ବଡ଼ବିଲ, ୨୪.୧୧.୨୦୧୯ :ବଡ଼ବିଲକୁ ଧରିଛି ଟେନିସ୍ ବଲ୍ କ୍ରିକେଟର ଫିଭର୍ । ‘ବଡ଼ବିଲ ପ୍ରିମିୟର ଲିଗ୍’ ବିପିଏଲ୍ ପରେ ଖୁବଶିଘ୍ର ଆସୁଛି ବିଏସଏଲ୍ ବା ‘ବଡ଼ବିଲ ସୁପର ଲିଗ୍’ । ବଡ଼ବିଲ ବିକାଶମହଲ ଗ୍ରାଉଣ୍ଡରେ ଫଟାଫଟ୍ କ୍ରିକେଟ, ‘ବଡ଼ବିଲ ପ୍ରିମିୟର ଲିଗ୍’ (ବିପିଏଲ୍)ର ସେକେଣ୍ଡ୍ ଏଡିସନର ଲିଗ୍ ମ୍ୟାଚ୍ ସଫଳତାର ସହ ଚାଲିଥିବା ବେଳେ, ‘ବଡ଼ବିଲ ସୁପର ଲିଗ୍’ ପାଇଁ ଚାଲିଛି ଯୋରଦାର ପ୍ରସ୍ତୁତି ।
ଆସନ୍ତା ଡିସେମ୍ବର ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ‘ବଡ଼ବିଲ ସୁପର ଲିଗ୍’(ବିଏସଏଲ୍) । ବିଏସଏଲ୍’ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ‘ମାଇନିଂ ଏରିଆ କ୍ରିକେଟ୍ ଆସୋସିଏସନ୍’ (ମାକା) ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରୁଛି । ତେବେ ବିପିଏଲ୍ ଭଳି ଏହି ଟୁର୍ଣ୍ଣାମେଣ୍ଟ ମଧ୍ୟ ଟେନିସ ବଲରେ ଖେଳାଯିବ । ଏନେଇ ବିକାଶ ମହଲ ଠାରେ ଆୟୋଜିତ ଏକ ପ୍ରେସ୍ ମିଟରେ ଆଜି ସୂଚନା ଦିଆଯାଇଛି ।
ଖଣି ଅଂଚଳରେ କ୍ରିକେଟକୁ ଅଧିକ ଗତିଶୀଳ କରାଇବା ସହ ସ୍ଥାନୀୟ ଅଂଚଳର ଯୁବ କ୍ରିକେଟରଙ୍କୁ ପ୍ରୋତ୍ସାହନ ଯୋଗାଇଦେବା ଉଦ୍ଦେଶ୍ୟରେ ‘ନେଟିଭ୍ ଭଏସ୍’ ଦ୍ୱାରା ‘ମାଇନିଂ ଏରିଆ କ୍ରିକେଟ୍ ଆସୋସିଏସନ୍’ (ମାକା)ର ଗଠନ କରାଯାଇଛି ବୋଲି ନେଟିଭ୍ ଭଏସର ସଂପାଦକ ରସାନନ୍ଦ ବେହେରା ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ‘ମାକା’ ଦ୍ୱାରା ପ୍ରଥମ ପର୍ଯ୍ୟାୟରେ ‘ବଡ଼ବିଲ ସୁପର ଲିଗ୍’ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟ ର ସମସ୍ତ ମ୍ୟାଚ୍ ଟେନିସ ବଲରେ ଖେଳାଯିବ । ପରବର୍ତ୍ତୀ ସମୟରେ ଖଣି ଅଂଚଳର ଉଦୀୟମାନ କ୍ରିକେଟ ଖେଳାଳୀଙ୍କୁ ଡ୍ୟୁଜ୍ ବଲରେ ଖେଳିବା ନିମନ୍ତେ ପ୍ରୋତ୍ସାହନ ଯୋଗାଇ ଦିଆଯିବ ଏବଂ ଆଗକୁ ଡ୍ୟୁଜ୍ ବଲ ଟୁର୍ଣ୍ଣାମେଣ୍ଟ୍ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ରସାନନ୍ଦ ବେହେରା କହିଛନ୍ତି । ସେହିପରି ଜିଲାର ବିଭିନ୍ନ ସ୍କୁଲ ଓ କଲେଜ ଗୁଡ଼ିକୁ ନେଇ କାର୍ଯ୍ୟକ୍ରମ ରଖା ଯାଇଛି।