ବୌଦ୍ଧ: ୨୧ା୨(ଚିତ୍ତରଞ୍ଜନ ସିଂ)ଜଟିଳ ରୋଗରେ ପିଡିତ ହୋଇ ବୌଦ୍ଧ ଜିଲା ମୁଖ୍ୟଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ୫ ଜଣ ଶିଶୁଙ୍କୁ ଉନ୍ନତ ଚିକିତ୍ସା ପାଇଁ ଜିଲାପ୍ରଶାସନ ପକ୍ଷରୁ ବାହାରକୁ ପଠାଯାଇଛି । ବିଭିନ୍ନ ଅଭିଯୋଗ ଶୁଣାଣି ଶିବିରରେ ଏହି ଶିଶୁମାନେ ପିଡିତ ଥିବା ଦୃଷ୍ଟିକୁ ଆସିବାପରେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶିଶୁମାନଙ୍କୁ ତତ୍କାଳ ଚିକିତ୍ସାସେବା ଯୋଗାଇ ଦିଆଯାଇଛି ।
ଜିଲାପାଳ ସତ୍ୟରଞ୍ଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ୪ ଜଣ ଶିଶୁକୁ କଟକ ଶିଶୁଭବନକୁ ପଠାଯାଇଥିବାବେଳେ ଜଣଙ୍କୁ ଭୁବନେଶ୍ୱର ଏମସ ଚିକିତ୍ସାଳୟକୁ ପଠାଯାଇଛି । ନିଜେ ବ୍ୟକ୍ତିଗତ ଭାବରେ ଜିଲାପାଳ ଆଜି ପ୍ରତ୍ୟୁଷରେ ମୁଖ୍ୟଚିକିତ୍ସାଳୟ ପରିସରରେ ପହଞ୍ଚି ଉକ୍ତ ଶିଶୁମାନଙ୍କୁ ପଠାଇବାର ବ୍ୟବସ୍ଥା କରାଇଥିଲେ । ଜିଲା ରେଡକ୍ରସ ପାଣ୍ଠିରୁ ସହାୟତା ଯୋଗାଇ ଦୁଇଗୋଟି ଆମ୍ବୁଲାନ୍ସ ଯୋଗେ ଏହି ଶିଶୁମାନଙ୍କୁ ପଠାଯାଇଥିବା ଜଣାଯାଇଛି ।
ବୌଦ୍ଧଜିଲାରେ ପ୍ରଥମ ଥର ପାଇଁ ଜିଲାପ୍ରଶାସନ ପକ୍ଷରୁ ୫ ଜଣ ଶିଶୁଙ୍କୁ ଚିକିତ୍ସା ସେବା ଯୋଗାଇଦିଆଯାଇଥିବାବେଳେ ଜିଲାରେ ଅନ୍ୟ ଯେଉଁ ଶିଶୁମାନେ ଜଟିଳ ରୋଗରେ ପିଡିତ ସେମାନଙ୍କୁ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ଜିଲାପାଳ ଶ୍ରୀସାହୁ ପ୍ରକାଶ କରିଛନ୍ତି ।