ଭବାନୀପାଟଣା:(ଅର୍ଜୁନ ପଟ୍ଟନାୟକ )ସରକାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ବ୍ୟାପକ ଯୋଜନାମାନ ପ୍ରସ୍ତୁତ କରି ଜନସାଧାରଣଙ୍କ ସୁବିଧା ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି, କିନ୍ତୁ କିଛି ଅସାଧୁ କର୍ମଚାରୀ ମାନଙ୍କ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ବ୍ୟାପକ ସରକାରୀ ଅର୍ଥ ବାଟମାରଣା ହେଉଥିବା ବେଳେ ଯୋଜନା ହେଉଛି ବାଟବଣା। ଏହିଭଳି ଅନେକ ଉଦାହରଣ ଦେଖିବାକୁ ମିଲୁଛି ଜୟପାଟଣା ବ୍ଲକ ରେ ଏବଂ ଶୀର୍ଷରେ ରହିଚି ରେଙ୍ଗାଲପାଲି ପଞ୍ଚାୟତ। ବ୍ଲକର ବିଭିନ୍ନ ଜନବସତି କୁ ଯିବାପାଇଁ ସବୁଦିନିଆ ରାସ୍ତା ର ଅଭାବ ରହିଥିବା ବେଳେ ରେଙ୍ଗାଲପାଲି, ଉଛୁଳା, ଭଇଁରିପାଲି ଆଦି ପଞ୍ଚାୟତ କୁ ପର୍ଯ୍ୟାପ୍ତ ପରିମାଣର ଅନୁଦାନ ପ୍ରଦାନ କରାଯାଉଥିବା ବେଳେ ଅନ୍ୟ ପଞ୍ଚାୟତ ଗୁଡିକୁ ସାବତ ପୁଅ ଭଳି ଅନୁଦାନ ମିଳୁଛି ବୋଲି ଜନପ୍ରତିନିଧିମାନେ ଅଭିଯୋଗ କରିଛନ୍ତି।ପର୍ଯ୍ୟାପ୍ତ ଅନୁଦାନ ପ୍ରାପ୍ତ ହେଉଥିଲେ ହେଁ ଆବଶ୍ୟକ ସ୍ଥାନ ରେ ଉନ୍ନୟନ କାର୍ଯ୍ୟ ବଦଳରେ ଅନାବଶ୍ୟକ ସ୍ଥାନରେ ସରକାରୀ ଅର୍ଥ ବିନିଯୋଗ କରି ଦୁରୁପଯୋଗ କରୁଥିବା ଅଭିଯୋଗ ହୁଏ।
ଏପରିକି ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରୁଥିବା ନଜିର ରହିଛି। ଏହିଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ରେଙ୍ଗାଲପାଲି ପଞ୍ଚାୟତ ର ତାଳପଦର ଠାରୁ ଆର୍ ଡି ସଡକ କୁ ସଂଯୋଗ କରୁଥିବା ରାସ୍ତା ଉପରେ କଙ୍କ୍ରିଟ୍ ସଡକ ନିର୍ମାଣ କାର୍ଯ୍ୟ ଚାଲିଛି ।କେଉଁ ଅନୁଦାନରୁ କେତେ ଟଙ୍କା ବ୍ୟୟ ଅଟକଳ ରେ ସଡକ ନିର୍ମାଣ ହେଉଛି ତାର ସନ୍ତୋଷ ଜନକ ଉତ୍ତର ନାହିଁ ଅଧିକାରୀ ମାନଙ୍କ ପାଖରେ, ସୂଚନା ଫଳକ ନିର୍ମାଣ ହୋଇଥିଲେ ହେଁ ଫଳକରେ କୌଣସି ସୂଚନା ନାହିଁ। କଂକ୍ରିଟ କାର୍ଯ୍ୟରେ ଧାର୍ଯ୍ୟ ସାଇଜ ର ମେଟାଲ୍ ବ୍ୟବହାର ବଦଳରେ ବୋଲଡର ସାଇଜର ପଥର ବ୍ୟବହାର ସହ କମ ପରିମାଣର ସିମେଣ୍ଟ ଓ ଅଧିକ ବାଲି ବ୍ୟବହାର କରାଯାଉଛି।
ସମସ୍ତ ଉନ୍ନୟନ କାର୍ଯ୍ୟ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଙ୍କ ଜରିଆରେ କରାଯାଉଥିଲେ ହେଁ ଘଟଣା ସ୍ଥଳରେ ଯନ୍ତ୍ରୀ ଅନୁପସ୍ଥିତ ଥିବା ଦେଖାଯାଇଥିଲା ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ଙ୍କୁ ଫୋନ ଯୋଗେ ପଚାରିବାରୁ କେବେ କାମ ଆରମ୍ଭ ହୋଇଛି ମୁଁ ଜାଣିନାହିଁ ବୋଲି କହିବା ସହ ସେ ଅଞ୍ଚଳର କାମ ସବୁ ତ ଜୈନିକ ବ୍ୟକ୍ତି କରୁଛନ୍ତି କାମ ସାରିବା ପରେ ସୂଚନା ଫଳକ ଲେଖାଯାଏ ବୋଲି କହିଥିଲେ। ସେହିପରି ଆମ ପ୍ରତିନିଧି ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ଯ କ୍ୟାମେରା ସମ୍ମୁଖରେ କିଛି କହିବା ପାଇଁ ମନା କରିଥିଲେ। ହେଲେ କାହା ଇଙ୍ଗିତରେ ଏତେ ନିମ୍ନମାନର କାର୍ଯ୍ୟ ହେଉଥିବା ବେଳେ ବିଭାଗୀୟ କେଉଁ ଯାଦୁରେ ବଶୀଭୂତ ତାହା ତଦନ୍ତ ସାପେକ୍ଷ। ବିଶେଷକରି ଏହି ଅଞ୍ଚଳରେ ହୋଇଥିବା କାର୍ଯ୍ୟଗୁଡ଼ିକ ର ଏକ ଗୁଇନ୍ଦା ସ୍ତରୀୟ ତଦନ୍ତ ର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି