ଭୁବନେଶ୍ୱର, ୧୫ ନଭେମ୍ବର ୨୦୧୯: ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ (ଏଲ୍ଭିପିଇଆଇ), ଭୁବନେଶ୍ୱର ପକ୍ଷରୁ ଶିଶୁ ଏବଂ କିଶୋରମାନଙ୍କଠାରେ ଦେଖାଦେଉଥିବା ‘ମାୟୋପିଆ’ ବା ନିକଟ ଦୃଷ୍ଟିଦୋଷ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ‘ମାଇଁସାଇକ୍ଲୋଥନ – ବେଟର୍ ହେଲ୍ଥ, ବେଟର୍ ସାଇଟ୍’ ନାଁରେ ଏକ ବିଶେଷ ସାଇକେଲ୍ ଯାତ୍ରାର ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମ ଜରିଆରେ ସଂଗୃହିତ ଅର୍ଥରୁ ମାୟୋପିଆ ସମସ୍ୟାରେ ପୀଡ଼ିତ ଶିଶୁ ଏବଂ କିଶୋର, ଯେଉଁମାନେ ଏହାର ଚିକିତ୍ସା କରିବାକୁ ସକ୍ଷମ ନୁହନ୍ତି, ସେମାନଙ୍କର ଚିକିତ୍ସା କରାଯିବା ସହିତ ମାଗଣାରେ ଚଷମା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି।
ଆଗାମୀ ଜାନୁୟାରୀ ମାସ ୧୯ ତାରିଖରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରୁ ଏହି ସାଇକେଲ ଯାତ୍ରାର ଶୁଭାରମ୍ଭ କରାଯିବ। ଏଲ୍ଭିପିଇଆଇ ‘ମାଇଁସାଇକ୍ଲୋଥନ୍’ର ବ୍ରାଣ୍ଡ ଆମ୍ବାସଡର ତଥା ଜଣାଶୁଣା ଅଭିନେତା ସିଦ୍ଧାନ୍ତ ମହାପାତ୍ର ପତାକା ଦେଖାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ‘ମାଇଁସାଇକ୍ଲୋଥନ୍’ ପାଇଁ ଟି-ସାର୍ଟ୍ ଡିଜାଇନକୁ ବ୍ରାଣ୍ଡ ଆମ୍ବାସଡର ସିଦ୍ଧାନ୍ତ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଉନ୍ମୋଚନ କରିଛନ୍ତି।
“ଗତ ୩୮ ବର୍ଷ ହେଲା ମୁଁ ଓ ମୋ ସାଇକେଲ ଏକାଠି ରହିଛୁ। ଏବେ ମତେ ଯଦି କେହି ମୋର ଭଲ ସ୍ୱପ୍ନ କଥା ପଚାରନ୍ତି, ତେବେ ମୁଁ କହିବି ମୋ ଦେଶର ସବୁ ଲୋକ ସାଇକେଲ ଚଳାନ୍ତୁ। ସାଇକେଲ ଚଳାଇବା ଦ୍ୱାରା ସମସ୍ତେ ସୁସ୍ଥ ରହିବେ ଏବଂ ପ୍ରଦୂଷଣ ମଧ୍ୟ କମିବ’’, କହିଛନ୍ତି ଅଭିନେତା ସିଦ୍ଧାନ୍ତ ମହାପାତ୍ର।
ଓଡ଼ିଶାର ଜଣାଶୁଣା ଆଥଲେଟ୍ ତଥା ସାଇକ୍ଲିଷ୍ଟ ଅର୍ଜୁନ ପୁରସ୍କାର ବିଜେତା ମୀନତି ମହାପାତ୍ର ଅତିଥି ଭାବେ ଯୋଗ ଦେଇ ଏଭଳି ମହତ ଉଦ୍ଦେଶ୍ୟରେ ସାଇକେଲ ଯାତ୍ରାର ଆୟୋଜନ ନେଇ ଖୁସି ପ୍ରକାଶ କରିଛନ୍ତି।
ସେ କହିଛନ୍ତି, “୫୦ ବର୍ଷ ହେଲା ମୁଁ ସାଇକେଲ୍ ଚଳାଉଛି। ମୋ’ ପାଇଁ ସାଇକ୍ଲିଂ ହେଉଛି ମୋର ପ୍ରଥମ ପ୍ରେମ ଏବଂ ସ୍ୱାମୀ ହେଉଛନ୍ତି ଦ୍ୱିତୀୟ ପ୍ରେମ।’’
ମାୟୋପିଆ କ’ଣ?
ମାୟୋପିଆ ହେଉଛି ‘ନିକଟ ଦୃଷ୍ଟିଦୋଷ’ । ଏଥିରେ ଜଣେ ବ୍ୟକ୍ତି କେବଳ ଆଖି ନିକଟରେ ଥିବା ବସ୍ତୁଗୁଡିକୁ ଦେଖିବାକୁ ସକ୍ଷମ ହେଉଥିବା ବେଳେ ଦୂର ଜିନିଷଗୁଡ଼ିକୁ ଦେଖିବାରେ ଅସୁବିଧା ଅନୁଭବ କରିଥାଏ। ଶିଶୁ ଓ କିଶୋରମାନଙ୍କ ମଧ୍ୟରେ ଏହି ଚକ୍ଷୁ ସମସ୍ୟା ଦ୍ରୁତଗତିରେ ବଢୁଥିବା ହେତୁ ଏହାର ଠିକଣା ମୁକାବିଲା କରିବାର ଆବଶ୍ୟକତା ରହିଛି। ନହେଲେ ଏହା ସେମାନଙ୍କର ଦୃଷ୍ଟିଶକ୍ତି ପ୍ରତି ଭବିଷ୍ୟତରେ ବଡ଼ ବିପଦର କାରଣ ହୋଇପାରେ। ତେଣୁ ଏହି ପିଲାମାନଙ୍କର ଦୃଷ୍ଟି ଶକ୍ତି ବଜାୟ ରଖିବାକୁ ଉପଯୁକ୍ତ ଚଷମା ବ୍ୟବହାର ଏବଂ ନିୟମିତ ଚକ୍ଷୁ ପରୀକ୍ଷା କରିବା ନିହାତି ଆବଶ୍ୟକ। ଏଲ୍ ଭି ପ୍ରସାଦ ଚକ୍ଷୁ ଚିକିତ୍ସା ପ୍ରତିଷ୍ଠାନ ଏହି କ୍ଷେତ୍ରରେ ଉଭୟ ପହଞ୍ଚ ଏବଂ ଅପହଞ୍ଚ ଅଂଚଳରେ କାମ କରିଆସୁଛି।
ମାୟୋପିଆ ଏବେ ଏକ ସାଧାରଣ ଚକ୍ଷୁ ସମସ୍ୟା ପାଲଟିଛି। ୨୦୫୦ ସୁଦ୍ଧା ସଂପୂର୍ଣ୍ଣ ବିଶ୍ୱରେ ପ୍ରତି ୧୦ ଜଣଙ୍କ ମଧ୍ୟରୁ ୫ ଜଣ ଏଥିରେ ଆକ୍ରାନ୍ତ ହେବାର ଆଶଙ୍କା ରହିଥିବାର ଆକଳନ କରାଯାଉଛି। ବିଶେଷକରି ଶିଶୁମାନଙ୍କ କ୍ଷେତ୍ରରେ ଏବଂ ଭାରତରେ ଏହି ସମସ୍ୟା ବଢ଼ି ବଢ଼ି ଚାଲିଥିବାରୁ ଏବେଠାରୁ ସଜାଗ ହେବାର ସମୟ ଆସିଛି। ତେଣୁ ମାଇଁସାଇକ୍ଲୋଥନ୍ ଜରିଆରେ ମାୟୋପିଆ ସଂପର୍କରେ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଲ୍ଭିପିଇଆଇ ସମୁଦାୟ ଅପହଞ୍ଚ କ୍ଷେତ୍ରମାନଙ୍କରେ ନିଜର ଗବେଷଣାକୁ ସଂପ୍ରସାରିତ କରୁଛି ଏବଂ ଏଥିପାଇଁ ସ୍ୱତନ୍ତ୍ର କ୍ଲିନିକ୍ ମଧ୍ୟ ଆରମ୍ଭ କରିବାକୁ ଯାଉଛି। ଏଥିରେ ଆକ୍ରାନ୍ତ ପିଲାମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ।
“ଏହି ଅଭିଯାନରେ ସିଦ୍ଧାନ୍ତ ମହାପାତ୍ରଙ୍କୁ ବ୍ରାଣ୍ଡ ଆମ୍ବାସାଡର ରୂପେ ପାଇ ଆମେ ବହୁତ ଖୁସି। ଶିଶୁମାନଙ୍କ କ୍ଷେତ୍ରରେ ବଢୁଥିବା ମାୟୋପିଆ ବାବଦରେ ସଚେତନତା କାର୍ଯ୍ୟକ୍ରମକୁ ଆଗକୁ ବଢାଇବାରେ ତାଙ୍କର ଭୂମିକା ସହିତ ଜନସାଧାରଣ ଓ ମିଡିଆର ସହଯୋଗ ଆମେ ଆଶା କରୁଛୁ”, କହିଛନ୍ତି ଏଲ୍ଭିପିଇଆଇ ଭୁବନେଶ୍ୱରର କ୍ୟାମ୍ପସ୍ ଡାଇରେକ୍ଟର ଡାକ୍ତର ସୂର୍ଯ୍ୟସ୍ନାତ ରଥ
କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ସହଯୋଗର ହାତ ବଢ଼ାଇଥିବାରୁ ଆମେ ଆମ ପ୍ରାୟୋଜକ ସଂସ୍ଥା ଏମସିଏଲ୍, ରାଧାରମଣ ଆଇ ହସ୍ପିଟାଲ, କଟକ ଏଣ୍ଡ ଭିଜନ କେୟାରକୁ ଧନ୍ୟବାଦ ଅର୍ପଣ କରୁଛୁ। ମାଇଁସାଇକ୍ଲୋଥନ ପାଇଁ ସହଯୋଗ ଦେଇଥିବାରୁ ଆମେ ମଧ୍ୟ ଆମର ପାର୍ଟନର ସିଆରୟୁଟି ଓ ୟାନା ସାଇକେଲ୍ସକୁ ଧନ୍ୟବାଦ ଅର୍ପଣ କରୁଛୁ। ଆମ ଡିଜିଟାଲ୍ ମିଡିଆ ପାର୍ଟନର ଓଡ଼ିଶାଲାଇଭ୍କୁ କାର୍ଯ୍ୟକ୍ରମର ପ୍ରଚାରପ୍ରସାର ପାଇଁ ସହଯୋଗ କରିଥିବାରୁ ଧନ୍ୟବାଦ ଦେଉଛୁ।
ସଂକ୍ଷେପରେ ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍
ଏହା ୧୯୮୭ ମସିହାରେ ହାଇଦ୍ରାବାଦଠାରେ ପ୍ରତିଷ୍ଠା ହୋଇଥିବା ଏକ ସ୍ୱେଚ୍ଛାସେବୀ ଏବଂ ବ୍ୟାପକ ଚକ୍ଷୁ ଚିକିତ୍ସା ସଂସ୍ଥାନ। ଏଲଭିପିଇଆଇ ଦୁଇଟି ଟ୍ରଷ୍ଟ – ଯଥା: ହାଇଦ୍ରାବାଦ ଆଇ ଇନଷ୍ଟିଚ୍ୟୁଟ୍ ଏବଂ ହାଇଦ୍ରାବାଦ ଆଇ ରିସର୍ଚ୍ଚ ଫାଉଣ୍ଡେସନ ଦ୍ୱାରା ପରିଚାଳିତ। ଏହା ଦୃଷ୍ଟିହୀନତା ପ୍ରତିରୋଧ ଏବଂ ‘ଗ୍ଲୋବାଲ୍ ରିସୋର୍ସ ସେଣ୍ଟର ଫର ଭିଜନ୍ ୨୦୨୦ – ଦ ରାଇଟ୍ ଟୁ ସାଇଟ୍ ଇନିସିଏଟିଭ୍’ ନିମନ୍ତେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହବନ୍ଧିତ ଅନୁଦାନ।
ହାଇଦ୍ରାବାଦଠାରେ ରହିଛି ଏଲ୍ଭିପିଇଆଇ ଉତ୍କର୍ଷତା କେନ୍ଦ୍ର ବା ସେଣ୍ଟର ଅଫ୍ ଏକ୍ସିଲେନ୍ସ। ସେହିପରି ଭୁବନେଶ୍ୱର, ବିଶାଖାପାଟଣା ଏବଂ ବିଜୟୱାଡାଠାରେ ତିନୋଟି ପ୍ରମୁଖ ଚିକିତ୍ସା ସେବା କେନ୍ଦ୍ର ରହିଛି। ଏହାଛଡ଼ା ଓଡ଼ିଶା, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକର ବିଭିନ୍ନ ଗ୍ରାମାଞ୍ଚଳ କ୍ଷେତ୍ରରେ ୧୯ଟି ସେକେଣ୍ଡାରି ଓ ୧୮୧ଟି ପ୍ରାଇମେରି ଚକ୍ଷୁସେବା କେନ୍ଦ୍ର କାମ କରୁଛି।