ବୌଦ୍ଧ :୨୩/୦୬ (ଚିତ୍ତରଞ୍ଜନ ସିଂହ)ବୌଦ୍ଧରେ ଚଳିତ ବର୍ଷ ରଥଯାତ୍ରା ଉପଲକ୍ଷେ ହେଉଥିବା ମୀନାବଜାର ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡିଛି l ବୌଦ୍ଧର ଗଣପର୍ବ ରଥଯାତ୍ରା ଧୂମଧାମରେ ପାଳନ କରିବା ଜିଲ୍ଲା ପ୍ରଶାସନ ତରଫରୁ ପ୍ରତି ବର୍ଷ ମିନବଜାର ଆୟୋଜନ କରିବା ପାଇଁ ନିଲାମ ଡକାଯାଏ ଏବଂ ନିଲାମରୁ ସଂଗୃହିତ ଅର୍ଥ ରଥଯାତ୍ରାରେ ଉପଯୋଗ ହୁଏ l ଚଳିତ ବର୍ଷ ସ୍ଥାନୀୟ କଚେରୀ ଖେଳ ପଡିଆରେ ମୀନାବଜାର ଆୟୋଜନ ପାଇଁ ବୌଦ୍ଧ ଉପ ଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀଙ୍କ ତରଫରୁ ନିଲାମ ଆହ୍ୱାନ କରାଯାଇଥିଲା l
ଏଥିପାଇଁ ଚଳିତ ମାସ ୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ୧୨ ତାରିଖରେ ନିଲାମ ଦସ୍ତାବିଜ ଖୋଲାଯାଇଥିଲା ଏବଂ ସର୍ବୋଚ୍ଚ ନିଲାମଧାରୀଙ୍କ ଡାକ ୯ ଲକ୍ଷ ୧ ହଜାର ଟଙ୍କା ରହିଥିଲା l ନିଲାମ ବିଜ୍ଞପ୍ତି ପ୍ରକାରେ ସେହିଦିନ ହିଁ ସର୍ବୋଚ୍ଚ ନିଲାମଧାରୀ ନିଲାମ ମୂଲ୍ୟର ୫୦ ପ୍ରତିଶତ ଏବଂ୫ ଦିନ ମଧ୍ୟରେ ବାକି ୫୦ ପ୍ରତିଶତ ଅର୍ଥ ଉପ ଜିଲ୍ଲାପାଳଙ୍କ ନିକଟରେ ଜମା ଦେବା କଥା l କିନ୍ତୁ ଚଞ୍ଚକତା କରାଯାଇ ଅହେତୁକ ଅନୁଗ୍ରହ ପ୍ରଦର୍ଶନ ପୂର୍ବକ ପ୍ରଥମ କିସ୍ତି ବାବଦ ୫୦ ପ୍ରତିଶତ ଅର୍ଥ ରଥଯାତ୍ରା ପରଦିନ ଅର୍ଥାତ ୨୧ ତାରିଖରେ ଜମାଦେବାକୁ ସର୍ବୋଚ୍ଚ ନିଲାମଧାରୀଙ୍କୁ ଉପ ଜିଲ୍ଲାପାଳଙ୍କ ତରଫରୁ ଚିଠି କରାଗଲା l
ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ପ୍ରଥମ କିସ୍ତି ଅର୍ଥ ଜମା ହୋଇଥିବା ବେଳେ ଏଯାବତ ଦ୍ଵିତୀୟ କିସ୍ତି ଅର୍ଥ ଜମା ହୋଇନାହିଁ l ବିଗତ ବର୍ଷ ମାନଙ୍କରେ ନିଲାମଧାରୀ ମାନେ ୧୦୦ ପ୍ରତିଶତ ଅର୍ଥ ରଥଯାତ୍ରା ପୂର୍ବରୁ ଉପ ଜିଲ୍ଲାପାଳଙ୍କ ନିକଟରେ ଜମାଦେବା ପରେ ମୀନାବଜାର ଆରମ୍ଭ କରିବାର ଦୃଷ୍ଟାନ୍ତ ରହିଛି l ତେବେ ଚଳିତ ବର୍ଷ ସର୍ବୋଚ୍ଚ ନୀଲାମଧାରୀଙ୍କୁ ଜିଲ୍ଲା ପ୍ରଶାସନ କାହିଁକି ନରମ ମନୋଭାବ ପୋଷଣ କରୁଛି ତାହା ବୁଝା ପଡୁନାହିଁ l ଦ୍ଵିତୀୟ କିସ୍ତି ଚଳିତ ମାସ ୨୯ ତାରିଖରେ ଜମା କରିବା ପାଇଁ ଚିଠି କରାଯାଇଛି l ତେବେ ଏହାର ପୂର୍ବ ଦିନ ଅର୍ଥାତ ୨୮ ତାରିଖରେ ବାହୁଡା଼ ଯାତ୍ରା ମଧ୍ୟ ସମାପ୍ତ ହୋଇ ସାରିଥିବ l
ତେବେ ନିଲାମଧାରୀ କୌଣସି ଆଳ ଦେଖାଇ କ୍ଷତି ହୋଇଥିବା ଦର୍ଶାଇ ଯଦି ଦ୍ଵିତୀୟ କିସ୍ତି ବାବଦ ୫୦ ପ୍ରତିଶତ ଅର୍ଥ ଜମା ନ ଦିଅନ୍ତି ତେବେ ଏହି କ୍ଷତି ପାଇଁ କିଏ ଦାୟୀ ରହିବ ବୋଲି ସ୍ୱାଭାବିକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି l ଏହି ଘଟଣାରେ ନିଲାମରେ ଭାଗ ନେଇଥିବା ଅନ୍ୟ ନିଲାମଧାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିବା ବେଳେ ନିଜେ ତିଆରି କରିଥିବା ନିୟମାବଳୀ ଯଦି ପ୍ରଶାସନ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ନିଜେ ଭାଙ୍ଗିବ ତେବେ ଏହାଠାରୁ ପରିତାପର ବିଷୟ ଆଉ କିଛି ହୋଇନପାରେ ବୋଲି ଏଠାରେ ଚର୍ଚ୍ଚା ହେଉଛି l
ତେବେ ନିଲାମ ବିଜ୍ଞପ୍ତିର ସର୍ତ୍ତ ଏବଂ ନିୟମାବଳୀର ଏଭଳି ବିଚ୍ୟୁତି ବିନା କୌଣସି କାରଣରେ କରାଯାଇଛି ବୋଲି ଉପ ଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ରବୀନ୍ଦ୍ରନାଥ କହଁର ପ୍ରକାଶ କରିଛନ୍ତି l ସେହିପରି ମୀନାବଜାର ପଡିଆ ବାହାରେ ଥିବା ଅସ୍ଥାୟୀ ଦୋକାନୀଙ୍କ ଠାରୁ ମଧ୍ୟ ବେନିୟମ ଭାବେ ମାତ୍ରାଧିକ ଅର୍ଥ ଆଦାୟ କରାଯାଉଛି l କିଏ, କାହା ନିର୍ଦେଶରେ ଏବଂ କେଉଁ ଉଦ୍ଦେଶ୍ୟରେ ଏହି ଅର୍ଥ ଆଦାୟ କରୁଛି ତାହା ମଧ୍ୟ ତଦନ୍ତ ସାପେକ୍ଷ l ଏହାଛଡା ମୀନାବଜାରରେ ବାସି ଖାଦ୍ୟ ବିକ୍ରୟ ହେଉଥିବା ମଧ୍ୟ ଅଭିଯୋଗ ହେଉଛି l ରଥଯାତ୍ରା ଦିନ ଠାରୁ ତିନି ଦିନ ପର୍ଯ୍ୟନ୍ତ ମୀନାବଜାର ପରିସରରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଖାଦ୍ୟ ମାନ ଯାଞ୍ଚ ହୋଇନଥିବା ଜଣାପଡିଛି l ଏସବୁ ଦିଗରେ ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକତା ରହିଛି