡ: ତା ୦୭.୦୭ ରିଖ ଯୁକ୍ତରାଷ୍ଟ୍ର ଆମେରିକାର ସବୁଠାରୁ କ୍ଷୁଦ୍ର ରାଜ୍ୟ ରୋଡ଼ସ୍ ଆଇଲ୍ୟାଣ୍ଡ ଠାରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କର ସବୁଠୁ ବୃହତ୍ ପର୍ବ ରଥଯାତ୍ରା ମହାସମାରୋହରେ ପାଳନ କରାଯାଇଛି। ଏହି ଉପଲକ୍ଷେ ଚାରି ଠାକୁର ବିରାଜମାନ କରୁଥିବା ୱାରୱିଇକସ୍ଥିତ ହିନ୍ଦୁ ମନ୍ଦିରକୁ ଖୁବ ଭବ୍ୟ ଢଙ୍ଗରେ ସଜ୍ଜାଯାଇଥିଲା। ଏଠାରେ ସକାଳେ ମୁଖ୍ୟ ପୂଜାରୀ ସୋମନାଥ ଶାସ୍ତ୍ରୀଙ୍କର ତତ୍ତ୍ଵାବଧାନରେ ମଙ୍ଗଳ ଆରତୀ, ହୋମ ଓ ସ୍ବତନ୍ତ୍ର ପୂଜାର୍ଚ୍ଚନା ତଥା ନିତିକାନ୍ତି ଧାର୍ମିକ ବିଧି ଅନୁଯାୟୀ ସମ୍ପନ୍ନ କରାଯାଇଥିଲା। ରୋଡସ୍ ଆଇଲ୍ୟାଣ୍ଡରେ ଷଷ୍ଠ ଥର ପାଇଁ ଅନୁଷ୍ଠିତ ହେଉଥିବା ରଥଯାତ୍ରା ମହୋତ୍ସବକୁ କେନ୍ଦ୍ରକରି ଉପସ୍ଥିତ ଭକ୍ତଗଣଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅଜସ୍ର ଉତ୍ସାହ, ଅସୀମ ଉନ୍ମାଦନା ଓ ଅଫୁରନ୍ତ ଉଦ୍ଦୀପନା ପରିଲ୍ଲକ୍ଷିତ କରାଯାଇଥିଲା।

ଚଳିତ ବର୍ଷର ଘୋଷଯାତ୍ରାରେ ରୋଡସ ଆଇଲ୍ୟାଣ୍ଡର ଶ୍ରଦ୍ଧାଳୁ ମାନଙ୍କ ସହିତ ସୁଦୂର ପେନସିଲଭାନିଆ, ନିଉଜର୍ସି, କନେକ୍ଟିକଟ ଓ ମାସାଚିଉଟସ ଆଦି ସ୍ଥାନରୁ ବହୁ ସଂଖ୍ୟାରେ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତ, ସେମାନଙ୍କର ପରିବାରବର୍ଗ ଓ ବନ୍ଧୁ ପରିଜନଙ୍କ ସହିତ ଆସି ଯୋଗ ଦେଇଥିବାର ଲକ୍ଷ୍ୟ କରାଯାଇଥିଲା। ଦିନ ସାଢ଼େ ୧୧ ବେଳେ ଭଜନ କୀର୍ତ୍ତନର ଗହ ଗହ ନାଦ, ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ଵନି ତଥା ଶଙ୍ଖ, ଘଣ୍ଟ, କରତାଳ, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗ ବାଜଣାର ଘୋର ଘର୍ଗର ସ୍ବର ଦ୍ଵାରା ଗଗନ ପବନ ପ୍ରକମ୍ପନ ହେବା ମଧ୍ୟରେ ଚାରି ଠାକୁରଙ୍କର ଧାଡ଼ି ପହଣ୍ଡି ବିଜେ ଆରମ୍ଭ ହୋଇଥିଲା।

ପ୍ରଥମେ ପ୍ରଭୁ ସୁଦର୍ଶନ, ତାପରେ ବଡ଼ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ରା ଓ ସବାଶେଷରେ ମହାପ୍ରଭୁ ଜଗନ୍ନାଥଙ୍କୁ ସେବାୟତ ଓ ସଂଗଠକମାନେ ରୋଷଣୀ କରି ମନ୍ଦିରସାମ୍ନାରେ ଦଣ୍ଡାୟମାନ ସୁନ୍ଦର, ସୁରମ୍ୟ ଓ ବିଭିନ୍ନ ରଙ୍ଗବେରଙ୍ଗର କପଡ଼ାରେ ସୁସଜ୍ଜିତ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ରଥ ଉପରକୁ ନେଇ ସିଂହାସନରେ ଆସୀନ କରାଇଥିଲେ। ଏଠାରେ ମହିଳାମାନେ ଦେବୀ ସୁଭଦ୍ରାଙ୍କୁ ନଚାଇ ନଚାଇ ରଥ ନିକଟକୁ ନେଉଥିବାର ଦୃଶ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା। ଶ୍ରୀ ଜୀଉ ମାନଙ୍କୁ ଏବଂ ସେମାନଙ୍କର ରଥକୁ ଶ୍ରଦ୍ଧା ନାୟକ ଓ ସୁଦୀପା ନାୟକ ମାଆ ଝିଅ ଯୋଡ଼ି ଖୁବ ସୁନ୍ଦର ଭାବରେ ଫୁଲମାଳରେ ସଜାଇ ଥିଲେ। ବିଶିଷ୍ଟ ସମାଜସେବୀ ଶୁଭ୍ରାଂଶୁ ମହାନ୍ତି ପାରମ୍ପରିକ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ। ଅପରାହ୍ନ ୧ଟା ବେଳେ ରଥ ଟଣା ଆରମ୍ଭ କରାଯାଇଥିଲା। ରଥଟିକୁ ହିନ୍ଦୁ ମନ୍ଦିରର ଚର୍ତୁପାର୍ଶ୍ଵରେ ଦେଢ଼ କିଲୋମିଟର ଦୂର ପର୍ଯ୍ୟନ୍ତ ବୁଲାଯାଇ ପୁଣି ମନ୍ଦିର ବେଢ଼ାକୁ ଫେରାଇ ଅଣାଯାଇଥିଲା।

ୱାରଉଇକର ରାଜରାସ୍ତାରେ ରାଜକୀୟ ଠାଣିରେ ଚତୁର୍ଦ୍ଧା ମୂର୍ତ୍ତି ଆରୋହଣ କରିଥିବା ଅପରୂପ ରଥଟି ଗଡି ଗଡି ଚାଲିବାର ଦୃଶ୍ୟ ଅନନ୍ୟ ଓ ଅଭୁଲା ଥିଲା। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ପ୍ରସିଦ୍ଧ ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ, ବାୟୋ ଟେକ୍ନୋକ୍ରାଟ ଅନୁପ ମହାନ୍ତି ଏବଂ ଆଇଟି ବିଶେଷଜ୍ଞ ଚିରଞ୍ଜିବୀ ମହାପାତ୍ର ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ଏହାପରେ ଦିଅଁ ମାନଙ୍କୁ ପୁରୀ ଆନନ୍ଦବଜାର ଶୈଳୀରେ ପ୍ରସ୍ତୁତ ସ୍ୱାଦିଷ୍ଟ ମହାପ୍ରସାଦ ଭୋଗ ଲଗାଯାଇଥିଲା ଏବଂ ଏହାକୁ ଆଗନ୍ତୁକ ମାନଙ୍କ ମଧ୍ୟରେ ବିତରଣ କରାଯାଇଥିଲା। ଏହି ଅବସରରେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ମଧ୍ୟରେ ପ୍ରଜ୍ଞାନ ବେହେରା, ସୁନୀଲ କୁମାର ଦୁଦା ଓ ମୁନମୁନ ଦାସଙ୍କ ଦ୍ଵାରା ସୁମଧୁର ଭଜନ ଗାୟନ ଏବଂ ରଥ ସମ୍ମୁଖରେ ରୀନା ଦାଶଙ୍କ ଦ୍ଵାରା ମନଲୋଭା ଓଡ଼ିଶୀ ନୃତ୍ୟ ପରିବେଷଣ ସାମିଲଥିଲା।

ମୁନମୁନ ଦାସ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୁଚାରୁରୂପେ ଉପସ୍ଥାପନା ଓ ସଂଯୋଜନା କରିଥିଲେ। ୱାର୍ଲଡ୍ ଓଡ଼ିଶା ସୋସାଇଟିର ଆନ୍ତର୍ଜାତିକ ସଂଯୋଜକ ଅକ୍ଷୟ ମହାନ୍ତିଙ୍କର ସାମଗ୍ରିକ ତତ୍ତ୍ଵାବଧାନରେ ଆୟୋଜିତ ରଥଯାତ୍ରାକୁ ବିପୁଳ ସଫଳ କରାଇବାରେ ସୁଦକ୍ଷ ସଂଗଠକ ଯଥା ମଣି ମହାପାତ୍ର, ସିମ୍ମି ମହାପାତ୍ର, ସରୋଜ ବେହେରା, ରଂଜିତ ବେହେରା, ଚନ୍ଦ୍ର ନାୟକ, ଶ୍ରଦ୍ଧା ନାୟକ, ଦିଗବିଜୟ ମହାପାତ୍ର, ଅରୁଣା ମହାପାତ୍ର, ବିଶ୍ଵ ପଟ୍ଟନାୟକ, ଲୀନା ପଟ୍ଟନାୟକ, ସୁକାନ୍ତ ପାତ୍ର, ଶଶି ମହାନ୍ତି, କଳ୍ପନା ମହାନ୍ତି, ବିଷ୍ଣୁପ୍ରିୟା ବଳ, କରୁଣା ମେହେଟ୍ଟା, ପଙ୍କଜ ପଣ୍ଡା ଓ ସୌମ୍ୟଶ୍ରୀ ଦାଶ ପ୍ରମୁଖ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ।

Related Post

ଓଡିଶାପାଇଁ ଯିଏ ଭଲ କରିବ ତା ସହ ରହିବୁ:ନବୀନ ପଟ୍ଟନାୟକ

Posted by - April 15, 2019 69
ଭୁବନେଶ୍ବର୧୫|୪:ଏକ ଜାତୀୟ ଗଣମାଧ୍ୟମକୁ ପ୍ରଥମେ ଇଣ୍ଟରଭିୟୁ ନବୀନ କହିଥିଲେ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ବଜାଇ ରଖିଛି। ଯେହେତୁ ଏହି ଦୁଇ ଜାତୀୟ ଦଳ ବହୁମତ…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ଭାରତର ବୀର ସୁପୁତ୍ର CDS ଜେନେରାଲ ବିପିନ ରାୱତ ଙ୍କ ଶେଷ କୃତ୍ୟ

Posted by - December 10, 2021 0
ନୂଆଦିଲ୍ଲୀ/ଭୁବନେଶ୍ବର :(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)ସମଗ୍ର ଦେଶକୁ ହତ ଚକିତ, ସ୍ତବ୍ଧ କରିଥିବା ବାୟୁ ସେନା ର ଅତ୍ୟାଧୁନିକ ହେଲିକପ୍ଟର ଦୁର୍ଘଟଣାରେ ଭାରତ ର CDS ବିପିନ…

ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ଯଶବନ୍ତ ସିହ୍ନା,ରାହୁଲ ଗାନ୍ଧି ଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ

Posted by - June 29, 2022 0
ଭୁବନେଶ୍ଵର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧିଦଳର ପ୍ରାର୍ଥୀ ଯଶଵନ୍ତ ସିହ୍ନା ଜୁନ୍ ୨୭ ତାରିଖ ଦିନ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।…

ସଂସ୍କୃତିଙ୍କର ଓଡ଼ିଶୀ ନୃତ୍ୟରେ ଝୁମିଲେ ଆମେରିକୀୟ ଦର୍ଶକ

Posted by - August 26, 2021 0
ସାନ୍‍ଫ୍ରାନ୍‍ସିସ୍‍କୋ:ଯୁବ ଏବଂ ଉଦୀୟମାନ ନୃତ୍ୟାଙ୍ଗନା ସଂସ୍କୃତି ବେବର୍ତ୍ତାଙ୍କର ରସ ଓ ଲାସ୍ୟ ଭରା ଓଡ଼ିଶୀ ନୃତ୍ୟ ପ୍ରଦର୍ଶନରେ ଆମେରିକାର କଳାପ୍ରେମୀ ଜନସାଧାରଣ ମନ୍ତ୍ରମୁଗ୍ଧ ହୋଇଥିବା ଜଣାଯାଇଛି ।…

ସହିଦ ସିଆରପିଏଫ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ; ସହିଦଙ୍କ କଫିନକୁ କାନ୍ଧରେ ବୋହିଲେ ଗୃହମନ୍ତ୍ରୀ ରାଜନାଥ ସିଂହ

Posted by - February 16, 2019 84
ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ । ସହିଦଙ୍କ କଫିନକୁ ନିଜ କାନ୍ଧରେ ବୋହିନେଲେ ଗୃହମନ୍ତ୍ରୀ ରାଜନାଥ । ଶ୍ରୀନଗର-ଜମ୍ମୁ ହାଇୱେରେ ସିଆରପିଏଫ୍ ଯବାନମାନଙ୍କୁ ନେଇ…