ନୋଏଡା ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଆୟୋଜନ

137 0

ନୋଏଡା:୨୧/୦୬ନୋଏଡାର ସେକ୍ଟର ୧୨୧ ସ୍ଥିତ ଗଢ଼ିଚୌଖଣ୍ଡି ଜଗନ୍ନାଥ ମନ୍ଦିରଠାରେ ରଥ ଯାତ୍ରା ଉତ୍ସବ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରାଯାଇଛି। ଏହି ପବିତ୍ର, ପାର୍ବଣ, ଧାର୍ମିକ ସମାରୋହରେ ଓଡ଼ିଆ ଓ ଅଣଓଡ଼ିଆ ପ୍ରାୟ ୫ ହଜାର ଭକ୍ତଙ୍କର ସମାଗମ ହୋଇଥିବା ଦେଖା ଯାଇଥିଲା। ଏଠାକାର ମନ୍ଦିରରେ ଗତକାଲି ବଡ଼ି ଭୋର ୫ଟା ବେଳେ ଦିଅଁ ମାନଙ୍କ ସମ୍ମୁଖରେ ମଙ୍ଗଳ ଆରତୀ କରାଯାଇଥିଲା। ଏହାପରେ ପୂର୍ବାହ୍ନ ୧୧ଟାରେ ରଥସ୍ଥାପନା ଏବଂ ପୂଜାର୍ଚ୍ଚନା ବିଧି ମୁତାବକ ଅନୁଷ୍ଠିତ ହୋଇଥିଲା। ଦ୍ଵିପ୍ରହରର ସାଢେ଼ ୧୨ଟା ବେଳେ ଠାକୁର ମାନଙ୍କୁ ଛପନ ଭୋଗ ଅର୍ପଣ କରାଯାଇଥିଲା।

ଦେଢଟା ବେଳେ ସର୍ବସାଧାରଣ ମାନଙ୍କୁ ମହାପ୍ରସାଦ ବଣ୍ଟନ କରାଯାଇଥିଲା। ମନ୍ଦିର ପରିଚାଳନା କମିଟି ଶ୍ରୀ ଜଗନ୍ନାଥ ସମିତିର ସାଧାରଣ ସମ୍ପାଦକ ତଥା ବିଶିଷ୍ଟ ଚାଟାର୍ଡ ଆକାଉଣ୍ଟାଣ୍ଟ ଓ ସମାଜସେବୀ ଡଃ ମନୋରଞ୍ଜନ ମହାନ୍ତିଙ୍କର ନେତୃତ୍ୱରେ ସ୍ବେଚ୍ଛାସେବୀ ମାନଙ୍କଦ୍ଵାରା ଦର୍ଶକ ମାନଙ୍କର ଭାରି ଭିଡ଼କୁ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଦ୍ଵିପ୍ରହରର ସାଢେ଼ ୨ଟା ବେଳେ ତିନି ଠାକୁରଙ୍କର ୨୪ ଫୁଟ ଉଚ୍ଚତା ବିଶିଷ୍ଟ ସୁନ୍ଦର ଓ ସୁଶୋଭିତ ରଥ ଉପରକୁ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ବିଶିଷ୍ଟ ଅତିଥି ଭାବରେ ଉପସ୍ଥିତ ରହି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡଃ ମହେଶ ଶର୍ମା ଓ ସାଂସଦ ସୁରିନ୍ଦର ନାଗର ରଥ ଉପରେ ଶ୍ରୀ ଜୀଉ ମାନଙ୍କର ଦର୍ଶନ କରିଥିଲେ।

ଅପରାହ୍ନ ୩ଟା ବେଳେ ପାରମ୍ପରିକ ଛେରାପହଁରା କାର୍ଯ୍ୟ ସମ୍ପନ୍ନ ହେବା ପରେ ମନ୍ଦିର ସାମ୍ନାର ବଡ଼ଦାଣ୍ଡରୁ ରଥ ଟଣା ପ୍ରକ୍ରିୟା ଶୁଭାରମ୍ଭ ହୋଇଥିଲା। ଚତୁର୍ଦ୍ଧା ମୂର୍ତ୍ତି ଶୋଭା ପାଉଥିବା ରଥଟିକୁ ତିନି କିଲୋମିଟର ଦୂରବର୍ତ୍ତି ସେକ୍ଟର ୭୧ ସ୍ଥିତ ବାବା ବାଲକନାଥ ମନ୍ଦିର ଅନ୍ତର୍ଗତ ମାଉସୀମା ପୀଠକୁ ଶ୍ରଦ୍ଧାଳୁ ମାନଙ୍କର ଭଜନ, କୀର୍ତ୍ତନ ତଥା ଜୟ ଜଗନ୍ନାଥ, ହରିବୋଲ ଓ ହୁଳହୁଳି ଧ୍ବନି ମଧ୍ୟରେ ଟାଣି କରି ନିଆଯାଇ ସନ୍ଧ୍ୟା ସୁଦ୍ଧା ସେଠାରେ ପହୁଞ୍ଚାଯାଇଥିଲା। ଭକ୍ତ ଓ ଭଗବାନଙ୍କର ମହାମିଳନର ପର୍ବ ରଥଯାତ୍ରା ଅବସରରେ ଦର୍ଶକ ମାନେ ରଥାରୁଢ଼ ଜଗତର ନାଥ ଶ୍ରୀଜଗନ୍ନାଥ ଙ୍କୁ ଦିବ୍ୟ ଦର୍ଶନ କରି ପରମ ପୁଣ୍ୟ ଅର୍ଜନ କରିବା ଏବଂ ଭକ୍ତି ଭାବରେ ଅଭିଭୂତ ହେବାର ଦୃଶ୍ୟ ଅତ୍ୟନ୍ତ ମର୍ମସ୍ପର୍ଶୀ ଥିଲା।

ଏଠାରେ ରାତିରେ ପୁଣି ଦିଅଁ ମାନଙ୍କୁ ସାହି ରୋଷଣୀ କରାଯାଇ ରଥ ଉପରୁ ମାଉସୀମା ମନ୍ଦିର ମଧ୍ୟକୁ ନିଆଯାଇ, ସେଠାରେ ନିର୍ମିତ ସ୍ୱତନ୍ତ୍ର ସିଂହାସନରେ ଆସୀନ କରାଯାଇଥିଲା। ଆସନ୍ତା ୨୮ ତାରିଖର ବାହୁଡା଼ଯାତ୍ରା ପର୍ଯ୍ୟନ୍ତ ଠାକୁରମାନେ ଏଠାରେ ବିରାଜମାନ କରିବେ ବୋଲି ଜଣାଯାଇଛି। ରଥଯାତ୍ରା ମହୋତ୍ସବକୁ ସୁଚାରୁରୂପେ ଆୟୋଜନ କରିବାରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଓ ସଦସ୍ୟଗଣ ଯଥା ସଭାପତି ଶ୍ରୀ ବିଶ୍ଵନାଥ ତ୍ରିପାଠୀ, ଉପସଭାପତି ପ୍ରମୋଦ ବଳ ଓ ନିଗମାନନ୍ଦ ମହାନ୍ତି, ସାଧାରଣ ସମ୍ପାଦକ ସମ୍ପାଦକ ଡଃ ମନୋରଞ୍ଜନ ମହାନ୍ତି, ଯୁଗ୍ମ ସମ୍ପାଦକ ଧନେଶ୍ଵର ନାୟକ ତଥା କାର୍ଯକାରୀ କମିଟି ସଦସ୍ୟ ବୃନ୍ଦ ସୁବଳ ବେହେରା, ଦିଲ୍ଲୀପ ସ୍ବାଇଁ, ଦେବୁ ମିଶ୍ର, ଅକ୍ଷୟ ସ୍ବାଇଁ, ପ୍ରଶାନ୍ତ ଖିଲାର, ଅଭୁମନ୍ୟ ପରିଡ଼ା, ରମେଶ ନାୟକ, ପ୍ରକାଶ ରାୟ, ଏ.ଆର୍ ପରିଜା, ଭରତ ପ୍ରଧାନ, କିଶୋର ପରିଡ଼ା ଓ ଡଃ ବିମ୍ବାଧର ରଥ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

Related Post

ନେଦରଲ୍ୟାଣ୍ଡସରେ ମହାସମାରୋହରେ ରଥଯାତ୍ରା ଆୟୋଜନ

Posted by - July 2, 2023 0
ଆଲମେରେ:୦୧/୦୭ ରିଖ ନେଦରଲ୍ୟାଣ୍ଡସର ଆଲମେରେ ନଗରରେ ମହାସମାରୋହରେ ରଥ ଯାତ୍ରା ଉତ୍ସବ ପାଳନ କରାଯାଇଛି। ଓଡ଼ିଆ ସୋସିଓ କଲଚରାଲ ଆସୋସିଏସନ, ନେଦରଲ୍ୟାଣ୍ଡସ(ଓସକାନ) ଦ୍ଵାରା ଏହି ରାଷ୍ଟ୍ରରେ ପ୍ରଥମ…

ନୂଆଦିଲ୍ଲୀରେ ଶୋଭନୀୟ ଆନ୍ଦୋଳନର ପ୍ରତିଷ୍ଠା ଦିବସ ପାଳନ

Posted by - May 8, 2023 0
ନୂଆଦିଲ୍ଲୀ:୦୮/୦୫ ନୂଆଦିଲ୍ଲୀଠାରେ ଶୋଭନୀୟ ଆନ୍ଦୋଳନର ୬୧ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହାସହିତ ଶୋଭନୀୟ ଆନ୍ଦୋଳନର ସଂସ୍ଥାପକ ପୂଜ୍ୟ କୁମାର ଭାଇଙ୍କର ୭୬ତମ ଜୟନ୍ତୀ ଉତ୍ସବ ମଧ୍ୟ…

ଜାପାନୀ ଭାଷାରେ ଅନୁବାଦିତ ହେଲା ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତା

Posted by - January 11, 2022 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ /ଅର୍ଜୁନ ପଟନୟକ) ଆନ୍ତଃରାଷ୍ଟ୍ରୀୟ ଖ୍ୟାତନାମା ଜାପାନୀୟ କବି ମାକି ଷ୍ଟାରଫିଲ୍ଡ କବି ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତାକୁ ଜାପାନୀୟ ଭାଷାରେ ଅନୁଦିତ…

ଦିଲ୍ଲୀର ହାଉଜଖାସ ଜଗନ୍ନାଥ ମନ୍ଦିରରେ ବୋଇତ ବନ୍ଦାଣ ଉତ୍ସବ ପାଳନ

Posted by - November 9, 2022 0
ନୂଆଦିଲ୍ଲୀ : ନୂଆଦିଲ୍ଲୀର ହାଉଜଖାସସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମହାସମାରୋହରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପର୍ବ ଓ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଥିବା ଜଣାଯାଇଛି। ମନ୍ଦିର…

ଆମେରିକାର ମାସାଚ୍ୟୁଟସ ଠାରେ ନୀଳାଦ୍ରି ବିଜେ ଆୟୋଜନ

Posted by - July 14, 2022 0
ମାସାଚ୍ୟୁଟସ:ତା ୧୩.୦୭ ଆମେରିକାର ମାସାଚ୍ୟୁଟସ ଠାରେ ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା, ବାହୁଡା଼ ପର୍ବ, ସୁନାବେଶ ଏବଂ ନୀଳାଦ୍ରି ବିଜେ ଆଦି ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ନିଉ…