ଭୁବନେଶ୍ୱର: ରସୁଲଗଡ଼ ଛକରେ ଟ୍ରାଫିକ୍ ଜାମ୍ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି। କିଛି ବିଶେଷ ଦିନ କିମ୍ବା ପର୍ବପର୍ବାଣୀ ପୂର୍ବରୁ ଟ୍ରାଫିକ୍ ସ୍ଥିତି ଅଣାୟତ୍ତ ହୋଇପଡ଼ୁଛି। ବାରମ୍ବାର ଏଭଳି ପରିସ୍ଥିତି ସୃଷ୍ଟି ହେଉଥିଲେ ମଧ୍ୟ କମିସନରେଟ ପୁଲିସର ନିଦ ଭାଙ୍ଗୁନି କି ଟ୍ରାଫିକ୍ ଥାନା ପକ୍ଷରୁ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯାଉନି। ଆଜି ସନ୍ଧ୍ୟାରେ ରସୁଲଗଡ଼ ଛକରେ ପାଖାପାଖି ଦୁଇ ଘଣ୍ଟାକାଳ ଚକାଜାମ୍ ପରିସ୍ଥିତି ସୃଷ୍ଟି ହୋଇଥିଲା। ଯେଉଁଥିରେ ସାଧାରଣ ଲୋକ ବହୁ ସମୟ ଧରି ଫସି ଯାଇଥିଲେ। ହେଲେ ଏଭଳି ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ପୁଲିସ ନଥିବାରୁ ସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା।
ଗତକାଲି ସନ୍ଧ୍ୟାରେ ରସୁଲଗଡ଼ ଛକ ପେଟ୍ରୋଲ୍ପମ୍ପ ନିକଟରେ ଏକ ଟ୍ରକ୍ର ବ୍ରେକ୍ ଡାଉନ୍ ହୋଇଥିଲା। ବ୍ରେକ୍ ଡାଉନ୍ ଟ୍ରକ୍କୁ ପୁଲିସ ହଟାଇବା ପୂର୍ବରୁ ଗୋଟିଏ ପରେ ଗୋଟିଏ ଗାଡ଼ି ପଛକୁ ପଛ ଲମ୍ବି ଚାଲିଥିଲା। ସେହି ରାସ୍ତାରେ ଗାଡ଼ି ଯିବା ଆସିବା ଆଉ ସମ୍ଭବ ହୋଇ ନଥିଲା। ସେଠାରେ ତତ୍କାଳ ଟ୍ରାଫିକ୍ ପରିଚାଳନା ପାଇଁ ପୁଲିସ୍ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଇ ନଥିଲା।
ଫଳରେ ରସୁଲଗଡ଼ରୁ ବମିଖାଲ, ସତ୍ସଙ୍ଗ ବିହାର, ପଳାସୁଣି ଓ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ପର୍ଯ୍ୟନ୍ତ ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ସବୁ ଧାଡ଼ି ହୋଇ ଛିଡ଼ା ହୋଇଥିଲେ। ଏମିତିକି ଭିଡ଼ ଭିତରେ ଦମ୍କଳ ଗାଡ଼ି ଫସିଥିଲେ ମଧ୍ୟ ପୁଲିସ ଦମ୍କଳକୁ ରାସ୍ତା ଦେବାରେ ବିଫଳ ହୋଇଥିଲା। ଭିଡ଼ରେ ଲୋକମାନେ ତ୍ରାହି ତ୍ରାହି ଡାକ ଛାଡ଼ିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିଥିଲା। ପାଖାପାଖି ସାଢ଼େ ୭ଟା ପର୍ଯ୍ୟନ୍ତ ପ୍ରାୟ ଦୁଇ ଘଣ୍ଟା କାଳ ପୁଲିସ ନାକେଦମ୍ ହେବା ପରେ ଯାଇ ଭିଡ଼ ନିୟନ୍ତ୍ରଣ ହୋଇପାରିଥିଲା। ଦୁଇ ଘଣ୍ଟା ଭିତରେ କଟକରୁ ଭୁବନେଶ୍ୱର ଓ ଭୁବନେଶ୍ୱରରୁ କଟକ ଯିବାକୁ ଥିବା ଲୋକମାନେ ନାହିଁ ନଥିବା ସମସ୍ୟା ଭୋଗିଥିଲେ।
ଏମିତିକି ବସ୍ ଆରୋହୀମାନେ ମଧ୍ୟ ମୋ’ ବସ୍ ଭିତରେ ଫସି ରହିଥିଲେ। ପୂଜା ପାଇଁ କିଣାକିଣି କରିବାକୁ ଘରୁ ବାହାରିଥିବା ଲୋକମାନେ ଦୁଇ ଘଣ୍ଟା ଭିଡ଼ରେ ଅଣନିଶ୍ୱାସୀ ହୋଇ ପଡ଼ିଥିଲେ। ରସୁଲଗଡ଼ ଛକରେ ପୁଲିସ୍ ଥିଲେ ମଧ୍ୟ ନିରବଦ୍ରଷ୍ଟା ସାଜିଥିଲା। ପୁଲିସ୍ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇଥିଲେ ଏପରି ଜାମ୍କୁ ନିୟନ୍ତ୍ରଣ କରାଯାଇପାରିଥା’ନ୍ତା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଆହୁରି ମଧ୍ୟ ସବୁବେଳେ ଛୋଟ ଛୋଟ ସମସ୍ୟାକୁ ନେଇ ରସୁଲଗଡ଼ ଛକରେ ବଡ଼ ଧରଣର ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ଭୁବନେଶ୍ୱର ଡିସିପିଙ୍କ ପକ୍ଷରୁ ସେହି ରାସ୍ତା ଜାମ୍ ନେଇ ବାରମ୍ବାର ବାରମ୍ବାର ଟୁଇଟର୍ରେ ପୋଷ୍ଟ୍ କରାଯାଉଛି। କିଛି ଦିନ ପୂର୍ବରୁ ୫ଟି ସଚିବ, ବିଏମ୍ସି କମିସନର୍, ପୁଲିସ କମିସନର୍ ଓ ବରିଷ୍ଠ ପଦାଧିକାରୀମାନେ ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ରୂପରେଖ ପ୍ରସ୍ତୁତ କରିଥିଲେ। ହେଲେ ତାହା ଯେମିତି କେବଳ ଲୋକ ଦେଖାଣିଆ ହୋଇ ରହିଯାଇଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରୁଛନ୍ତି। ଟ୍ରାଫିକ୍ ବ୍ୟବସ୍ଥାକୁ ସୁଦୃଢ କରିବା ସହ ଆଗାମୀ ଦିନରେ ଜାମ୍କୁ କେମିତି ରୋକାଯାଇ ପାରିବ ସେ ଦିଗରେ ପଦକ୍ଷେପ ନେବାକୁ ଲୋକମାନେ ଦାବି କରିଛନ୍ତି।