ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଡିସେମ୍ବର ୧୨ ତାରିଖ ଦିନ ଟିଟିଲାଗଡ ନିକଟସ୍ଥ କୂମ୍ଭିପଡ଼ା ଗ୍ରାମରୁ ପାଖାପାଖି ୪.୩୦ ସମୟରେ ନରେଶ ବାଗ ( ନେତ୍ରାନନ୍ଦ ବାଗ), ବିବେକ ପ୍ରଧାନୀ, ରମେଶ ବିଶି, ଅର୍ଜୁନ ତାଣ୍ଡି, ମହର୍ଷି ନାଗ କଣ୍ଟାବାଞ୍ଜି ବିଚ୍ଛୁ ବାହାଲିକୁ ଗ୍ରାମର କିଛି ଲୋକଙ୍କୁ ଛାଡ଼ିବା ପାଇଁ ଯାଇଥିଲେ। ଲୋକଙ୍କୁ ଛାଡିବା ପରେ କଣ୍ଟାବାଞ୍ଜି ଠାରେ ଖିଆପିଆ କରି ପୁଣି କୂମ୍ଭୀପଡ଼ା ଅଭିମୁଖେ ସମସ୍ତେ ବାହାରିଥିଲେ କିନ୍ତୁ ନରେଶ ବାଗ ଘରକୁ ଫେରି ନଥିଲେ। ନରେଶର ବାପା ରାତି ୧୦.୩୦ ସମୟରେ ନିଜର ଭଣଞ୍ଜା ମନୋଜ ବିଶିଙ୍କୁ ଫୋନ କରି ନରେଶ ପହଞ୍ଚିଲାକି ନାଇଁ ବୁଝିବାକୁ କହିଥିଲେ। ନରେଶ ଘରେ ପହଞ୍ଚି ନ ଥିବା ଜାଣି ଘର ଲୋକ ସାଙ୍ଗରେ ଯାଇଥିବା ଲୋକଙ୍କୁ ପଚାରିବାକୁ ଗଲେ, ସାଙ୍ଗରେ ଯାଇଥିବା ରମେଶ ବିଶିଙ୍କୁ ପଚାରିବାରୁ ସେ କଣ ଛୋଟ ଛୁଆ ଯେ ଆମେ ବାନ୍ଧିକି ଆଣିବୁ ବୋଲି ସେ ଉତ୍ତରରେ କହିଥିଲେ। ଉତ୍ତର ଶୁଣିବା ପରେ ପରିବାର ବର୍ଗ ନିଜେ ସବୁଆଡେ ଖୋଜିବାକୁ ଯିବା ସହ ସାଙ୍ଗରେ ଯାଇଥିବା ଲୋକେ ମଧ୍ୟ ଖୋଜାଖୋଜି କରିଥିଲେ। ସବୁଆଡ଼େ ଖୋଜା ଖୋଜି କରି ନ ପାଇବାରୁ ଟିଟିଲାଗଡ ଥାନାରେ ନରେଶ ବାଗଙ୍କ ମାଁ ଟିଟିଲାଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଚଲାଇ କିଛି ଟେର ପାଇ ନ ଥିଲା, ତାପରେ ପରିବାର ଲୋକେ ବଲାଙ୍ଗୀର ଏସପିଙ୍କ ନିକଟକୁ ମଧ୍ୟ ଯାଇ ଗୁହାରି କରିଥିଲେ, ଅତିରିକ୍ତ ଏସପି ଗାଁକୁ ଆସି ପଚରା ଉଚୁରା କରି ମଧ୍ୟ ଫେରିଥିଲେ।
ତାପରେ ଘଟଣାର ୪୮ ଦିନ ପରେ ଅର୍ଥାତ ଜାନୁଆରି ୨୯ ତାରିଖ ଦିନ ଟିଟିଲାଗଡ ଥାନାରୁ ଫୋନ ଗଲା ଯେ ସତ୍ୟବାନ୍ ବାଗ ଟିକେ ଥାନାକୁ ଆସନ୍ତୁ ବୋଲି। ସତ୍ୟବାନ୍ ବାଗ, ଅଭିନାସ ବଗର୍ତ୍ତି, କୋଦଣ୍ଡ ବିଶି ଟିଟିଲାଗଡ ଥାନାକୁ ଆସିବା ପରେ ଟିଟିଲାଗଡ଼ ପୋଲିସ ସହ ମୁରିବାହାଲ ଥାନା ଅନ୍ତର୍ଗତ ଭୋଇପଡ଼ା ଗୁରୁଣ୍ଡା ବୁଲାଣି ଖଲିଆବନ୍ଧ ଠାରେ ଗାଡ଼ି ଅଟକାଇଲେ। ଓହ୍ଲାଇବା ପରେ ଗୋଟିଏ ବାଇକ୍ ଏବଂ ଗୋଟିଏ ମୃତଦେହ (ନର କଙ୍କାଳ) ଚିହ୍ନିବା ପାଇଁ କହିଲେ। ସେହି ବାଇକ ଟି ହେଲା ଓଡି୩୧ବି ୦୮୫୨ , ଯାହାକି ନରେଶ ବାଗ ସେଦିନ ଚଲେଇ ନିଜ ବାପାଙ୍କୁ ଛାଡି ଯାଇଥିବା ପରିବାର ଲୋକେ କହିଛନ୍ତି। ଅନ୍ୟପଟେ ସେ ମୃତ କଙ୍କାଳ ପାଖରୁ ମିଳିଥିବା ବଳା, ସାର୍ଟ ପ୍ୟାଂଟ ଏବଂ କଙ୍କାଳ, ଚପଲ ଉଦ୍ଧାର କରିଛି ପୋଲିସ। ତାପରେ ସାଇଣ୍ଟିଫିକ ଟିମ ଆସି ସେମ୍ପୁଲ ସବୁ ନେଇଛନ୍ତି। ଡିଏନଏ ଟେଷ୍ଟ କଲାପରେ ସବୁ ତଥ୍ୟ ତଥା ପରିଚୟ ମିଳି ପାରିବ ବୋଲି କୁହାଯାଉଛି।
ଯେଉଁ ସ୍ଥାନରୁ ବାଇକ୍ ଓ କଙ୍କାଳ ମିଳିଛି ସେଠାରେ ଏତେ ଦିନ ପର୍ଯ୍ୟନ୍ତ ଦୁର୍ଗନ୍ଧ କିପରି ହେଲା ନାହିଁ ? କି ସେହି ରାସ୍ତା ଦେଇ ଏତେ ଲୋକ ଯିବାଆସିବା କରିବା ସତ୍ତ୍ୱେ ବାଇକକୁ ଅନ୍ୟ କେହି ଦେଖି ପାରିଲେ ନାହିଁ କିପରି ? ଘଟଣାର ୪୮ ଦିନ ପରେ ସେ ସବୁ କେମିତି ବାହାରିଲା , ଯେଉଁ ସ୍ଥାନରୁ ମିଳିଛି ସେ ପାଖରେ ଚାଷ ଜମି, ବରକୋଳି ଗଛ, ଲୋକ ଝାଡ଼ା ବି ଫେରନ୍ତି, ଚଳପ୍ରଚଳ ସ୍ଥାନରୁ କିପରି ଏତେ ଦିନ ଯାଏଁ କେହି ଜାଣିପାରିଲେ ନାହିଁ ବୋଲି ପରିବାର ଲୋକ ପ୍ରଶ୍ନ କରୁଥିବା ବେଳେ ନିଖୋଜ ହେବାର ଏତେ ଦିନ ଯାଏଁ କିପରି କୌଣସି ଲୋକ ଦେଖି ପାରିଲେ ନାହିଁ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୋ ପୁଅ କୁଆଡେ ଗଲା ? ପାଞ୍ଚ ଜଣ ଏକା ସାଙ୍ଗରେ କଣ୍ଟାବାଞ୍ଜି, ବଙ୍ଗୋମୁଣ୍ଡା ଯାଏଁ ମିଶିକି ଆସିଲେ ତାପରେ ମୋ ପୁଅ କୁଆଡେ ଉଭାନ ହୋଇଗଲା ? ସାଙ୍ଗରେ ଯାଇଥିବା ଆଉ ଚାରି ଜଣ ଘରକୁ ଫେରିଲେ ସେ କେମିତି ଫେରିଲାନି ? ସାଙ୍ଗରେ ଯାଇଥିବା ଲୋକ ହିଁ ସବୁ ଜାଣିଛନ୍ତି ବୋଲି ନରେଶଙ୍କ ବାପା ସନ୍ଦେହ କରୁଥିବା କହୁଛନ୍ତି। ଯଦି ସାଇଣ୍ଟିଫିକ ରିପୋର୍ଟ ରେ ଏହା ନରେଶର ବୋଲି ଜଣା ପଡ଼ିବ ତାହେଲେ ସେମାନେ ହିଁ ମୋ ପୁଅକୁ ହତ୍ୟା ନିଶ୍ଚୟ କରିଥିବେ ବୋଲି ନରେଶଙ୍କ ବାପା କାନ୍ଦି କାନ୍ଦି ନିଜ ଦୁଃଖ ଗୁହାରିଛନ୍ତି। ଘଟଣାର ଅନୁସନ୍ଧାନ ଜାରି ରହିଥିବା ବେଳେ କିଛି ଘଟଣା ମଧ୍ୟ ପୂର୍ବ ନିର୍ବାଚନ ସମୟରେ ଗାଁ ରେ ଘଟିଥିଲା।
ପଞ୍ଚାୟତ ନିର୍ବାଚନରେ କୁମ୍ଭୀପଡ଼ାର ୧୦ ନମ୍ବର ୱାର୍ଡ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ସତ୍ୟବାନ୍ ବାଗଙ୍କ ପତ୍ନୀ ଶ୍ରୀମତି ସସ୍ମିତା ବାଗ। ତାଙ୍କ ବିପକ୍ଷରେ ଛିଡ଼ା ହୋଇଥିବା ପ୍ରାର୍ଥୀ ନିର୍ବାଚନ ହାରିବା ପରେ ନରେସଙ୍କ ପରିବାରର ଯାହାକୁ ହେଲେ ଗାୟବ କରିବି ଧମକ ଦେଇଥିଲେ। ନିର୍ବାଚନର ବର୍ଷେ ପରେ ଏହି ଘଟଣା ଘଟିବାରୁ ପରିବାର ଲୋକେ ସେମାନଙ୍କ ଉପରେ ସନ୍ଦେହ କରିବା ସହ ସାଙ୍ଗରେ ଯାଇଥିବା ଲୋକଙ୍କ ନାମରେ ମାମଲା ଦାୟର ମଧ୍ୟ କରିଛନ୍ତି। ପୋଲିସ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରି ଆମ ପୁଅ ନରେଶକୁ ଖୋଜି ଦିଅନ୍ତୁ ଓ ଯଦି ଡିଏନଏ ଟେଷ୍ଟ ରିପୋର୍ଟ ଆସିବା ପରେ ଆମର ପୁଅ ବୋଲି ପ୍ରମାଣିତ ହେବ ତାହେଲେ ଏହା ସମ୍ପୂର୍ଣ ଭାବେ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ନରେଶଙ୍କ ବାପା କାନ୍ଦି କାନ୍ଦି କହିବା ସହ ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି। ଏବେ ପୋଲିସ ତଦନ୍ତ ଉପରେ ସମସ୍ତ ପରିବାର ଓ ଗ୍ରାମବାସୀ ଅପେକ୍ଷାରେ। ବାଇକ ଓ କଙ୍କାଳ ଠାବ ହେବା ପରେ ପରିବାର ବର୍ଗ ଓ ସ୍ଥାନୀୟ ଲୋକେ ଥାନାକୁ ଆସି ପାଟିତୁଣ୍ଡ କରିବା ସହ ନିଜର କ୍ଷୋଭ ପ୍ରକାଶ କରି ଆମ ପୁଅକୁ ଖୋଜି ବାହାର କରନ୍ତୁ ବୋଲି ଦାବି କରିଛନ୍ତି। ନରେଶ ଗଲେ କୁଆଡେ ? ସେ କେଉଁଠି ଅଛନ୍ତି ? ସେହି ଠାବ ହୋଇଥିବା ବାଇକ ଯଦି ନରେଶ ଚଲାଉଥିଲେ ତାହାଲେ ସେ ପାଖରୁ ମିଳିଥିବା କଙ୍କାଳ କାହାର ? ପରିବାର ଲୋକଙ୍କ ଛାତି ଫାଟି ଯାଉଛି, ନିଜ ପୁଅକୁ ଫେରି ପାଇବାକୁ ଅନାଇ ବସିଛନ୍ତି , ପୋଲିସର ତଦନ୍ତ ଅପେକ୍ଷାରେ ପରିବାର।