ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ରବିବାର ସକାଳ ୧୦ ଟା ୩୦ ସମୟରେ ଟିଟିଲାଗଡ ଥାନା ପାର୍ଶ୍ଵରେ ଥିବା ପୁରୁଣା ଗୁଜୁରାତି ସ୍କୁଲ ସ୍ଥାନରେ ଏବେ ଏକ ନୂତନ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଉଦଘାଟନ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ବିଧାୟିକା ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ, ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ଜିଲ୍ଲାର ସାଂସଦ ଶ୍ରୀମତି ସଂଗୀତା ସିଂ ଦେଓ, ଟିଟିଲାଗଡ ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବି ଜୈନ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ପ୍ରଦିପ କୁମାର ଗୁରୁ, ଟିଟିଲାଗଡ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୟାମୟ ପାଢୀ, ଏବଂ ରାଜସ୍ଥାନୀ ହେଲଥ ଫାଉଣ୍ଡେସନର ଚେୟାରମେନ ଶ୍ରୀ ଜଗଦୀଶ ପ୍ରସାଦ ଶର୍ମା ଉପସ୍ଥିତ ଥିଲେ। ପ୍ରଥମେ ଅତିଥିଙ୍କ ଦ୍ବାରା ଫିତା କାଟି ସ୍ବାସ୍ଥ୍ୟ କେନ୍ଦ୍ର ବୁଲି ଦେଖିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।
ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀମତି ଟୁକୁନି ସାହୁ ଏହି ସ୍ଵାସ୍ଥ୍ୟ କେନ୍ଦ୍ର ଯୋଗୁଁ ଲୋକେ ଚିକିତ୍ସିତ ହୋଇପାରିବେ ବୋଲି କହିବା ସହ ମାନ୍ୟବର ସାଂସଦ ଶ୍ରୀମତି ସଙ୍ଗୀତା ସିଂ ଦେଓଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟ କିପରି ଶୀଘ୍ର ଖୋଲାଯିବ ସେ ନେଇ ପଦକ୍ଷେପ ନେବାକୁ କହିଥିଲେ। ମନ୍ତ୍ରୀ ତାଙ୍କ ଅଭିଭାଷଣ ଦେବା ପରେ ଚାଲି ଯାଇଥିଲେ। ଏହାର ପ୍ରତି ଉତ୍ତରରେ ସାଂସଦ ଶ୍ରୀମତି ସଙ୍ଗୀତା ସିଂ ଦେଓ କହିଥିଲେ ଯେ ମୁଁ ସାଂସଦ ଭାବେ ନିର୍ବାଚିତ ହେବା ପରଠୁ ପ୍ରଥମରେ ହିଁ ଏହି କେନ୍ଦ୍ରୀୟ ବିଦ୍ୟାଳୟ ବିଷୟରେ ପୁର୍ବରୁ ଆଲୋଚନା କରିସାରିଛି ଏବଂ ରାଜ୍ୟ ସରକାର କାହିଁକି ଆୟୁଷ୍ମାନ ଯୋଜନା ଓଡ଼ିଶାରେ ପ୍ରଣୟନ କରୁ ନାହାନ୍ତି ବୋଲି ପ୍ରଶ୍ନ ପଚାରିଥିଲେ, ରାଜନୀତି ନ କରି ଲୋକଙ୍କୁ ଭଲ ସ୍ଵାସ୍ଥ୍ୟ ସେବା ଯୋଗାଇବାରେ ଆୟୁଷ୍ମାନ ଯୋଜନା ବହୁତ ଭଲ ଯୋଜନା ବୋଲି କହିବା ସହ ରାଜନୀତିରେ କିଛି ଲୋକ ମୋ ପଛରେ ସଦାବେଳେ ଅପପ୍ରଚାର ତଥା ଦୋଷାରୋପ କରୁଛନ୍ତି କିନ୍ତୁ ମୁଁ ସେମାନଙ୍କୁ କହିଦେବାକୁ ଚାହେଁ ଯେ ସେମାନଙ୍କୁ ଉତ୍ତର ଦେବାରେ ତଥା କାର୍ଯ୍ୟ କରିବାରେ ମଧ୍ୟ ସକ୍ଷମ ଅଟେ।
କେନ୍ଦ୍ରରେ ଥିବା ମୋଦି ସରକାରଙ୍କ ସମସ୍ତ ଯୋଜନା ଅନ୍ତର୍ଗତ ବହୂ ଲୋକ ଆଜି ଉପକୃତ, ଶିକ୍ଷ୍ୟା ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ସେହିପରି ଏହି ରାଜସ୍ଥାନୀ ହେଲଥ ଫାଉଣ୍ଡେସନକୁ ମୋ ତରଫରୁ ଯାହାବି ସହାୟତା ଦରକାର ମୁଁ ନିଶ୍ଚୟ ପ୍ରଦାନ କରିବି ବୋଲି କହିଥିଲେ। ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଟିଟିଲାଗଡ଼ପୌରାଦ୍ଧକ୍ଷା ମମତା ଦେବି ଜୈନ ଏହି ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଟିଟିଲାଗଡ ସହରବାସୀଙ୍କ ପାଇଁ ଏକ ବରଦାନ ସଦୃଶ ବୋଲି କହିବା ସହ ବିଗତ ବର୍ଷ ବର୍ଷ ଧରି ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ଲାଗି ରହିଥିବା ବେଳେ ତାହାର ସମାଧାନ କରିନପାରିବା ସହରବାସୀଙ୍କ ଦୁର୍ଭାଗ୍ୟ ବୋଲି କହିଥିଲେ। ସେ ଯାହା ବି ହେଉ ଏହି ଫାଉଣ୍ଡେସନ ଦ୍ବାରା ବହୁତ ଲୋକ ଚିକିତ୍ସିତ ହୋଇପାରିବେ ବୋଲି ନିଜ ଅଭିଭାଷଣରେ କହିଥିଲେ।
ଚେନ୍ନାଇରେ ଏହି ରାଜସ୍ଥାନୀ ହେଲଥ ଫାଉଣ୍ଡେସନ ବହୁତ ଭଲ ସେବା ପ୍ରଦାନ କରୁଥିବା ଶ୍ରୀ ଶର୍ମା କହିଥିବା ବେଳେ ଏଠାରେ ମଧ୍ଯ ନିଶୁଳ୍କ ଅତ୍ୟାଧୁନିକ ସେବା ଦିଆଯିବ ବୋଲି କହିଥିଲେ। ଏହା ଜାତୀୟ ସ୍ୱାସ୍ଥ୍ୟ ମିଶନ , ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ , ଓଡିଶା ଦ୍ବାରା ଏହି ସେବା ଯୋଗାଇଦେବେ ଏବଂ ରାଜସ୍ଥାନୀ ହେଲଥ ଫାଉଣ୍ଡେସନ ଦ୍ବାରା ଏହାକୁ ପରିଚାଳନା କରାଯିବ। ଟିଟିଲାଗଡରେ ଏହି ଫାଉଣ୍ଡେସନର କାର୍ଯ୍ୟ ପରିଚାଳନା ପାଇଁ ବିନୋଦ କୁମାର ମରୋଡିଆଙ୍କୁ ଫାଉଣ୍ଡେସନ ତରଫରୁ ଦାୟିତ୍ଵ ପ୍ରଦାନ କରାଯାଇଛି। ତେବେ ଏଠାରେ ସ୍ବାସ୍ଥ୍ୟ ସେବା ଯୋଗାଇବା ସହିତ ସ୍ବାସ୍ଥ୍ୟ ହିଁ ସମ୍ପଦ ତଥା ରୋଗ ସମ୍ବନ୍ଧୀୟ ପ୍ରତିକାର ବ୍ୟବସ୍ଥା ବିଷୟରେ ମଧ୍ଯ ଏଠାରେ ସୁବିଧା ପ୍ରଦାନ କରାଯିବ। ସକାଳ ୮ ଟାରୂ ୧୧ , ସଂଧ୍ୟାରେ ୫ ରୁ ୮ ଯାଏଁ ଚିକିତ୍ସା ପ୍ରଦାନ କରାଯିବ ବୋଲି ଫାଉଣ୍ଡେସନ ତରଫରୁ କୁହାଯାଇଛି।ତେବେ ସେ ଯାହା ବି ହେଉ ଟିଟିଲାଗଡରେ ଅତ୍ୟାଧୁନିକ ସ୍ବାସ୍ଥ୍ୟ ସେବା ସହରବାସୀ ପାଇ ପାରିବେ ତାହା ହିଁ ବଡ଼ କଥା।