ଭବାନୀପାଟଣା:(ଅର୍ଜୁନ ପଟ୍ଟନାୟକ)ସ୍ୱାସ୍ଥ୍ୟ ଗମନାଗମନ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିବା ବେଳେ ଆଜି ମଧ୍ଯ ଲୋକେ ସଡକ ଅଭାବରୁ ନାହିଁ ନ ଥିବା ଦୁର୍ଦଶା ଭୋଗୁଛନ୍ତି। ଏହିଭଳି ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ନା ରାସ୍ତା ଅଛି ନା ପୋଲ।ଗାଁକୁ ଅମ୍ବୁଲାନ୍ସ ପହଞ୍ଚି ପାରୁନି ବୋଲି ଗର୍ଭବତୀ ମହିଳା ହେଉ କି ଗୁରୁତର ରୋଗୀ ଖଟିଆରେ ବୋହିବାକୁ ପଡିଥାଏ। ଥୁଆମୂଳ ରାମପୁର ବ୍ଲକ ତଳଝାପି ଗ୍ରାମ ପଞ୍ଚାୟତ ଅଧିନ ରାଣିପଦର ଗ୍ରାମର ଉପଗ୍ରାମ ଖମନପଡାରେ।ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର ଏକ କରୁଣ ଦୃଶ୍ୟ।ଏହି ଗାଁର ଭୋଳାନାଥ ଗଉଡଙ୍କ ସ୍ତ୍ରୀ ନନ୍ଦିନୀ ଗଉଡ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ତୁରନ୍ତ ଅମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା।
ହେଲେ ଗାଁକୁ କୌଣସି ଯାନବାହନ ଯିବାପାଇଁ କୌଣସି ସୁବିଧା ନାହିଁ ।ବାଟ ଓଗାଳି ରହିଛି ଇନ୍ଦ୍ରାବତୀ ଏବଂ ବାଲିଯୋର୍ ନଦୀ।ଆଜି ପର୍ଯ୍ୟନ୍ତ ଏହି ନଦୀ ଉପରେ ପୋଲ ଟିଏ ନିର୍ମାଣ ହୋଇପାରିନି।ଗାଁ ଲୋକେ ନିଜସ୍ୱ ଉଦ୍ୟମ ରେ ନିର୍ମାଣ କରିଛନ୍ତି ଏକ କାଠ ପୋଲ ।ଲୋକେ ବାଧ୍ୟ ହୋଇ ଗର୍ଭବତୀ ଙ୍କ ଜୀବନ ବଞ୍ଚାଇ ବାକୁ ଗାଁ ଠୁ ପ୍ରାୟ ଦେଢ଼ କିଲୋମିଟର ଦୂର ଥୁଆମୂଳ ରାମପୁର-କାଶୀପୁର ମୁଖ୍ୟ ରାସ୍ତାରେ ଅପେକ୍ଷା କରିଥିବା ଅମ୍ବୁଲାନ୍ସ ପର୍ଯ୍ୟନ୍ତ ଖଟିଆ ରେ ବୋହି ଆଣିବାକୁ ପଡିଥିଲା।
ଏବଂ ଅପେକ୍ଷାରତ ଅମ୍ବୁଲାନ୍ସରେ ନନ୍ଦିନୀ ଙ୍କୁ ଆଣି ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ଏଭଳି ଏକ ଚିରାଚରିତ ସମସ୍ୟା ମଧ୍ୟରେ ଖମନପଡା ବାସୀଙ୍କ ଜୀବନ।ନେତା ଠାରୁ ଆରମ୍ଭ କରି ବଡବଡ ପ୍ରଶାସନିକ ଅଧିକାରୀ ମାନଙ୍କୁ ଜଣାଇଥିଲେ ସୁଦ୍ଧା କେହି ଶୁଣୁନଥିବା ଖମନପଡା ବାସୀଙ୍କ ଅଭିଯୋଗ ହୋଇଆସିଛି। ହେଲେ ଖମନପଡା ବାସୀଙ୍କୁ ଏହି ସମସ୍ୟା ଆଉ କେତେ ଦିନ ଭୋଗିବାକୁ ପଡିବ ଏବଂ ସରକାର କେବେ ଏହି ଅବହେଳିତ ଗାଁର ବିକାଶ ପାଇଁ ଗମନାଗମନର ସୁବ୍ୟବସ୍ଥା କରିବେ ତାହା ଦେଖିବା ବାକି ରହିଲା।