ଯାଜପୁର: ଦଶରଥପୁର ବ୍ଲକର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଚିତାଳୋ ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ମହୋତ୍ସବ ନବଦିଗନ୍ତ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥୀ ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ମହାବିଦ୍ୟାଳୟର ଅଧ୍ୟକ୍ଷ ଆଦିତ୍ୟ ମଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଉଚ୍ଚ ଶିକ୍ଷା ସଚିବ ବିଷ୍ଣୁ ପଦ ସେଠୀ, ପରିଚାଳନା କମିଟିର ସଭାପତି କର୍ଣ୍ଣାଟକେଶରୀ ଦାସ ପ୍ରମୁଖ ଯୋଗ ଦେଇ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଉଜ୍ଵଳ ଭବିଷ୍ୟତ କାମନା କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ପାର୍ଥ ସାରଥୀ ମହାପାତ୍ର,ସ୍ଥାନୀୟ ସରପଞ୍ଚ ବିଜୟଲକ୍ଷ୍ମୀ ଶତପଥୀ, ସମିତିସଭ୍ୟ ବିଶ୍ୱଜିତ ରାୟ ପ୍ରମୁଖ ଉପସ୍ଥିତ ଥିଲେ। ମାନ୍ୟବର ମନ୍ତ୍ରୀ ଯାଜପୁରରେ ପହଁଚିବା ପରେ ମା ବିରଜାଙ୍କ ଦର୍ଶନ କରିଥିଲେ। ଏହା ପରେ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ଆସି ସଭାସ୍ଥଳରେ ପହଞ୍ଚିଥିଲେ।
ଏହି ମହାବିଦ୍ୟାଳୟରେ ଓଡିଶା ଓପେନ ୟୁନିଭର୍ସିଟିର ଏକ ନୂତନ ଶାଖା ଖୁବ ଶୀଘ୍ର ଖୋଲାଯିବା ନେଇ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଘୋଷଣା କଲେ। ଏହି ଅବସରରେ ବିଭିନ୍ନ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।