କେସିଙ୍ଗା:(ପ୍ରିତେଶ ପଟେଲ୍)କାର୍ଯ୍ୟ ସରିବା ତାରିଖ ଆସିଲା,ରାସ୍ତା ଅଧାପନ୍ତରିଆ।ନିମ୍ନ ମାନର କାର୍ଯ୍ୟ ନେଇ ଅସନ୍ତୋଷ।କେସିଙ୍ଗା ଗ୍ରାମ୍ୟ ଉନ୍ନୟନ ବିଭାଗ ର ଠିକାଦାର ପୋଷା ନୀତି କେମିତି ଚାଲିଛି ତାହା ଯୋଲୋକ-କାଣ୍ଡେଲ-ତୁଟିଙ୍ଗ ପଦର ରାସ୍ତା କୁ ଦେଖିଲେ ଜଣାପଡୁଛି।ରାସ୍ତା ର ନା ବଦଳେଇ କିପରି ଗୋଟିଏ ରାସ୍ତା ରେ ୪ ବର୍ଷ ମଧ୍ୟରେ ଦୁଇ ଦୁଇ ଥର ଅନୁଦାନ ଦେଇ ଅନୁଦାନ ହରିଲୁଟ କରାଯାଉଛି ବୋଲି ପ୍ରଶ୍ନ ଉଠିଛି।ସେହିଭଳି ବର୍ତ୍ତମାନ ପ୍ରଧାନମନ୍ତ୍ରୀ ସଡକ ଯୋଜନା ରେ ଦିଆଯାଇଥୁବା ରାସ୍ତା କାର୍ଯ୍ୟ ର ସମୟ ଅବଧି ସରିବା କୁ ଦୁଇମାସ ବାକି ଅଛି ।ହେଲେ କାର୍ଯ୍ୟ ଅଧାପନ୍ତରିଆ ସାଙ୍ଗକୁ ନିମ୍ନ ମାନର ବୋଲି ଅଭିଯୋଗ ଉଠିଛି।
ବିଶେଷ କରି ତଦାରଖ ଦାଇତ୍ୱ ରେ ଥିବା ଅଧିକାରୀ ଙ୍କ ଦାଇତ୍ୱ ହୀନତା ପାଇଁ ରାସ୍ତା ର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ପ୍ରକାଶ ଯେ ଜୋଲକୋ-କାଣ୍ଡେଲ ରାସ୍ତା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରେ ୭ କିମି ରାସ୍ତା ୨୦୧୯-୨୦ ମସିହାରେ ସାରିଥିଲା।ଯେଉଁଥିରେ ୭୩ ଲକ୍ଷ ୬୪ ହଜାର ୯୮୮ ଟଙ୍କାର ଅନୁଦାନ ଖର୍ଚ୍ଚ ହୋଇଥିଲା।ହେଲେ ପୁଣି ୩/୪ ବର୍ଷ ପରେ ଏହି ରାସ୍ତା ର ନା ଯୋଲୋକ-କାଣ୍ଡେଲ-ତୁଟିଙ୍ଗ ପଦର କରି ପୁଣି ୯୪୪ ଲକ୍ଷ୩୮ ହଜାର ଏହି ଯୋଜନା ରେ ଟେଣ୍ଡର ହୋଇଛି। ପୂର୍ବରୁ ତାହା ୭ କିମି ଥିବାବେଳେ ଏବେ ୧୪ କିମି ରାସ୍ତା କରାଯାଇଛି।ପ୍ରଧାନମନ୍ତ୍ରୀ ସଡକ ଯୋଜନା ନିୟମ ରେ ୫ ବର୍ଷ ମରାମତି କରି ପରିଚାଳନା ବ୍ୟବସ୍ଥା ରହିଛି।ହେଲେ ୫ ବର୍ଷ ନ ସରୁଣୁ କିପରି ଏହି ଯୋଜନା ରେ ରାସ୍ତା ପୁନର୍ବାର ହେଲା ତାହା ନେଇ ସନ୍ଦେହ ସୃଷ୍ଟି ହୋଇଛି।
ଏହି କାର୍ଯ୍ୟ ର ଶେଷ ଅବଧି ତାରିଖ ରହିଛି ଅଗଷ୍ଟ ୬ ତାରିଖ ରହିଛି।ହେଲେ କାର୍ଯ୍ୟ ଅଧାପନ୍ତରିଆ ହୋଇ ରହିଛି।ବର୍ଷା ଆସିଲାଣି।ହେଲେ କାର୍ଯ୍ୟ ଠିକ ଭାବରେ ନ ହେବାରୁ ଲୋକେ ଅସୁବିଧା ରେ ପଡୁଛନ୍ତି।ବିଶେଷ କରି ଯୋଲୋକ-କାଣ୍ଡେଲ ରାସ୍ତା ରେ ଖାଲ ଖମାର ହେବାରୁ ଲୋକ ଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି।ରାସ୍ତା କଡରେ ଯେଉଁ ମାଟି ଦିଆ ହେଉଛି ତାହା ବି ଠିକ ଭାବରେ ରୋଲିଂ ନ ହେବାରୁ ଅଳ୍ପ ବର୍ଷା ରେ ଖସିବାକୁ ବସିଲାଣି।ବୋର୍ଡ଼ ରେ ରାସ୍ତା ରେ କିପରି କାର୍ଯ୍ୟ ହେବ ଏବଂ କେଉଁ ସାମଗ୍ରୀ କେତେ ଲାଗିବ ର ଖାଲି ସୂଚନା ଲାଗିଛି।ହେଲେ କାର୍ଯ୍ୟ ଯେଉଁଭଳି ହେଉଛି ତାହା ମଧ୍ୟରେ ବହୁତ ତଫାତ ଥୁବା ଲୋକେ ଅଭିଯୋଗ କରିଛନ୍ତି।ଖୋଦ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଙ୍କ ତଦାରଖ ରେ କାର୍ଯ୍ୟ ହେବାର ସୂଚନା ଦିଆଯାଇଛି।
ହେଲେ ଅଧିକ୍ଷଣ ଯନ୍ତ୍ରୀ କଣ ତଦାରଖ କରିବେ ଯନ୍ତ୍ରୀ ବି ଯାଉ ନାହାଁନ୍ତି ତଦାରଖ ରେ।ଭଗବାନ ଭରସା ରେ ଏହି କାର୍ଯ୍ୟ ଚାଲିଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ।ସରକାର ଗ୍ରାମାଞ୍ଚଳ ରାସ୍ତା କୁ ପକ୍କା ରାସ୍ତା ରେ ପରିଣତ କରିବା ପାଇଁ ଏହି ଯୋଜନା କରିଛନ୍ତି।ହେଲେ ଏହି ଯୋଜନା ଠିକାଦାର ଓ ଅଧିକାରୀ ଙ୍କ ଅସାଧୁମେଣ୍ଟ ପାଇଁ ପ୍ରହସନ ପାଳଟୁଛି।ବିଶେଷ କରି ଏହି ବିଭାଗ ରେ ଏହି ଯୋଜନା ରେ ଲଗାତାର ହେଉଥିବା ଟେଣ୍ଡର ଫିକ୍ସିଂ ହିଁ ଯୋଜନା କୁ ବିଫଳ କରିଛି।ଏଠି ଯେମିତି ଜଣେ ପାଇଛି ଠିକା କାର୍ଯ୍ୟ କରୁଛି ଅନ୍ୟ ଜଣେ।ସେମିତି ଜିଲ୍ଲା ର ଅଧିକାଂଶ ଠାରେ ଏହି ଯୋଜନା ରେ ହେଉଥିବା ରାସ୍ତା କାର୍ଯ୍ୟ ରେ ଜଣାପଡିଛି।ଏ ସମ୍ପର୍କରେ କେସିଙ୍ଗା ସହକାରୀ ଯନ୍ତ୍ରୀ ଯଯାତି କେଶରୀ ଗଡ଼ନାୟକ ଙ୍କୁ ପଚାରିବାରୁ ଠିକାଦାର ଙ୍କ ସପକ୍ଷରେ ଓକିଲାତି କରି ରାସ୍ତା ରେ ଜମି ବିବାଦ ପାଇଁ ସରୁ ନ ଥିବା କହିଛନ୍ତି।ସେହିଭଳି କିପରି ଦୁଇଥର ଏହି କାର୍ଯ୍ୟ ହେଲା ଏବଂ ନିମ୍ନ ମାନର କଥା କୁ ଏଡାଇ ଦେଖିବୁ ବୋଲି କହିଥିଲେ।