ବୌଦ୍ଧ : (ଚିତ୍ତରଞ୍ଜନ ସିଂ) ରାସ୍ତା ସାଜିଛି ମରଣଯନ୍ତା । ଢେମା ଢେମା ପଥର ସାଙ୍ଗକୁ ରାସ୍ତାସାରା ଖାଲଖମାରେ ଭର୍ତ୍ତି । ଲୋକଙ୍କ ଯାତାୟତ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । କିନ୍ତୁ ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନର ଆନ୍ତରିକତା ଅଭାବ ହେତୁ ସରକାରଙ୍କ ଯୋଜନା ପ୍ରକୃତ ଲକ୍ଷ୍ଯ ଠାରୁ ଦୂରେଇ ଯାଉଛି । ସମସ୍ୟାଟି ହେଉଛି କଣ୍ଟାମାଳ ବ୍ଲକ ଉପାନ୍ତ ଅଞ୍ଚଳରେ ଥିବା ଉମା ଗ୍ରାମ ପଞ୍ଚାୟତର । ଉମା ଗ୍ରାମ ଠାରୁ ପ୍ରାୟ ପାଞ୍ଚ କିଲୋମିଟର ରାସ୍ତା ସମାଡାଙ୍କି ପର୍ଯ୍ୟନ୍ତ ରାସ୍ତା ନଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ୱାଧୀନତାର ୭୫ବର୍ଷ ବିତି ଯାଇଥିଲେ ମଧ୍ୟ ଉପାନ୍ତ ଅଞ୍ଚଳରେ ଥିବା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ଉମା ଗ୍ରାମ ଠାରୁ ପ୍ରାୟ ୫କିମି ସମାଡ଼ାଙ୍କି ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି ।
ରାସ୍ତା ସାରା ଖାଲ ଖମା, ଅଣଓସାରିଆ ଓ ଢେମା ଢେମା ପଥର ରହିଛି । ଗାଡି ମଟର ତ ଦୂରର କଥା ଚାଲିକି ଯିବା ଅସମ୍ଭବ ହୋଇପଡିଛି । ଖାଲି ସେତିକି ନୁହେଁ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ପାରେନାହିଁ । ଦେଶ ସ୍ବାଧୀନତା ପ୍ରାପ୍ତିର ସପ୍ତଦଶ ବର୍ଷ ପରେ ମଧ୍ୟ ସ୍ଥାୟୀ ରାସ୍ତାଟିଏ ହୋଇପାରିନି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ପଞ୍ଚାୟତର ଅଧିକାଂଶ ଲୋକ ଆଭ୍ୟନ୍ତରୀଣ ଅଞ୍ଚଳରେ ବାସ କରି ରହୁଛନ୍ତି । ପଞ୍ଚାୟତର ସଦର ମହକୁମାଠାରୁ ଛୋଟଛୋଟ ନାଳ ଦେଇ ୫ କିମି ଦୂରତାରେ ରହିଛି ସମାଡାଙ୍କି ଓ ଟୁଡ଼ିବାହାଲି ଗ୍ରାମ । ବଣପାହାଡ ପାଦଦେଶରେ ରହୁଥିବା ୩୦୦ ଜନସଂଖ୍ୟା ବିଶିଷ୍ଟ ଏହି ଦୁଇଟି ଗ୍ରାମବାସୀଙ୍କ ଯାତାୟତ ପାଇଁ ସବୁଦିନିଆ ରାସ୍ତା ନାହିଁ । ଫଳରେ କେହି ଜ୍ଵର କିମ୍ବା ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ହେଲେ କ୍ବାକ୍ମାନଙ୍କ ଉପରେ ପ୍ରଥମେ ନିର୍ଭର କରିବାକୁ ବାଧ୍ୟ ହୋଇଥାନ୍ତି ।
ଗୁରୁତର ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ପହଞ୍ଚାଇବାକୁ ହେଲେ ଉମା ପର୍ଯ୍ୟନ୍ତ ଦୀର୍ଘ ୫କିମି ଖଟିଆ ମାଧ୍ୟମରେ ଆଣିଥାନ୍ତି । ଭର୍ତ୍ତା ହେଉ କି ରାସନ ବର୍ଷତମାମ୍ କଷ୍ଟ ସ୍ବିକାର କରି ଆବୁଡା ଖାବୁଡା ରାସ୍ତାରେ ପଞ୍ଚାୟତକୁ ଯିବାକୁ ହୋଇଥାଏ । ଭୋଟ ଆସିଲେ ପ୍ରତିଶୃତି ମିଳେ ହେଲେ ଭୋଟ ସରିଲେ ନେତା ଭୁଲି ଯାଆନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ରାସ୍ତାଟିଏ ପାଇଁ ଅନେକ ବର୍ଷ ହେବ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ଗୁହାରି କରି ଆସୁଥିଲେ ମଧ୍ୟ ଗୁରୁତ୍ବ ଦେଉନଥିବା କହନ୍ତି ଗ୍ରାମବାସୀ । ସେହିପରି ଉକ୍ତ ଦୁଇଟି ଗାଁ ମଝିରେ ଥିବା ନାଳ ବର୍ଷା ଦିନରେ ପାଣି ଆସି ଯୋଗାଯୋଗ ବିଚ୍ଛିନ୍ନ କରିଦିଏ । ନାଳରେ ପୋଲ ନିର୍ମାଣ ହୋଇ ନଥିବାରୁ ଅପରପାର୍ଶ୍ବରେ ଥିବା ଟୁଡ଼ିବାହାଲିର କୁନିକୁନି ପିଲା ପାଣି ଭିତରେ ଯିବାଆସିବା କରନ୍ତି l ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ।